ପୋଲିସ ପାଉନି ପ୍ରମାଣ, ଖସିଯାଇ ପାରନ୍ତି ଅନୁପ ସାଏ ! ହାଇପ୍ରୋଫାଇଲ ହତ୍ୟାକାଣ୍ଡରୁ ମୁକୁଳିବାକୁ ଅନୁପଙ୍କ ପାଖରେ ଅଛି ହୁଗୁଳା ବାଟ ।

2,236

କନକ ବ୍ୟୁରୋ: ଖସିଯିବେ କି ଅନୁପ ସାଏ ? କଳ୍ପନା ଦାସ ଓ ବବଲି ହତ୍ୟା ମାମଲାରେ ଜେଲରେ ରହିଥିବା ପୂର୍ବତନ ବିଧାୟକ ଖସିଯିବେ କି ? ଏବେ ଏହି ପ୍ରଶ୍ନକୁ ନେଇ ଛତିଶଗଡର ଗଣମାଧ୍ୟମରେ ଚର୍ଚ୍ଚା ଚାଲିଛି । ନବଭାରତ ଟାଇମ୍ସରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଅନୁପ ସାଏ ଏବଂ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ହତ୍ୟା ଘଟଣାରେ ଦୋଷୀ ସାବ୍ୟସ୍ତ କରିବା ପୋଲିସ ପାଇଁ ଏତେଟା ସହଜ ହେଉନାହିଁ । ତେଣୁ ପୋଲିସ ଅଧିକ ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି । ଚଢାଯାଇଥିବା ଗାଡି ପୋଲିସକୁ ଏଯାଏଁ ମିଳିନାହିଁ । ଯେଉଁ ଲୁହାଛଡରେ ମାଝିଅଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା ତାହା ମଧ୍ୟ ପୋଲିସ ହାତରେ ଲାଗିନାହିଁ ।

ଅନ୍ୟପଟେ ବର୍ଦ୍ଧନ ଟପ୍ପୋ ଗଣମାଧ୍ୟମ ଆଗରେ କହିସାରିଛି କି, ତାର ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ନାହିଁ । ଏପରି ସ୍ଥିତିରେ ପୋଲିସ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହୋଇଛି, ହତ୍ୟାକାଣ୍ଡରେ ଏ ଦୁହେଁ କିପରି ସମ୍ପୃକ୍ତ ତାହା ପ୍ରମାଣ କରିବା । ଡ୍ରାଇଭର ମର୍ଡରରେ ସମ୍ପୃକ୍ତ କି ନାହିଁ ପ୍ରମାଣ କରିବାକୁ ସବୁ ଉଦ୍ୟମ ଲଗାଇ ଦେଇଛି ପୋଲିସ । ହତ୍ୟା ଘଟଣାରେ ଦୁହିଁଙ୍କ ସମ୍ପୃକ୍ତି ନେଇ ଆଉ କିଛି ପ୍ରମାଣ ଯୋଗାଡ କରିବାରେ ଲାଗିପଡିଛି ପୋଲିସ । ଏହି ମାମଲାରେ ଅଭାବ ରହିଥିବା ଦିଗ ଗୁଡିକ ହେଉଛି, ପ୍ରତ୍ୟକ୍ଷଦର୍ଶୀ, ବୋଲେରୋରେ ରକ୍ତର ଚିହ୍ନ, ଡ୍ରାଇଭରର ବୟାନ, ଯାହାକି ଅନୁପ ସାଏଙ୍କୁ ଖସାଇବାରେ ସାହାଯ୍ୟ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଅନୁପ ଜଣେ ପଇସା ବାଲା ହୋଇଥିବାରୁ ବିଭିନ୍ନ ସ୍ତରରେ ଟଙ୍କାର ଲୋଭ ଦେଖାଇ ମାମଲାକୁ ରଫା ଦଫା କରିବା ପାଇଁ ପ୍ରୟାସ କରିପାରନ୍ତି ବୋଲି ଅନୁମାନ କରାଯାଉଛି । ବଡ କଥା ହେଉଛି କଳ୍ପନା ଏବଂ ବବଲିଙ୍କ ତରଫରୁ ଏହି ମାମଲା ଲଢିବ କିଏ ? କଳ୍ପନାଙ୍କ ପୂର୍ବତନ ସ୍ୱାମୀଙ୍କ କ୍ଷମତା ନାହିଁ ଏହି ମାମଲାରେ କୋର୍ଟରେ ଲଢିବା ପାଇଁ । ଏପରି ସ୍ଥିତିରେ ଅନୁପ ସାଏ ଏହାର ଫାଇଦା ନେଇପାରନ୍ତି ଏବଂ ସହଜରେ ଖସି ଯାଇପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଛି ।

ତେବେ ୨୦୧୬ ମାଆ-ଝିଅଙ୍କୁ ନେଇ ହୋଇଥିବା ହାଇପ୍ରୋଫାଇଲ ହତ୍ୟାକାଣ୍ଡର ଟିକନିକ ତଥ୍ୟ ଜାଣିବାକୁ ଅଭିଯୁକ୍ତ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭରଙ୍କୁ ରିମାଣ୍ଡରେ ନେଇଛି ପୋଲିସ । ଡବଲ ମର୍ଡର ଘଟଣାରେ ୩ ଦିନିଆ ରିମାଣ୍ଡରେ ନେବାକୁ ଚକ୍ରଧରନଗର ଥାନା ପୋଲିସକୁ ଅନୁମତି ଦେଇଛନ୍ତି ରାୟଗଡ ଜିଲ୍ଲା ଦୌରା ଜଜ୍ । ହତ୍ୟା ନେଇ ଅଧିକ ପଚରା ଉଚରା ପାଇଁ ଅନୁପ ସାଏ ଏବଂ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ବି ରିମାଣ୍ଡରେ ନିଆଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ଏଭଳି ହାଇପ୍ରୋଫାଇଲ ହତ୍ୟାକାଣ୍ଡ ହୋଇଥିଲା ତାର ମୂଳକୁ ଯାଇ ଖିଅ ଖୋଲିବାକୁ ପୋଲିସ ଚେଷ୍ଟା ଚଳାଇଥିବା ବେଳେ ଅନୁପ ଖସିଯିବା ନେଇ ବିଭିନ୍ନ ଦିଗ ଆସିବା ପରେ ଆଗାକୁ କଣ ହେବ ତା ଉପରେ ନଜର ରହିଛି ।