କନକ ନ୍ୟୁଜମେକର-୨୦୨୧: ସମ୍ପୂର୍ଣ୍ଣ ଲକଡାଉନ୍ ଠିକ୍ ନୁହେଁ ବୋଲି କହିଲେ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।

213

କନକ ବ୍ୟୁରୋ: ଲକଡାଉନ୍ ଏକ ଭୂଲ ନିଷ୍ପତ୍ତି ଥିଲା କି? ଏହା ଉପରେ ଆଜି ନ୍ୟୁଜ୍ ମେକର କାର୍ଯ୍ୟକ୍ରମରେ ମତ ରଖିଥିଲେ ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ସେ କହିଛନ୍ତି, ସମ୍ପୂର୍ଣ୍ଣ ଲକଡାଉନ ସହ ସେ କଦାପି ଏକମତ ନୁହନ୍ତି । ସୋସିଆଲ ଭ୍ୟାକ୍ସିନ ସହ ମେଡିକାଲ ଊ୍ୟାକ୍ସିନ ବି ଦରକାର । କୋଭିଡ ନିୟମ ସହ ସାମାଜିକ ଦୂରତା ମାନିବା ମଧ୍ୟ ଜରୁରୀ ।ତେବେ ଲକଡାଉନକୁ ନେଇ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ କହିବା କଥା ହେଉଛି, କରୋନା ମହାମାରୀକୁ ମାତ୍ ଦେବାକୁ ଲକଡାଉନ ହିଁ ଏକମାତ୍ର ଉପାୟ ନୁହେଁ । ସଂକ୍ରମଣ ରୋକିବାକୁ ଲକଡାଉନକୁ ଏକମାତ୍ର ଉପାୟ ଭାବିବା ଭୁଲ କଥା । ଲକଡାଉନ୍ କୌଣସି ସମସ୍ୟାର ସମାଧାନ ନୁହେଁ । ତେବେ ସୀମିତ ଦିନର ଲକଡାଉନ୍ କେବଳ ଆମକୁ ଭିତ୍ତିଭୂମି ଏବଂ ମହାମାରୀ ସହ ଲଢିବାକୁ ସମୟ ଦେଇଥାଏ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ଅନ୍ୟପଟେ ଇତିହାସରୁ ଆମେ ଶିକ୍ଷା ଗ୍ରହଣ କରିବା ଏବଂ ଏହାକୁ ଭବିଷ୍ୟତରେ କାର୍ଯ୍ୟରେ ଲଗାଇବା ଉଚିତ୍ । କରୋନାର ଯେଉଁ ଭାରିଆଣ୍ଟ ଆସିଲେ ବି ଲଢେଇ କରିବା , କଦାପି ପଛକୁ ହଟିବାନି କି ଡରିବାନି ବୋଲି ସେ କହିଛନ୍ତି । ତା ସହିତ ରୋଗ ପ୍ରତିରୋଧକ ଶକ୍ତି ଭଲ ଥିଲେ କରୋନା ଏତେ ସହଜରେ ଆମର କିଛି ବି କ୍ଷତି କରିପାରିବ ନାହିଁ । ରୋଗ ପ୍ରତିରୋଧକ ଶକ୍ତି ବଢାଇବାକୁ ଆମେ ଭ୍ୟାକ୍ସିନ୍ ନେଉଛେ । ପ୍ରାକୃତିକ ରୋଗ ପ୍ରତିରୋଧକ ଶକ୍ତିର ଭରଣା ମେଡିସିନ୍ କରିପାରିବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ଅନ୍ୟପଟେ ଲକଡାଉନକୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି ଯେ, କରୋନାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଲା । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମଧ୍ୟ ବିଭିନ୍ନ ମଡେଲ ଆଧାରରେ ସତର୍କ କରିଥିଲା । ହେଲେ ସବୁ ଅନୁମାନ ଭୂଲ ପ୍ରମାଣିତ ହୋଇଥିଲେ । ଆମକୁ କେବଳ ଭିତ୍ତିଭୂମି ସୁଦୃଢ କଲେ ହେବନି । ବରଂ ଏହାକୁ କାର୍ଯ୍ୟରେ କେମିତି ଲଗାଯାଇପାରିବ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକ । ସେଥିପାଇଁ ଟ୍ରେନିଂର ଆବଶ୍ୟକତା ରହିଛି , ଏହା ଉପରେ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି ।

ଶେଷରେ କରୋନା ମହାମାରୀଠାରୁ ଭୟର ମହାମାରୀ ଅଧିକ ବଢିଛି । ଡରିବା ଅପେକ୍ଷା ଏହାର ମୁକାବିଲା କରିବା ଉପରେ ଗୁରୁତ୍ୱ ଦେବା ଉଚିତ୍ । ଦ୍ୱିତୀୟ ଲହର ଏତେ ସାଂଘାତିକ ହେବ କେହି କେବେ କଳ୍ପନା କରିନଥିଲେ । କିନ୍ତୁ ଦ୍ୱିତୀୟ ଲହରର ପ୍ରଭାବ ତୃତୀୟ ଲହର ପାଇଁ ଭୟଭୀତ କରୁଛି । ହେଲେ ଏଥିରେ ଭୟଭୀତ ହେବାର ଆବଶ୍ୟକତା ନାହିଁ । ଚିକିତ୍ସାକୁ ଗୁରୁତ୍ୱ ଦେବା ସହ କଟକଣା ମାନିଲେ କରୋନାକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି ସେ କହିଛନ୍ତି ।