ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍: ଚଳିତ ଶିକ୍ଷା ବର୍ଷର ୩ମାସ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକରେ ଆବଶ୍ୟକ ପରିମାଣର ବହି ଉପଲବ୍ଧ ହୋଇନାହିଁ । ବହି ନମିଳିବାରୁ ପୁରୁଣା ବହି ଯୋଗାଡ଼ କରି ଚାଲିଛି ପାଠପଢ଼ା । ଏପରିକି ଗୋଟିଏ ବହିକୁ ତିନିତିନି ଜଣ ପଢ଼ୁଥିବାରୁ ଦେଖିବାକୁ ମିଳିଛି । ଏଭଳି ସାଂଘାତିକ ଅବସ୍ଥା ହେଉଛି ବ୍ରହ୍ମପୁର ଛାତ୍ରଛାତ୍ରୀଙ୍କର । ବାଃ କି ଶିକ୍ଷା ବ୍ୟବସ୍ଥା । ଧନ୍ୟ ଆମ ସର୍ବଶିକ୍ଷା ଅଭିଯାନ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଗୁଆ ସ୍କୁଲ ବନ୍ଦ କରାଯାଇଥିବାରୁ ଏକ୍ସଟ୍ରା କ୍ଲାସ କରାଯାଉଛି । ଅର୍ଦ୍ଧବାର୍ଷିକ ପରୀକ୍ଷାରୁ କୋର୍ସ ସାରିବା ପାଇଁ ସରକାର ନିର୍ଦେଶନାମା ରହିଛି । ମାତ୍ର ଏଯାଏଁ ପିଲାଙ୍କୁ ବହି ମିଳିନି । ଏଭଳି ସଂଗୀନ ଅଭିଯୋଗ ଆସିଛି ବ୍ରହ୍ମପୁରରୁ ।

Advertisment

୨୦୧୬-୧୭ ଶିକ୍ଷା ବର୍ଷ ପାଇଁ କେଉଁ ସ୍କୁଲରେ ଆବ୍ୟଶକୀୟ ପରିମାଣର ବହି ପହଂଚି ପାରିନି । ଫଳରେ ଗୋଟିଏ ଲେଖାଏ ବହିରେ ୩ ଜଣ ଛାତ୍ରଛାତ୍ରୀ ପଢୁଥିବା ଅଭିଯୋଗ ହୋଇଛି । ଏପ୍ରିଲ ମାସରୁ ପାଠପଢ଼ା ଆରମ୍ଭ ହେଲାଣି । ଖରା ଛୁଟି ଆଗରୁ ଯାହା ଅଳ୍ପ କିଛି ବହି ମିଳିଥିଲା । ବାଧ୍ୟ ହୋଇ ଶିକ୍ଷକମାନେ ପୁରୁଣା ବହି ଯୋଗାଡ଼କରି ପିଲାଙ୍କୁ ପଢ଼ାପଢ଼ି ପାଇଁ ଦେଇଛନ୍ତି । ବିନା ବହିରେ ପିଲାଙ୍କୁ କିଭଳି ପାଠ ପଢାଇବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ । ଇଂରାଜୀ ମାଧ୍ୟମ ଛାତ୍ରଛାତ୍ରୀଙ୍କ ସହ ଓଡ଼ିଆ ମାଧ୍ୟମ ପିଲାଙ୍କୁ ସମକକ୍ଷ କରିବା ପାଇଁ ରାଜ୍ୟ ସରକାର ଦେଖାଉଥିବା ଦିବା ସ୍ୱପ୍ନ କେତେ ସତ ଏହି ଘଟଣା ସ୍ପଷ୍ଟ କରୁଛି ।