ଜିଲ୍ଲାପାଳଙ୍କ ଅଫିସ ଆଗରେ ଅନୁପ ସାଏଙ୍କ ପରିବାର । ସୁରକ୍ଷା ଓ ସିବିଆଇ ତଦନ୍ତ ଦାବି ପାଇଁ ରାତିସାରା ଧାରଣା ।

318

କନକ ବ୍ୟୁରୋ: ସୁରକ୍ଷା ପାଇଁ ସାରା ରାତି ଧାରଣା । ଜିଲ୍ଲାପାଳଙ୍କ ଅଫିସ ଆଗରେ ଏପରି ସାରା ରାତି ଧାରଣା ଦେଇଛି ଅନୁପ ସାଏଙ୍କ ପୁରା ପରିବାର । ଝାରସୁଗୁଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏହି ଧାରଣା ଅନୁପଙ୍କ ବଡ ଭାଇ, ମାଆ, ସ୍ତ୍ରୀ, ପୁଅ ଓ ପୁତୁରା ଧାରଣାରେ ବସିଛନ୍ତି । ସେମାନଙ୍କୁ ଅନୁପଙ୍କ ସହ ଭେଟିବାକୁ ସୁଯୋଗ ଦିଆଯାଉନଥିବା ଅଭିଯୋଗ କରିଛନ୍ତି ।

ଏପରିକି ଛତିଶଗଡ ପୋଲିସ ତାଙ୍କ ପରିବାରକୁ ଉଠାଇ ନେବାକୁ ଧମକ ଦେଉଥିବା ଅଭିଯୋଗ କରି ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରିଛନ୍ତି । ଏବଂ ଜାଣିଶୁଣି ଅନୁପଙ୍କୁ ରାଜନୈତିକ ଆକ୍ରୋଶର ଶିକାର କରାଯାଉଥିବା ଅଭିଯୋଗ କରିଛନ୍ତି । ଏପରିକି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ଅନୁପଙ୍କ ପରିବାର ଲୋକ ।

ସେପଟେ ତିନି ଦିନିଆ ପୋଲିସ ରିମାଣ୍ଡ ସରିବା ପରେ ରାଇଗଡ କୋର୍ଟରେ ଗତକାଲି ହାଜର ହୋଇଥିଲେ ଡବଲ ମର୍ଡର ଅଭିଯୁକ୍ତ ଅନୁପ ସାଏ । ସେପଟେ ବ୍ରଜରାଜ ନଗରର ଏହି ପୂର୍ବତନ ବିଧାୟକଙ୍କୁ ପୁଣି ୩ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିଛନ୍ତି ସରକାରୀ ଓକିଲ । କିନ୍ତୁ ଅନୁପ ସାଏଙ୍କ ଓକିଲ ଆପତି ଉଠାଇଲେ ଆଉ ଶୁଣାଣିକୁ ସୋମବାର ଯାଏଁ ଘୁଂଚାଇ ଦେଲେ ରାଇଗଡ କୋର୍ଟ । ଆଉ ଏହାପରେ ଅନୁପଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।