ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲା କୁମାର – ସାମ୍ନାରେ ରହିବ ଏହି ସବୁ ଚ୍ୟାଲେଞ୍ଜ

510

କନକ ବ୍ୟୁରୋ : କଂଗ୍ରେସରେ ହୋଇଛି ନବକଳେବର । କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଦଳରେ ବଡ ଧରଣର ପରିବର୍ତ୍ତନ କରିଛନ୍ତି । ଏହାସହ ରାଜ୍ୟ କଂଗ୍ରେସ ନୂଆ ପ୍ରଭାରୀ ଦାୟିତ୍ୱ ପାଇଛନ୍ତି ଚେଲ୍ଲା କୁମାର । ପୂର୍ବରୁ ରାଜ୍ୟ ପ୍ରଭାରୀ ଦାୟିତ୍ୱରେ ରହିଥିଲେ ଜିତେନ୍ଦ୍ର ସିଂ । ବର୍ତ୍ତମାନ ଚେଲ୍ଲା କୁମାର କଂଗ୍ରେସର ପ୍ରଭାରୀ ଦାୟିତ୍ୱ ପାଇବା ପରେ ତାଙ୍କ ଆଗରେ ଅନେକ ଗୁଡିଏ ଚ୍ୟାଲେଞ୍ଜ ରହିବ ବୋଲି ଆଲୋଚନା କରାଯାଉଛି ।

ଚେଲ୍ଲା କୁମାର ପ୍ରଭାରୀ ଦାୟିତ୍ୱ ପାଇବା ପରେ ଅନେକ ପ୍ରଶ୍ନ ସାମ୍ନାକୁ ଆସୁଛି । କଂଗ୍ରେସର ନୂଆ ପ୍ରଭାରୀ କ’ଣ ଦଳର ଭାଗ୍ୟ ପରିବର୍ତ୍ତନ କରିବାରେ ସଫଳ ହେବେ? ଦଳର ଅସ୍ତିତ୍ୱକୁ ନେଇ ବାରମ୍ବାର ଯେଉଁ ପ୍ରଶ୍ନ ଉଠୁଛି ତାକୁ କିପରି ସୁଦୃଢ କରିବେ ଚେଲ୍ଲା କୁମାର । ଏହାସହ ତାଙ୍କ ସାମ୍ନାରେ ବର୍ତ୍ତମାନ ବଡ ଚ୍ୟାଲେଞ୍ଜ ହେଉଛି ବାଲେଶ୍ୱର ସଦର ଓ ତିର୍ତ୍ତୋଲ ଉପନିର୍ବାଚନ । ଯେଉଁଠି ୨୦୧୯ ନିର୍ବାଚନରେ କଂଗ୍ରେସ ପରାସ୍ତ ହୋଇଥିଲା । ତେବେ କ’ଣ ନୂଆ ପ୍ରଭାରୀ ଏହି ଦୁଇଟି ସ୍ଥାନରେ କଂଗ୍ରେସକୁ ବିଜୟୀ କରିବାରେ ସଫଳ ହେବେ?

ବିଧାନସଭା ନିର୍ବାଚନରେ ବାଲେଶ୍ୱରରେ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କଠାରୁ ୧୩, ୪୦୬ ଭୋଟରେ ପରାସ୍ତ ହୋଇଥିଲେ ବିଜେଡିର ଜୀବନ ପ୍ରଦୀପ ଦାସ । ତେବେ ଏଠାରେ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା । କଂଗ୍ରେସର ମାନସ ରଞ୍ଜନ ଦାସ ପଟ୍ଟନାୟକ ମୋଟ ୧୯, ୭୦୪ ଭୋଟ୍ ପାଇଥିଲେ । ବର୍ତ୍ତମାନ ବାଲେଶ୍ୱରରେ ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଏବେ ସେଠାରେ ଉପ-ନିର୍ବାଚନ ହେବ ।

ସେହିପରି ତିର୍ତ୍ତୋଲରେ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଛି । ତିର୍ତ୍ତୋଲରେ ବିଜେଡିର ବିଷ୍ଣୁ ଚରଣ ଦାସ ୯୩, ୯୬୭ ଭୋଟରେ ବିଜେପିର ରମାକାନ୍ତ ଭୋଇଙ୍କଠାରୁ ବିଜୟୀ ହୋଇଥିଲେ । ଏଠାରେ ମଧ୍ୟ କଂଗ୍ରେସ ତୃତୀୟ ସ୍ଥାନରେ ରହିଥିଲା । କଂଗ୍ରେସର ଦେବୀ ପ୍ରସାଦ ମଲ୍ଲିକ ମାତ୍ର ୨୩, ୮୦୯ ଭୋଟ ପାଇଥିଲେ । ତେବେ ଏଠାରେ ଉପ-ନିର୍ବାଚନରେ କଂଗ୍ରେସକୁ ବହୁତ ପରିଶ୍ରମ କରିବାକୁ ପଡିବ । ତେବେ ନୂଆ ପ୍ରଭାରୀ ଚେଲ୍ଲା କୁମାରଙ୍କ ଆଗରେ ଏହି ଦୁଇଟି ସ୍ଥାନ ଚ୍ୟାଲେଞ୍ଜ ରହିବ । ଚେଲ୍ଲା କୁମାର ଏହି ଦୁଇଟି ସ୍ଥାନରେ କଂଗ୍ରେସକୁ ବିଜୟୀ କରିବା ପାଇଁ କେଉଁ ସବୁ ରଣନୀତି ଆପଣାଉଛନ୍ତି ତାହା ଉପ-ନିର୍ବାଚନ ସମୟରେ ଜଣା ପଡିବ ।

ଏହା ବ୍ୟତୀତ ନୂଆ ପ୍ରଭାରୀଙ୍କ ସାମ୍ନାରେ ଅନେକ ଆହ୍ୱାନ ମଧ୍ୟ ରହିବ । ଅନେକ ସମୟରେ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି । ତେବେ କିଭଳି ଚେଲ୍ଲା କୁମାର ଦଳକୁ ସୁଦୃଢ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ ।

ଅନ୍ୟପକ୍ଷରେ ରାଜ୍ୟରେ କଂଗ୍ରେସର ସ୍ଥିତି ଚିନ୍ତାଜନକ ରହିଛି । ଗୋଟିଏ ପଟେ ଦଳ ତା’ର ଅସ୍ତିତ୍ୱ ହରାଇ ବସିଥିବା ବେଳେ ଅନ୍ୟପଟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ଦଳୀୟ କର୍ମୀଙ୍କ ବିରୋଧ ଚର୍ଚାରେ ରହିଆସିଛି । ଏହାସହ କଂଗ୍ରେସ ଭବନରେ ଛାତ୍ର କଂଗ୍ରେସ ମଧ୍ୟରେ ଗଣ୍ଡଗୋଳ ଦଳର ବିବାଦକୁ ପଦାରେ ପକାଇଛିା ଏହି ସବୁ ଘଟଣା ପରେ ଲୋକମାନେ ଦଳ ପ୍ରତି ଆସ୍ଥା ହରାଇ ସାରିଛନ୍ତି । ଏତେ ସବୁ ପରେ ନୂଆ ପ୍ରଭାରୀ ଚେଲ୍ଲା କୁମାର କିଭଳି ଦଳକୁ ଏକତ୍ରୀତ କରୁଛନ୍ତି ଓ ଦଳକୁ ସୁଦୃଢ କରିବାରେ କିଭଳି ରଣନୀତି କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ ।