କନକ ବ୍ୟୁରୋ : ସେୟାର ମାର୍କେଟରେ ନିବେଶ କେତେ ସୁରକ୍ଷିତ ? ପଇସା ବଢ଼ାଇବାର ମୋହ ବଢ଼ାଉଛି କି ଚାପ ? କଳିଙ୍ଗ ନଗରରେ ସ୍ତ୍ରୀ ଓ ପୁଅକୁ ହତ୍ୟା ପରେ ଉଠିଲା ପ୍ରଶ୍ନ । ସେୟାର୍ ମାର୍କେଟ୍ରେ ଟଙ୍କା ଲଗାଇ କ୍ଷତିଗ୍ରସ୍ତ ହେବା ସହ ଋଣଭାର ବଢ଼ିବା ଯୋଗୁଁ ଜଣେ ଯୁବକ ନିଜ ସ୍ତ୍ରୀ ଓ ୧୦ ବର୍ଷର କୋମଳମତି ପୁଅକୁ ତଣ୍ଟି ଚିପି ହତ୍ୟା କରିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତ ମା’ ଓ ପୁଅ ହେଉଛନ୍ତି, ସୁନ୍ଦରପଦା ଓରକଳାର ସ୍ବର୍ଣ୍ଣଲତା ମଙ୍ଗରାଜ ଓ ଧୃତିଦୀପ୍ତି ମଙ୍ଗରାଜ। ଆଉ ହତ୍ୟାକାରୀ ହେଉଛି ଖୋର୍ଦ୍ଧା ରାଇପୁରର ଅବନ୍ତି ବିଜୟ ମଙ୍ଗରାଜ ଓରଫ ବାବି । ଦୁହିଁଙ୍କୁ ମାରିବା ପରେ ବାବି ନିଜେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ବିଫଳ ହୋଇ ଫେରାର ହୋଇ ଯାଇଥିଲା । ତେବେ ଆଇଜି ପାର୍କରୁ ଶୋଇଥିବା ଅବସ୍ଥାରେ ପୁଲିସ ତାକୁ ଗିରଫ କରିଛି ।
ସୂଚନା ଅନୁଯାୟୀ, କଳିଙ୍ଗବିହାର କେ-୪ରେ ବାବି ପତ୍ନୀ ସ୍ବର୍ଣ୍ଣଲତା ଓ ପୁଅଙ୍କ ଧୃତିଙ୍କ ସହ ରହୁଥିଲା । ଆଜି ଅପରାହ୍ଣ ପ୍ରାୟ ୩ଟା ୧୭ରେ ବାବି ତା’ର ବଡ଼ଶଳା ସୁମନ୍ତ ପ୍ରଧାନଙ୍କ ପାଖକୁ ଏକ ହ୍ବାଟ୍ସଆପ୍ ମେସେଜ୍ ପଠାଇ ଲେଖିଥିଲା ଯେ ସ୍ବର୍ଣ୍ଣଲତା ଓ ଧୃତିକୁ ସେ ମାରି ଦେଇଛି । ଏହି ମେସେଜ୍ ପଢ଼ି ସୁମନ୍ତଙ୍କ ପାଦ ତଳୁ ମାଟି ଖସି ଯାଇଥିଲା । ସେ ତୁରନ୍ତ ତାଙ୍କ ଭଉଣୀ-ଭିଣୋଇ ରହୁଥିବା କେ-୪ ଭଡ଼ାଘରକୁ ଚାଲି ଆସିଥିଲେ । ସେ ଶୋଇବା ଘରେ ପଶି ଦେଖିବା ବେଳକୁ ତାଙ୍କ ଭଉଣୀ ସ୍ବର୍ଣ୍ଣଲତା ଚଟାଣରେ ଓ ଭଣଜା ଧୃତି ଖଟ ଉପରେ ନିସ୍ତେଜ ହୋଇ ପଡ଼ିଛନ୍ତି ।
ଏହା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେ ପୁଲିସକୁ ଖବର ଦେବାରୁ ତମାଣ୍ଡୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅନ୍ୟପକ୍ଷରେ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ଜଣେ ସ୍ବାମୀ ଓ ବାପା ହୋଇ ସେ କିପରି ସୈତାନ ପାଲଟିଗଲା ଏବଂ ନିଜ ପତ୍ନୀ ଓ ପୁଅକୁ ମାରିପାରିଲା, ତାହା ଜାଣିବା ଲାଗି ଶତାଧିକ ଲୋକ ତାଙ୍କ ଘର ଆଗରେ ଜମା ହୋଇଥିଲେ ।
ମିଳିଥିବା ସୂଚନାନୁଯାୟୀ, ବାବି ଜମିବାଡ଼ି ବେପାର କରିବା ସହ ଅନ୍ୟ ଜଣଙ୍କ ପାଖରେ ଚାକିରି ମଧ୍ୟ କରୁଥିଲା। କିଛିଦିନ ତଳେ ସେ ତାଙ୍କ ପରିବାର ଲୋକଙ୍କ ବିରୋଧ ସତ୍ତ୍ବେ ଜିଦ୍ କରି ଏକ ଜମି ବିକିଥିଲା। ଜମିକୁ ପ୍ରାୟ କୋଟିଏ ୬୦ଲକ୍ଷ ଟଙ୍କା ବିକ୍ରି କରିବା ପରେ ସେ ଏହି ଅର୍ଥ ତାଙ୍କ ବ୍ୟବସାୟରେ ଲଗାଇବେ ବୋଲି କହିଥିଲା। ଆଉ ଧୀରେ ଧୀରେ ସମସ୍ତ ଟଙ୍କା ଫେରାଇବେ ବୋଲି ପରିବାର ଲୋକଙ୍କୁ ଭରସା ଦେଇଥିଲା। ମାତ୍ର ଟଙ୍କା ନିଜ ବ୍ୟବସାୟରେ ଲଗାଇବା ବଦଳରେ ବାବି ସେୟାର୍ ମାର୍କେଟ୍ରେ ଲଗାଇଥିଲା ।
ଆଉ ସେୟାର ମାର୍କେଟ୍ରେ ଲଗାଇଥିବା ଟଙ୍କା ବୁଡ଼ିଯିବା ଯୋଗୁଁ ସେ ଘରଲୋକଙ୍କୁ ଏତେ ଟଙ୍କା କେମିତି ଫେରାଇବେ ସେ ନେଇ ଗତ କିଛି ମାସ ହେଲା ଦୁଶ୍ଚିନ୍ତାରେ ଥିଲା । ଏହା ସହ ବାବି ଜଣେ ଅଭ୍ୟାସଗତ ନିଶାଡ଼ି ହୋଇଥିବାରୁ ସେ ଅନେକ ସମୟରେ ମଦ ପିଇ ନିଶାସକ୍ତ ମଧ୍ୟ ରହୁଥିଲା । ଯାହାକୁ ନେଇ ସ୍ବର୍ଣ୍ଣଲତା ଓ ବାବି ଭିତରେ ବାରମ୍ବାର କଳହ ହେଉଥିଲା। ଏସବୁକୁ ନେଇ ମାନସିକ ଭାରସାମ୍ୟ ହରାଇଥିବା ବାବି ସୈତାନ ପାଲଟି ଯାଇଥିଲା ଏବଂ ପତ୍ନୀ ଓ ପୁଅଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଦେବାକୁ ଚରମ ନିଷ୍ପତ୍ତି ନେଇଥିଲା ।
Follow Us