କନକ ବ୍ୟୁରୋ : ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ଅନେକ ଦିନ ହେବ ଦାବି ହୋଇ ଆସୁଛି । ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସଭାରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ଡ.ସସ୍ମିତ ପାତ୍ର । ଶୂନ୍ୟ କାଳରେ ଡ. ପାତ୍ର କହିଥିଲେ କି ମାନ୍ୟବର ମୁ୍ଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାର ବିକାଶ ଅବ୍ୟାହତ ରହିଛି । ଅନ୍ୟପଟେ ପ୍ରାକୃତିକ ବପର୍ଯ୍ୟୟକୁ ଓଡିଶା ନିୟମିତ ଭାବେ ସମ୍ମୁଖୀନ ହେଉଛି । ନିୟମିତ ବାତ୍ୟା ଓ ବନ୍ୟା ରାଜ୍ୟର ଅର୍ଥନୀତି ଉପରେ ପ୍ରତିକୂଳ ପ୍ରଭାବ ପକାଉଛି ।

Advertisment

ଏନେଇ ସେ ଦାବି କରିଛନ୍ତି କି କେନ୍ଦ୍ର ସରକାର ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେଇ ପ୍ରାକୃତିକ ବିପର୍ଯ୍ୟୟ ଘଟିବାର ୩ ବର୍ଷ ପର୍ଯ୍ୟନ୍ତ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସରକାରୀ କାର୍ଯ୍ୟକ୍ରମର ଆର୍ଥିକ ଅଂଶୀଦାର ଢାଞ୍ଚା ପରିବର୍ତ୍ତନ କରିବା ଉଚିତ । ଏହାର ଉଦାହରଣ ଦେଇ ସେ କହିଛନ୍ତି କି ବର୍ତ୍ତମାନର ଅଂଶୀଦାର ଢାଞ୍ଚା ୬୦:୪୦ କୁ କେନ୍ଦ୍ର ସରକାର ୯୦:୧୦ କରିବା ଉଚିତ୍ ।

ଡ.ପାତ୍ର ଆହୁରି କହିଛନ୍ତି କି, ସରକାରୀ କାର୍ଯ୍ୟକ୍ରମଗୁଡିକରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଭିତରେ ୬୦:୪୦ ଅନୁପାତର ଏକ ଅଂଶୀଦାର ଢାଞ୍ଚା ରହିଛି । ଯେଉଁଥିରେ କେନ୍ଦ୍ର ଦ୍ୱାରା ୬୦ ପ୍ରତିଶତ ପାଣ୍ଠି ପ୍ରଦାନ କରାଯାଉଥିବା ବେଳେ ରାଜ୍ୟ ସରକାର ୪୦ ପ୍ରତିଶତ ପାଣ୍ଠି ପ୍ରଦାନ କରିଥାନ୍ତି । ତେବେ ଏଭଳି କାର୍ଯ୍ୟକ୍ରମ ଚଳାଇବା ପାଇଁ ଯଦି ରାଜ୍ୟ ପ୍ରଶାସନିକ ଖର୍ଚ୍ଚ ଯୋଡାଯାଏ ତେବେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଏହି ଅନୁପାତ ୫୦:୫୦ ହୋଇଯାଇଥାଏ । ସେ ଦାବି କରିଛନ୍ତି କି ଯେତେବେଳେ ଓଡିଶା ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ସେତେବେଳେ ଏହି ଅଂଶୀଦାର ଢାଞ୍ଚାକୁ ପରିବର୍ତ୍ତନ କରି ୯୦:୧୦ କରାଯିବା ଉଚିତ ଏବଂ ରାଜ୍ୟର ପ୍ରଭାବିତ ଅଞ୍ଚଳ ଗୁଡିକର ଭିତ୍ତିଭୂମୀ ବିକାଶ ଏବଂ ପୁନଃନିର୍ମାଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ୯୦ ପ୍ରତିଶତ ଓ ରାଜ୍ୟ ସରକାର ୧୦ ପ୍ରତିଶତ ଆଇନକୁ ୩ ବର୍ଷ ପାଇଁ ପରିବର୍ତ୍ତନ କରାଯିବା ଉଚିତ । ଏହାସହ ସେ ରାଜ୍ୟସଭାରେ କହିଛନ୍ତି କି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ଦେବାକୁ ବିଭିନ୍ନ ଫୋରମରେ ଦାବି ରଖିଛନ୍ତି ।

ଅନ୍ୟପଟେ ରାଜ୍ୟସଭାରେ ଓଡିଶାର କେବିକେ ଅର୍ଥାତ କଳାହାଣ୍ଡି, ବଲାଙ୍ଗୀର ଓ ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପ୍ରସଙ୍ଗରେ ମଧ୍ୟରେ ଆଲୋକପାତ କରାଯାଇଛି । ଏହି ଜିଲ୍ଲାଗୁଡିକରେ ବ୍ୟାଙ୍କିଙ୍ଗ ସେବା, ମୋବାଇଲ ଟାୱାର ବୃଦ୍ଧିର ଆବଶ୍ୟକତା ରହିଥିବା ବେଳେ ଏହି ସମସ୍ତ ଅଞ୍ଚଳକୁ କେନ୍ଦ୍ର ଦ୍ୱାରା ଅତିରିକ୍ତ ସହାୟତା ଯୋଗାଇ ଦେବାକୁ ଦାବି ହୋଇଛି ।