ପରିବାର ସହ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲେ ଡାକ୍ତର କାଫିଲ ଖାନ । ଜେଲରୁ ମୁକୁଳିବା ପରେ କାଫିଲ ଓ ତାଙ୍କ ପରିବାର ସହ ଫୋନ ଯୋଗେ କଥା ହୋଇଥିଲେ ପ୍ରିୟଙ୍କା  

415

କନକ ବ୍ୟୁରୋ : ଜେଲରୁ ବାହାରିବା ପରେ ଆଜି ଦିଲ୍ଲୀରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଛନ୍ତି ଡାକ୍ତର କାଫିଲ ଖାନ । ଡାକ୍ତର କାଫିଲଙ୍କ ସହ ତାଙ୍କ ସ୍ତ୍ରୀ ଓ ପିଲା ବି ଥିଲେ । ଏହି ଭେଟଘାଟ ସମୟରେ ଉତ୍ତରପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ ଓ କଂଗ୍ରେସର ପଛୁଆ ବର୍ଗ ଚେୟାରମ୍ୟାନ ଶାହାନବାଜ ଆଲାମ ବି ଉପସ୍ଥିତ ଥିଲେ ।

କାଫିଲଙ୍କୁ ଜେଲରୁ ମୁୂକୁଳାଇବାକୁ ଉତ୍ତରପ୍ରଦେଶ କଂଗ୍ରେସ ଏକ ବଡ ଅଭିଯାନ ଚଳାଇଥିଲା । ପୁରା ରାଜ୍ୟରେ ଦସ୍ତଖତ ଅଭିଯାନ, ବିରୋଧ ପ୍ରଦର୍ଶନ ଓ ଚିଠିଲେଖି ଡାକ୍ତର କାଫିଲଙ୍କୁ ମୁକ୍ତ କରିବାକୁ ଆୱାଜ ଉଠାଇଥିଲା । ଡାକ୍ତର କାଫିଲ ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଇଥିବା ମାମଲାରେ ରାଷ୍ଟ୍ରୀୟ ସୁରକ୍ଷା କାନୁନ ବଳରେ ତାଙ୍କୁ ଗିରଫ୍ କରାଯାଇଥିଲା ଓ ଏହାର ୮ ମାସ ପରେ ତାଙ୍କୁ ଜେଲରୁ ମୁକ୍ତ କରାଯାଇଥିଲା । ସେ ଜେଲରୁ ବାହାରିବା ପରେ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଥିଲା ।

ହେଲେ ମୁକ୍ତହେବାର କିଛି ଦିନ ପରେ ସେ ଏଭଳି ଅନୁମାନକୁ ମିଛ କହିବା ସହ ସେ ଡାକ୍ତର ଓ ଡାକ୍ତର ହୋଇ ରହିବାକୁ ଚାହୁଁଛନ୍ତି ବୋଲି କହିଥିଲେ । ସେ କଂଗ୍ରେସ କି ଅନ୍ୟ କୌଣସି ଦଳରେ ଯୋଗ ଦେବାକୁ ଚିନ୍ତା କରିନାହାନ୍ତି ବୋଲି ମତ ଦେଇଥିଲେ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତରପ୍ରଦେଶ ସରକାର ଦ୍ୱାରା ତାଙ୍କୁ ପୁଣି ଅନ୍ୟ କୌଣସି ମାମଲାରେ ଛନ୍ଦି ଦେବା ଅନୁମାନକରି ମାନବିକତା ଦୃଷ୍ଟିରୁ ସେ ମୋତେ ସାହାଯ୍ୟ କରିଥିଲେ । ଏହାର ଅର୍ଥ ନୁହେଁ ଯେ ମୁଁ କଂଗ୍ରେସରେ ଯୋଗ ଦେବାକୁ ଯାଉଛି ।

ଏହି ଭେଟଘାଟ ପରେ ଡାକ୍ତର କାଫିଲ ଖାନ କହିଛନ୍ତି କି ଆଜିର ଭେଟରେ ପ୍ରିୟଙ୍କା ଗାନ୍ଧୀ ଓ ମୋ ଭିତରେ କୌଣସି ରାଜନୈତିକ କଥାବାର୍ତ୍ତା ହୋଇନାହିଁ । ଏହା ସହ ରାଜନୀତି ବାବଦରେ ପ୍ରିୟଙ୍କା ବି ମୋତେ କୌଣସି ଇସାରା ଦେଇ ନାହାନ୍ତି । ସେ ଆହୁରି କହିଛନ୍ତି କି ୧ ସେପ୍ଟେମ୍ବରରେ ଆହ୍ଲାବାଦ ହାଇକୋର୍ଟ ମୋତେ ଦୋଷମୁକ୍ତ କରିଥିବା ବେଳେ ଜେଲରୁ ବାହାରକରିବାକୁ ଡେରି କରାଯାଇଥିଲା ।

ଏନେଇ ମୋର ଭାବନା ଥିଲା କି ଉତ୍ତରପ୍ରଦେଶ ସରକାର ଅନ୍ୟକିଛି ମାମଲାରେ ମୋତେ ଛନ୍ଦି ଜେଲରେ ରଖିବାକୁ ଚାହୁଁଛନ୍ତି । ରାଜସ୍ଥାନରେ କଂଗ୍ରେସର ସରକାର ଅଛି ଆଉ ମୁଁ ମଥୁରାରେ ରହୁଛି । ମଥୁରାରୁ ଭରତପୁର ମାତ୍ର ୨୦ ମିନିଟର ରାସ୍ତା । ଏଭଳି ସ୍ଥଳେ ପ୍ରିୟଙ୍କା ମୋତେ ଭରତପୁର ଆସିବାକୁ କହିଥିଲେ । ତାଙ୍କ କଥା ରକ୍ଷାକରି ଆଜି ମୁଁ ଓ ମୋର ପରିବାର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଭେଟିଲୁ । ଏହାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ।