ପ୍ରଭାବଶାଳୀ ଲୋକଙ୍କ କବଜାରେ ରହି ଯାଉଛି କି ହସ୍ପିଟାଲ ବେଡ୍ । ବିଶେଷଜ୍ଞ ଡାକ୍ତର କହିଲେ, ହସ୍ପିଟାଲରେ ପକାନଯାଉ ଅଯଥା ଚାପ, ଗୁରୁତର ରୋଗୀଙ୍କର ହେଉ ହସ୍ପିଟାଲରେ ଚିକିତ୍ସା ।

କରୋନାର ସଫଳ ମୁକାବିଲା ପାଇଁ ଘରୋଇ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଲେ ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର

165

କନକ ବ୍ୟୁରୋ: କରୋନାର ଦ୍ୱିତୀୟ ଲହରରେ ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବା ବେଳେ କିପରି ଏହାକୁ ନିୟନ୍ତ୍ରଣକୁ କରାଯିବ, ଏ ନେଇ ପରାମର୍ଶ ଦେଇଛନ୍ତି ଖ୍ୟାତନାମା ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି, ନୂଆ ପ୍ରଜାତିର ଭୂତାଣୁ ଅଧିଳ ସଂକ୍ରମକ, ହେଲେ ସମସ୍ତଙ୍କୁ ଡାକ୍ତରଖାନା ଯିବା ଆବଶ୍ୟକ ନାହିଁ । ଭୟଭୀତ ହୋଇ ଲୋକ ହସପିଟାଲ୍କୁ ଆସୁଥିବାରୁ ହସପିଟାଲ ଉପରେ ଚାପ ବଢୁଛି ଏବଂ ଏହା ବିଭ୍ରାଟ ସୃଷ୍ଟି କରୁଛି । ଏଥିପାଇଁ କର୍ପୋରେଟ୍ ଲବି, ଅତ୍ୟଧିକ ଭୟକୁ ସେ ଦାୟୀ କରିଛନ୍ତି ।

  • କିପରି କରିହେବ କରୋନାର ସଫଳ ମୁକାବିଲା?
  • ଘରୋଇ ସଙ୍ଗରୋଧ ଉପରେ ଗୁରୁତ୍ୱ ଦେଲେ ବରିଷ୍ଠ ଡାକ୍ତର
  • ହସ୍ପିଟାଲରେ ଅଯଥା ଚାପ ସୃଷ୍ଟି ନକରିବାକୁ ପରାମର୍ଶ
  • କେବଳ ଗୁରୁତର ରୋଗୀଙ୍କର ହେଉ ହସ୍ପିଟାଲରେ ଚିକିତ୍ସା

ଅତ୍ୟଧିକ ଭୟ ଓ କର୍ପୋରେଟ୍ ଚାପ ଯୋଗୁଁ ହସ୍ପିଟାଲ ବେଡ୍ ଭର୍ତି ହୋଇଯାଉଛି ବୋଲି କହିଛନ୍ତି ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର । ଫଳରେ ଯେଉଁମାନେ ପ୍ରକୃତରେ ଡାକ୍ତରଖାନାରେ ଚିକିତ୍ସିତ ହେବା କଥା ସେମାନେ ବେଡ୍ ପାଉନାହାନ୍ତି, ଚିକିତ୍ସା ନପାଇ ମୃତ୍ୟୁବରଣ କରୁଛନ୍ତି । ଘରୋଇ ସଙ୍ଗରୋଧରେ ରହୁଥିବା ରୋଗୀଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେଲେ ପରିସ୍ଥିତିକୁ ନିୟନ୍ତ୍ରଣ କରିହେବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ଉନ୍ନତମାନର ଚିକିତ୍ସା ଉପରେ ଗୁରୁତ୍ୱ ଦେଇ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଅକ୍ସିଜେନ୍ ସ୍ତର ଟିକେ କମିଲେ ଲୋକେ ହସପିଟାଲକୁ ପଳାଉଛନ୍ତି । ଗଣମାଧ୍ୟମରେ ଖବର ଦେଖି ଲୋକ ଅଧିକ ଭୟଭୀତ ହେଉଛନ୍ତି । ସଟଡାଉନ ଓ ଲକଡାଉନ ସମାଧାନର ବାଟ ନୁହେଁ, ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ଡାକ୍ତର ପୂର୍ଣ୍ଣ ମହାପାତ୍ର । ତାଙ୍କ ମତରେ …

  • ସଟଡାଉନ୍ ଓ ଲକଡାଉନ୍ ସମାଧାନର ବାଟ ନୁହେଁ
  • ଟିକା ନେବା ପାଇଁ ଭୟଭୀତ ହେବାର କାରଣ ନାହିଁ
  • ଆରଏନଏ ଭାଇରସ୍ ସବୁବେଳେ ରୂପ ବଦଳାଏ
  • ଟିକା ମଧ୍ୟ ଭୂତାଣୁର ପ୍ରଜାତି ଅନୁସାରେ ଅପଗ୍ରେଡ ହେବ
  • ସମସ୍ତେ ମାସ୍କ ବ୍ୟବହାର କରିବା ଉଚିତ
  • ମାସ୍କ ହେଉଛି ସୋସିଆଲ ଭ୍ୟାକ୍ସିନ୍

ସରକାରଙ୍କ ଗାଇଡଲାଇନ୍ ମାନିବା ସହ ଅଯଥାରେ ଭିଡ଼ ଭିତରକୁ ନଯିବାକୁ ପରାମର୍ଶ ଦେଇଛନ୍ତି ବରିଷ୍ଠ ଡାକ୍ତର ପୂର୍ଣ୍ଣ ମହାପାତ୍ର ।