କନକ ବ୍ୟୁରୋ: ସାମାନ୍ୟ ଗଣ୍ଡଗୋଳରୁ ତୁମୁଳକାଣ୍ଡ। ରାସ୍ତା ମଝିରେ ଛୁରି ଭୁସି ଦୁଇଜଣଙ୍କୁ ବିଭତ୍ସ ହତ୍ୟା। ଏୟାରଫିଲ୍ଡ ଥାନା କୁହା ଅଞ୍ଚଳରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା। ଦୁଇ ପରିବାର ମଧ୍ୟରେ ଥିବା କଳହ ପାଇଁ ଏଭଳି ହତ୍ୟା କରାଯାଇଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି।

ଚାଲିଛି କ୍ରାଇମ ସିନର ଛାନଭିନ। ତଥ୍ୟ ଭିତିକ ପ୍ରମାଣ ଯୋଗାଡ କରୁଛି ସାଇଂଟିଫିକ ଟିମ। ଗାଁରେ ପୁଲିସ ଛାଉଁଣୀ। ଚାରିଆଡେ କୋକୁଆ ଭୟ । ବୁଧବାର ରାତିରେ ଝିମିଟି ଖେଳରୁ ଏଠି ଘଟି ଯାଇଛି ମହା ଭାରତ। ସାମାନ୍ୟ ପାର୍କିଙ୍ଗକୁ କେନ୍ଦ୍ର କରି ଗଡିଛି ମୁଣ୍ଡ। ଦୁଇ ଜଣ ସାଙ୍ଗ ରଶ୍ମିରଂଜନ ସେଠୀ ଓ ସମ୍ୱିତ ରାଉତଙ୍କୁ ରାସ୍ତା ଉପରେ ଗୋଡାଇ ଗୋଡାଇ ଛୁରୀ ଭୁଷି ହତ୍ୟା କରିଛନ୍ତି ଦୁର୍ୱୁତ୍ତ। ରଶ୍ମିଙ୍କ ଘର କ୍ରାଇମସିନ ଠାରୁ ମାତ୍ର ୨୦୦ ମିଟର ଦୁର କୁହା ଗାଁରେ। ରଶ୍ମି ଏବଂ ତାଙ୍କ ପଡୋଶୀ ଗଣେଶ ମଲ୍ଲିକଙ୍କ ଭିତରେ ପୁର୍ବରୁ ଗଣ୍ଡଗୋଳ ଲାଗିକ ରହିଥିଲା। ଗଣେଶ ଯେଉଁ ଆପାର୍ଟମେଂଟରେ ସୁପର ଭାଇଜର, ସେହି ଆପାର୍ଟମେଂଟ ସମ୍ମୁଖରେ ରହିଥିଲା ରଶ୍ମିର ଚିକେନ ଦୋକାନ। ବୁଧବାର ରାତି ପ୍ରାୟ ୮ଟା ବେଳେ, ଆପାର୍ଟମେଂଟରେ ଗାଡି ପାର୍କିଂକୁ ନେଇ ପୁଣି ଥରେ ମୁହାଁମୁହି ହୋଇଥିଲେ ଗଣେଶ ଏବଂ ରଶ୍ମି। ପାଟିତୁଣ୍ଡରୁ ଗଣ୍ଡଗୋଳ ହେବାରୁ, ଗଣେଶ ତାଙ୍କ ପରିବାର ଲୋକଙ୍କୁ ଘଟଣାସ୍ଥଳକୁ ଡାକିଥିଲା। ଆଉ ତିନିଜଣ ମିଶି ରଶ୍ମି ଏବଂ ସମ୍ୱିତକୁ ରାସ୍ତା ଉପରେ ଗୋଡାଇ ଗୋଡାଇ ଛୁରୀ ଭୁଷି ହତ୍ୟା କରିଥିଲେ।

କୁହାରେ ଡବଲ ମର୍ଡର ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଚାଂଚଲ୍ୟ ଖେଳିଯାଇଛି। ଆପାର୍ଟମେଂଟବାସୀ ଭୟରେ ତ୍ରାହିତ୍ରାହି ଡାକିବା ଆରମ୍ଭ କରିଛନ୍ତି। ଏହି ଘଟଣା ପରେ, ଘର ଛାଡି ଅନ୍ୟତ୍ର ଚାଲିଯିବାକୁ ମନସ୍ଥ କରିଥିବା କହିଛନ୍ତି ଅନ୍ତେବାସୀ।

ରାଜଧାନୀରେ ଭାଇଗିରି ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ଜାଣିବାକୁ ପାଇଛି। ଏହି ଘଟଣାରେ ସଂପୃକ୍ତ ୨ ଅଭିୟୁକ୍ତଙ୍କୁ ପୁଲିସ ଅଟକ ରଖି ପଚରା ଉଚରା କରୁଛି।