କ୍ୟାପିଟାଲ ହସ୍ପିଟାଲରେ ଆଜି ପ୍ରଥମେ ଟିକା ନେଲେ ଗୁରୁପ୍ରସାଦ ଶତପଥୀ: ହସ୍ପିଟାଲ ଆଇସିୟୁରେ ଡ଼୍ରେସର ଭାବେ କରନ୍ତି କାମ

ସେପଟେ, ରାଜ୍ୟରେ ଟିକାଦାନର ଦ୍ୱିତୀୟ ଦିନରେ ୩୧ହଜାର ୯୦୨ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ । ଆଜିଠୁ ୨୫ତାରିଖ ମଧ୍ୟରେ ଲକ୍ଷେ ୭୮ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଭ୍ୟାକ୍ସିନ୍

122

କନକ ବ୍ୟୁରୋ: ରବିବାର ଦିନ ଟିକାକରଣ ବନ୍ଦ ରହିଥିବା ବେଳେ ଆଜିଠୁ ପୁଣି ଟିକାକରଣ ଚାଲିଛି । ଟକାଦାନର ଦ୍ୱିତୀୟ ଦିନରେ କ୍ୟାପିଟାଲ ହସ୍ପିଟାଲରେ ପ୍ରଥମ ବ୍ୟକ୍ତି ଗୁରୁପ୍ରସାଦ ଶତପଥୀ ଆଜି ଟିକା ନେଇଛନ୍ତି । ତେବେ କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁ ଡ୍ରେସର ଭାବେ କାମ କରନ୍ତି ଗୁରୁପ୍ରସାଦ । ଆଜି କ୍ୟାପିଟାଲ ହସ୍ପିଟାଲରେ  ୨୦୦ରୁ ୩୦୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି । ଟିକାକରଣର ପ୍ରଥମ ଦିନରେ ୧୫୬ ଜଣ ଟିକା ନେଇଥିଲେ । ସେମାନଙ୍କ ପାଖରେ କିଛି ପାଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳି ନାହିଁ । କ୍ୟାପିଟାଲ ହସ୍ପିଟାଲକୁ କୋଭାକ୍ସିନର ୧୦ ହଜାର ଡୋଜ୍ ଆସିଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି ।

ସେପଟେ ରାଜ୍ୟରେ ଦ୍ୱିତୀୟ ଦିନରେ ୩୮୦ ସେସନ ମାଧ୍ୟମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଆଜିଠୁ ୨୫ ତାରିଖ ପର୍ଯ୍ୟନ୍ତ ୧୬ଶହ ୯୮ଟି ସେସନରେ ୧ ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯିବ । ପୂର୍ବରୁ ୧୩ହଜାର ୮୯୦ ଲୋକଙ୍କୁ ଟିକାକରଣ କରାଯାଇଥିଲା । ତେବେ କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରଣ ହୋଇସାରିଛି । ୧୯ ତାରିଖରେ ୧୯୨ଟି ସେସନରେ ହେବ ଟିକାକରଣ ।

୨୦ ତାରିଖରେ ୯୨ଟି ସେସନରେ ହେବ ଟିକାକରଣ । ୨୧ ତାରିଖରେ ୪୩୬ଟି ସେସନରେ ହେବ ଟିକାକରଣ । ୨୨ ତାରିଖରେ ୧୪୧ଟି ସେସନରେ ହେବ ଟିକାକରଣ । ୨୩ ତାରିଖରେ ୧୭୮ଟି ସେସନରେ ହେବ ଟିକାକରଣ । ୨୫ ତାରିଖରେ ୨୭୯ଟି ସେସନରେ ହେବ ଟିକାକରଣ । ଯେଉଁମାନେ ଯେଉଁଦିନ ଟିକା ନେଇଥିବେ ତାର ୨୮ ଦିନ ପରେ ସେକେଣ୍ଡ ଡ଼ୋଜ ନେବେ ।  ସେଥିପାଇଁ ପର୍ଯ୍ୟାପ୍ତ ଟିକା ରହିଛି । ସେହି ସମୟର ଦୁଇଦିନ ପୂର୍ବରୁ ଏସଏମଏସ ଦ୍ୱାରା ଅବଗତ କରାଯିବ ।