ଶ୍ରୀଜିଉଙ୍କ ଅଣସରକୁ କରୋନା କ୍ୱାରେଂଟିନ୍ ସହ ତୁଳନା କଲେ ଡାକ୍ତର ଗୋପାଳ ନନ୍ଦ । କହିଲେ ଜ୍ୱର ହେବା ପରେ ଏକାନ୍ତବାସରେ ଅଛନ୍ତି ଜଗନ୍ନାଥ

155

କନକ ବ୍ୟୁରୋ: ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରିବା ପରେ ଶ୍ରୀଜିଉଙ୍କୁ ହୋଇଛି ଜର । ପରମ୍ପରା ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଜିଠାରୁ ଆରମ୍ଭ ହୋଇଛି ୧୪ ଦିନିଆ ଅନବସର । ଏକାନ୍ତବାସରେ ରହି ଚେରମୂଳି ଔଷଧିରେ ଉପଚାର ପରେ ଧିରେ ଧିରେ ସୁସ୍ଥ ହେବେ ବଡ଼ ଠାକୁର । କାହିଁ କେଉଁ କାଳରୁ ଶ୍ରୀଜଗନ୍ନାଥ ସଂସ୍କୃତି ସହ ଏହି ପରମ୍ପରା ଯୋଡ଼ି ହୋଇ ରହିଛି । ଅଣସର ସମୟରେ ଠାକରଙ୍କ ସାଧାରଣ ଦର୍ଶନ ମନା ।

ଗୁପ୍ତ ସେବାରେ କେବଳ ନିୟୋଜିତ ରୁହନ୍ତି ଦଇତାପତି ସେବାୟତ । ଏବେ କରୋନା କାଳରେ ମହାପ୍ରଭୁଙ୍କ ଏହି ମାନବୀୟ ଲିଳାକୁ ୧୪ ଦିନିଆ କ୍ୱାରେଂଟିନ୍ ସହ ଯୋଡ଼ି ଦେଖାଯାଉଛି । ଆୟୁର୍ବେଦ ଚିକିତ୍ସକ ଡାକ୍ତର ଗୋପାଳ ନନ୍ଦ କହିଛନ୍ତି ଏବେ ବର୍ଷା ଦିନ । ଏହି ସମୟରେ ଜ୍ୱର ଥଣ୍ଡା କାଶ ଭଳି ବିଭିନ୍ନ ସଂକ୍ରାମକ ରୋଗ ଦେଖାଦିଏ । ତେଣୁ ଆୟୁର୍ବେଦରେ ଏକାନ୍ତବାସ ପାଇଁ ପରାମର୍ଶ ଦିଆଯାଇଛି ।

କରୋନା ମଧ୍ୟ ଏକ ସଂକ୍ରାମକ ରୋଗ ହୋଇଥିବାରୁ ଆକ୍ରାନ୍ତଙ୍କୁ ୧୪ ଦିନିଆ କ୍ୱାରେଂଟିନ୍ ବା ଏକାନ୍ତବାସ ପାଇଁ ଡାକ୍ତର ପରାମର୍ଶ ଦେଉଛନ୍ତି । କୁହାଯାଉଛି ସାଧାରଣ ମଣିଷ ପରି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତି ପାଳିତ ହେଉଥିବାରୁ କାହିଁ କେଉଁ କାଳରୁ ଏହି ୧୪ ଦିନିଆ ଏକାନ୍ତବାସର ବିଧି ରହି ଆସିଅଛି । ଯେଉଁଠି ବଡ଼ ଠାକୁରଙ୍କୁ ସୁସ୍ଥ କରିବା ପାଇଁ ଦଶମୂଳ ମୋଦକ ଓ ପାଚନ ଦିଆଯାଉଛି ।