କନକ ବ୍ୟୁରୋ: ଯୌତୁକ ପାଇଁ ନବବଧୂଙ୍କୁ ହତ୍ୟା ଅଭିଯୋଗ । ବିବାହର ୨୦ଦିନ ନପୁରୁଣୁ ଚାଲିଗଲା ଝିଅର ଜୀବନ । ଝିଅର ଶାଶୁଘର ଲୋକଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତି ବାପ ଘର ଲୋକେ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଗଡରୋମିତ ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଗତ ୧୧ ମାର୍ଚ୍ଚରେ ଏହି ବିବାହ ହୋଇଥିଲା । ଜଗତସିଂହପୁର କୁଜଙ୍ଗ ଥାନା ବାମଦେଇପୁର ଗାଁର ଅଜୟ ମହାପାତ୍ରଙ୍କ ବଡ଼ ଝିଅ ଆଦ୍ୟାଶା ଶୁଭଦର୍ଶିନୀ ମହାପାତ୍ରଙ୍କ ହାତ ଧରିିଥିଲେ ମାର୍ଶାଘାଇ ଥାନା ବଡ଼ ରୋମିତ ଗାଁର ବାମନ ମହାପାତ୍ରଙ୍କ ପୁଅ ଟିଟୁ ମହାପାତ୍ର । ବାହାଘର ପରଠୁ ପୁଅ ସହ ଝିଅ ଫିଟ୍ ହେଲାନି ବୋଲି ଶାଶୁଘର ଲୋକେ ଫୋନ୍ ଯୋଗେ ତାଗିଦ୍ କରିଆସୁଥବା ଅଭିଯୋଗ ରହିଛି । ଏନେଇ ଶାଶୁଘର ଲୋକ ମୃତ ଆଦ୍ୟାଶାଙ୍କୁ ନିର୍ଯାତନା ଦେଉଥିବାର ଅଭିଯୋଗ କରିଛନ୍ତି ।

Advertisment

ଗତ ୩୧ ତାରିଖ ରାତି ସମୟରେ ଝିଅକୁ ପାଣିରେ କିଛି ଦ୍ରବ୍ୟ ମିଶାଇ ପିଇବାକୁ ଦେଇଥିଲେ । ଝିଅ ମନା କରିବାପରେ ମଧ୍ୟ ତାକୁ ଜବରଦସ୍ତ ଶାଶୁଘର ଲୋକ ପିଆଇଥିବା ଅଭିଯୋଗ ଆଣିଛନ୍ତି ମୃତ ନବବଧୁଙ୍କ ପରିବାର ଲୋକେ । ଏହି ପାଣି ପିଇବା ପରେ ଝିଅର ଛାତି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଥିଲା । ହେଲେ ଶାଶୁଘର ଲୋକେ ଡାକ୍ତରଖାନାକୁ ନେଇନଥିଲେ । ପରେ ବାପଘରକୁ ଜଣାଇଥିଲେ ଆଦ୍ୟାଶା । ବାପ ଘର ଲୋକେ ଏହା ଜାଣିବା ପରେ ତାଙ୍କୁ ମେଡ଼ିକାଲ ଯିବାକୁ ବାଧ୍ୟ କରିବାରୁ ପ୍ରଥମେ କୁଜଙ୍ଗ ପରେ ଜଗତସିଂହପୁର ଏବଂ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ହିଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝିଅକୁ ଯୌତୁକ ପାଇଁ ବିଷ ଦେଇ ମାରିଦେଇଥିବା ମାର୍ଶାଘାଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜ୍ଜୁକରି ଘଟଣାର ତଦନ୍ତ ଆରମ୍ଭ କରିଛି ।