ଓଡିଆ ଆଇଏଏସ ଅଧିକାରୀ ଡକ୍ଟର ଗୁରୁପ୍ରସାଦ ମହାପାତ୍ରଙ୍କ ନିଧନ : ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ପରଲୋକ, ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ଶୋକ

501

କନକ ବ୍ୟୁରୋ : କରୋନା ଆମ ଗହଣରୁ ଅନେକ ସମର୍ଥ ଲୋକଙ୍କୁ ଛଡାଇ ନେଉଛି । ପ୍ରତିଦିନ ରାତି ପାହିଲା ବେଳକୁ ଏମିତି ଏକାଧିକ ଖବର ଆସୁଛି । ଆଜି ସକାଳୁ ସକାଳୁ ସେମିତି ଜଣେ ଦକ୍ଷ ଓଡିଆ ଆଇଏଏସ ଅଧିକାରୀ ଗୁରୁପ୍ରସାଦ ମହାପାତ୍ରଙ୍କର ନିଧନ ହୋଇଛି । କରୋନା ସଂକ୍ରମିତ ହୋଇ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ସେ ୧୯୮୬ ମସିହାର ଗୁଜୁରାଟ କ୍ୟାଡର ଆଇଏଏସ ଥିଲେ ।

ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପିୟୁଷ ଗୋଏଲ, ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି । ଟ୍ବିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯ଼େ ସ୍ବର୍ଗତଃ ମହାପାତ୍ର ତାଙ୍କ ସହ ଉଭୟ ଗୁଜୁରାଟ ଓ କେନ୍ଦ୍ରରେ କାର୍ୟ୍ୟ କରିଥିଲେ । ନିଜର ପ୍ରଶାସନିକ ଦକ୍ଷତା ଓ ବିଭିନ୍ନ ସମସ୍ୟାର ଅଭିନବ ସମାଧାନ ପାଇଁ ସେ ପରିଚିତ ଥିଲେ । ସେହିପରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲେଖିଛନ୍ତି ଯେ ତାଙ୍କର କର୍ମଭୂମି ଗୁଜୁରାଟ ଥିଲେ ମଧ୍ୟ ଓଡ଼ିଶା ଜଣେ ପ୍ରକୃତ ଯୋଦ୍ଧାଙ୍କୁ ହରାଇଲା ।