କନକ ବ୍ୟୁରୋ : ବିଜେପିର ବଡ ଚେହେରା, କେନ୍ଦ୍ରର ପୂର୍ବତନ ମନ୍ତ୍ରୀ ତଥା ଦିଲ୍ଲୀ ବିଜେପିର ମୁଖ୍ୟମନ୍ତ୍ରୀ ଚେହେରା ଡ,ହର୍ଷବର୍ଦ୍ଧନଙ୍କୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ଟିକେଟ ଦେଇନାହିଁ । କେବଳ ହର୍ଷବର୍ଦ୍ଧନ ନୁହଁନ୍ତି ତାଙ୍କ ଭଳି ଅନେକ ବରିଷ୍ଠ ନେତାଙ୍କ ଟିକେଟ କାଟିଛି ବିଜେପି । ହେଲେ ଟିକେଟ କଟିବା ପରେ ଡ. ହର୍ଷବର୍ଦ୍ଧନ ବଡ଼ ନିଷ୍ପତ୍ତି ନେବା କ୍ରମରେ ରାଜନୀତିରୁ ସନ୍ୟାସ ନେଉଥିବା ମଧ୍ୟ ଘୋଷଣା କରିଛନ୍ତି । ଏନେଇ ସେ ଟ୍ୱିଟର (ଏକ୍ସ)ରେ ଏକ ଲମ୍ବା ପୋଷ୍ଟ କରିଛନ୍ତି ।

ସେ ତାଙ୍କ ଟ୍ୱିଟର ଆକାଉଣ୍ଟରେ କରିଥିବା ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି କି, ଦୀର୍ଘ ୩୦ ବର୍ଷର ନିର୍ବାଚନୀ କ୍ୟାରିଅର ମଧ୍ୟରେ ୫ଥର ବିଧାନସଭା ଓ ୨ ଥର ଲୋକସଭା ନିର୍ବାଚନ ଲଢିବାର ସୁଯୋଗ ପାଇଛନ୍ତି । ସମସ୍ତ ନିର୍ବାଚନରେ ସେ ବହୁ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହା ସହ ପାର୍ଟି ସଂଗଠନ ଓ କେନ୍ଦ୍ର ସରକାରରେ ବଡ ବଡ ପଦବୀରେ ରହି ଦାୟୀତ୍ୱ ନିର୍ବାହ କରିଛନ୍ତି । ଏଣୁ ଏବେ ରାଜନୀତି ନୁହେଁ ବରଂ ନିଜର ବ୍ୟକ୍ତିଗତ ପେଶାକୁ ଯିବାକୁ ଚାହୁଁଛନ୍ତି । ଏହି କ୍ରମରେ ସେ କହିଛନ୍ତି କି, ତାଙ୍କର କୃଷ୍ଣାନଗରରେ ଥିବା କ୍ଲିନିକ୍ ତାଙ୍କୁ ଅପେକ୍ଷା କରିଛି ।