ମନୀଷଙ୍କ ମୃତ୍ୟୁକୁ ନେଇ ବଢୁଛି ସନ୍ଦେହ: ସାଙ୍ଗମାନଙ୍କୁ ଜେରା ପରେ ଧିରେଧିରେ ଖୋଲୁଛି ଗୁମର

151

କନକ ବ୍ୟୁରୋ: ଶନିବାର ରାତିରେ ମନୀଷ ଅନୁରାଗଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ଧିରେଧିରେ ଘନୀଭୂତ ହେବାରେ ଲାଗିଛି । ଘଟଣା ଦିନ ରାତିରେ ମନୀଷଙ୍କ ସହିତ ଏକାଠି ହୋଟେଲରେ ଖିଆପିଆ କରିଥିବା ସମସ୍ତ ସାଙ୍ଗ ଏବେ କମିଶନରେଟ ପୋଲିସ କବଜାରେ । ସେମାନଙ୍କୁ ପଚରା ଉଚରା ପରେ ସେଦିନ ରାତିରେ କଣ ଘଟିଥିଲା ତାହା ସାମ୍ନାକୁ ଆସୁଛି । ବର୍ତମାନ ସୁଦ୍ଧା ପୋଲିସକୁ ଯେତିକି ତଥ୍ୟ ପ୍ରମାଣ ମିଳିଛି ସେଥିରୁ, ବାରରେ ବିଲକୁ ନେଇ ବିବାଦ ହୋଇଥିବା ଜଣାପଡ଼ିଛି । ବାରରେ ୩୫ ହଜାର ଟଙ୍କାର ବିଲ ହୋଇଥିଲା । ଟଙ୍କା କିଏ ଦେବ ତାକୁ ନେଇ ବିବାଦ ଦେଖାଦେଲା । ମନୀଷ ଓ ସାଙ୍ଗ ମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିବା ବେଳେ ଟଙ୍କା ନଦେବାରୁ ମନୀଷଙ୍କ ମୋବାଇଲ ବନ୍ଧକ ରଖିଥିଲେ ବାର କର୍ମଚାରୀ । ପରେ ମନୀଷ ଘରୁ ଟଙ୍କା ମଗାଇ ବିଲ ପୈଠ କରିଥିଲେ ।

ଘଟଣାସ୍ଥଳ ଆଖପାଖ ଅଂଚଳର ସିସିଟିଭି ଫୁଟେଜକୁ ଯାଂଚ୍ କରୁଛି ପୋଲିସ । ଘଟଣା ଦିନ ପାତ୍ରପଡା ଅଂଚଳର ଏକ ପୋଖରୀରୁ ମନୀଷ ଅନୁରାଗଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ତେଣୁ ପାତ୍ରପଡା ଅଂଚଳରେ ହିଁ ପୋଲିସ ଅଧିକ ଛାନଭିନ କରୁଛି । ସେପଟେ ମନୀଷଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଗୁରୁତ୍ୱପୁର୍ଣ୍ଣ ସୂଚନା ମିଳିଛି । ପାଣିରେ ବୁଡି ମନୀଷଙ୍କ ମୃତ୍ୟୁ ହୋଇନଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ଅର୍ଥାତ ପାଣିରେ ପଡ଼ିବା ପୂର୍ବରୁ ମନୀଷଙ୍କର ମୃତ୍ୟୁ ହୋଇଛି । ଏଥିରୁ ମନୀଷଙ୍କୁ ହତ୍ୟା କରି ପାଣିରେ ଫୋପଡ଼ା ଯାଇଥିବା ସନ୍ଦେହ ବଢିଯାଇଛି ।

ପାତ୍ରପଡା ପୋଖରୀକୁ ସଂଯୋଗ କରୁଥିବା ଏହି ରାସ୍ତାରେ ବିଳମ୍ବିତ ରାତିରେ କିଛି ବ୍ୟକ୍ତି ବାରମ୍ବାର ଯିବା ଆସିବା କରୁଥିବା ମଧ୍ୟ ସିସିଟିଭରୁ ଜଣାପଡୁଛି । ରାତି ପ୍ରାୟ ୪ଟା ସମୟର ଏହି ଭିଜୁଆଲରେ ଥିବା ବ୍ୟକ୍ତିମାନେ ମନୀଷର ସାଙ୍ଗ ବୋଲି ପୋଲିସ ସନ୍ଦେହ କରି ସମସ୍ତଙ୍କୁ ସାମ୍ନାସାମ୍ନି ଜେରା କରୁଛି । ଏପରିକି ଘଟଣାପରେ ମନୀଷଙ୍କ ସାଙ୍ଗମାନେ ହୋଟେଲ ସ୍ୱାଗତ ପ୍ୟାଲେସରେ ଯାଇ ରହିଥିବା ପ୍ରମାଣ ପୋଲିସ ହାତରେ ଲାଗିଛି ।

ଶନିବାର ରାତି ପ୍ରାୟ ୪ଟା ୧୨ରେ ମନୀଷଙ୍କ ଫୋନରୁ ତାଙ୍କ ବାପାଙ୍କ ସହ କଥା ହୋଇଥିଲେ ମୃତ୍ୟୁଞ୍ଜୟ ମିଶ୍ର ଓରଫ ମୁନ୍ନା । ପରେ ମୃତ୍ୟୁଞ୍ଜୟଙ୍କ ସହ ଦୀନେଶ କୁମାର ମହାପାତ୍ର ଓରଫ ଲିଟୁଙ୍କୁ ହୋଟେଲରେ ପହଂଚାଇଥିଲେ ହିମାଂଶୁ ବେହେରା । ତା ପରଦିନ ସକାଳ ସାଢେ ୫ଟାରୁ ସଂଧ୍ୟା ସାଢେ ୫ଟା ଯାଏଁ ଉଭୟ ହୋଟେଲରେ ରହିଥିଲେ । କନ୍ଧମାଳରୁ ଏହି ୩ ଯୁବକଙ୍କୁ ଆଣି ପୋଲିସ ପଚରା ଉଚରା କରୁଥିବାବେଳେ ସେମାନେ ହିଁ ପୁରା ମାମଲାର ଗୁମର ଖୋଲିବା ଅନୁମାନ କରାଯାଉଛି ।