ସେବା କରି ବି ବଦନାମ ହୋଇଥିଲେ ଡାକ୍ତର । ଦୋଷ ନଥାଇ ଶିଶୁରୋଗ ବିଶେଷଜ୍ଞ କାଫିଲ ଖାନଙ୍କୁ ହତ୍ୟାକାରୀ ସଜାଇ ଦେଇଥିଲେ ଯୋଗୀ ସରକାର । ତଦନ୍ତ ପରେ ସାମ୍ନାକୁ ଆସିଲା ସତ

ଅମ୍ଳଜାନ ଅଭାବରୁ ହୋଇଥିଲା ଶିଶୁ ମଡକ

470

କନକ ବ୍ୟୁରୋ: ଡାକ୍ତର ଓ ରୋଗୀଙ୍କ ମଧ୍ୟରେ ମଧ୍ୟସ୍ଥତା କରୁଥିବା ଦଲାଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଜୋରଦାର କରିଛି ପୋଲିସ । ଆଉ ଏହାରି ଭିତରେ ଜଣେ ଡାକ୍ତରଙ୍କୁ ନେଇ ଆସିଛି ବଡ ଖବର । ଅବଶ୍ୟ ଖବରଟି ଉତ୍ତର ପ୍ରଦେଶରୁ । କିନ୍ତୁ ଅତି ସମ୍ବେଦନଶୀଳ ।

ଏହି ଚିତ୍ର ଗୋରଖପୁର ବିଆରଡି ମେଡିକାଲ କଲେଜର ଚିତ୍ର । ୨୦୧୭ରେ ଏହି ହସ୍ପିଟାଲ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଦୁଇ ଦିନରେ ୬୦ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ଅମ୍ଳଜାନ ଅଭାବରୁ ଏତେ ସଂଖ୍ୟାରେ ଶିଶୁଙ୍କ ମୃତ୍ୟୁ ପରେ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଥିଲା । ଆଉ ହସ୍ପିଟାଲର ଡାକ୍ତର କାଫିଲ ଖାନଙ୍କ ଉପରେ ଅଙ୍ଗୁଳି ଉଠିଲା । ତୀବ୍ର ହେଉଥିବା ଜନ ଅସନ୍ତୋଷକୁ ଦେଖି ଡାକ୍ତର ଖାନଙ୍କୁ କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବନ କଲେ ଉତ୍ତର ପ୍ରଦେଶ ସରକାର । ଏପରିକି ୨ ସେପ୍ଟେମ୍ବର ୨୦୧୭ରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଗଲା । ପ୍ରାୟ ୮ ମାସ ଜେଲରେ ରହିବା ପରେ ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । ହେଲେ ରୋଚକ ହେଉଛି, ୨ ବର୍ଷ ପରେ ଡାକ୍ତର କାଫିଲ ଖାନଙ୍କୁ କ୍ଲିନଚିଟ୍ ଦେଇଛନ୍ତି ସେହି ୟୁପି ସରକାରଙ୍କ ତଦନ୍ତ କମିଟି ।

ଯେଉଁ ଯୋଗୀ ସରକାର ଡାକ୍ତର ଖାନଙ୍କୁ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟରୁ ନିଲମ୍ବନ କରିଥିଲେ ସେହି ବିଜେପି ସରକାରଙ୍କ ଦ୍ୱାରା ନିଯୁକ୍ତ ତଦନ୍ତ କମିଟି ରିପୋର୍ଟରେ କୁହାଯାଇଛି – ଚିକିତ୍ସାରେ ଅବହେଳା ପାଇଁ ତାଙ୍କୁ ଦୋଷୀ କରାଯାଇ ପାରିବନି ସେତେବେଳେ ସେ ଏନସେଫାଲାଇଟିସି ୧୦୦ ନମ୍ବର ଓକ୍ୱାର୍ଡର ଦାୟିତ୍ୱରେ ନଥିଲେ ହସ୍ପିଟାଲକୁ ଅମ୍ଳଜାନ ଯୋଗାଣରେ ସେ କୌଣସି ଅନିୟମିତତା କିମ୍ବା ଦୁର୍ନୀତି କରିନାହାନ୍ତି । ହସ୍ପିଟାଲ ବାହାରେ ଘରୋଇ ଚିକିତ୍ସା ନେଇ ତାଙ୍କ ନାଁରେ ଯେଉଁ ଅଭିଯୋଗ ଆସିଛି ତାହା ଭିତ୍ତିହୀନ, କାରଣ ଅଗଷ୍ଟ ୨୦୧୬ରୁ ସେ ଘରୋଇ ଚିକିତ୍ସା ବନ୍ଦ କରିଦେଇଥିଲେ ।

 

ଡାକ୍ତର କାଫିଲଙ୍କୁ ସରକାରୀ କମିଟିର କ୍ଲିନଚିଟ ପରେ ସୋସିଆଲ ମିଡିଆରେ ତାଙ୍କୁ ଜୋରଦାର ପ୍ରଶଂସା କରାଯାଇଛି । ଏପରିକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିବାରୁ ଯୋଗୀ ସରକାର କ୍ଷମା ମାଗନ୍ତୁ ବୋଲି ଦାବି କରାଯାଇଛି । ଆହୁରି ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ହସ୍ପିଟାଲରେ ଶିଶୁଙ୍କ ମୃତ୍ୟୁ ପାଇଁ ଅକ୍ସିଜେନ୍ ଅଭାବକୁ ଦାୟୀ କରାଯାଇଥିଲା । ଏ ବାବଦରେ ଜାଣିସୁଦ୍ଧା ଡାକ୍ତର ଖାନ୍ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଜଣାଇନଥିବା ଅଭିଯୋଗ ଥିଲା । ହେଲେ ତଦନ୍ତ କମିଟି କହିଛି ଏ ବାବଦରେ ସେ ଉଚ୍ଚ କର୍ତୃପକ୍ଷଙ୍କୁ ଜଣାଇଥିଲେ । ଏପରିକି ନିଜ ପକେଟରୁ ପଇସା ଖର୍ଚ୍ଚ କରି ହସ୍ପିଟାଲରେ ୪ଟି ଅକ୍ସିଜେନ ସିଲିଣ୍ଡର ଲଗାଇଥିଲେ ।