ପାର୍ବଣ ପାଇଁ ଆସିବ ଗାଇଡଲାଇନ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଲେ କେରଳ ସ୍ଥିତିକୁ ଦେଖି ସର୍ତକ ଅଛନ୍ତି ସରକାର

346

କନକ ବ୍ୟୁରୋ : ପାର୍ବଣ ଋତୁ ପାଇଁ ଆସିବ ନୂଆ ଗାଇଡଲାଇନ । ଯଦିଓ ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର । ସେ କହିଛନ୍ତି କେରଳରେ ବହୁଦିନ ହେବ ସଂକ୍ରମଣ ହାର ଅଧିକ ରହିଛି । ଜାତୀୟ ସ୍ତରରେ ଯେତିକି ସଂକ୍ରମଣ ବୃଦ୍ଧି ପାଉଛି ସେଥିରେ କେରଳରେ ଅଧିକ ରହୁଛି । ତାକୁ ତୃତୀୟ ଲହର ବୋଲି ମଧ୍ୟ କହିପାରିବା । ଓନମ ପର୍ବ ଯୋଗୁ କେରଳରେ ସଂକ୍ରମଣ ବୃଦ୍ଧି ପାଇଛି ।

ତେଣୁ ସେଥିରୁ କିଛି ଶିଖିବା ଦରକାର । ପାର୍ବଣ ଋତୁରେ କୋଭିଡ ଗାଇଡଲାଇନ ମାନି ଚଳିବା ଆବଶ୍ୟକ । ରାଜ୍ୟରେ ଯେପରି ସଂକ୍ରମଣ ନିୟନ୍ତ୍ରଣରେ ରହିବ, ରୋଗୀ ଗୁରୁତର ନ ହେବେ, ସେଥିପାଇଁ ସର୍ଭିଲାନ୍ସ ଜାରି ରଖିିଥିବା କହିଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ । ମନିଟରିଂ ମଧ୍ୟ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣ ପାଇଁ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି । ସବୁ ତଥ୍ୟକୁ ଆଧାର କରି ସେପ୍ଟେମ୍ବର ମାସରେ ନୂଆ କୋଭିଡ ଗାଇଡଲାଇନ ଆସିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ।