ଟ୍ୱିନ୍ ସିଟିର ଡବଲମର୍ଡର । ଭୁବନେଶ୍ୱରରେ ପୁରୁଣା ଗଣ୍ଡଗୋଳକୁ ନେଇ ଛାତିରେ ଛୁରୀ ଭୁଷି ହତ୍ୟା, କଟକରେ ଅବସରପ୍ରାପ୍ତ ପ୍ରିନ୍ସପାଲଙ୍କୁ କଟୁରୀରେ ହାଣିଦେଲା ଦୁବୃର୍ତ୍ତ । 

251

କନକ ବ୍ୟୁରୋ : ଟୁଇନ ସିଟିରେ ଦୁଇ ଦୁଇଟି ମର୍ଡର ଘଟଣା ଚାଂଚଲ୍ୟ ଖେଳାଇ ଦେଇଛି । ଭୁବନେଶ୍ୱର ଡୁମଡୁମା ଅଂଚଳରେ ପୂର୍ବ ଶତ୍ରୁତା ଓ ମଦ ବେପାରକୁ ନେଇ ଜଣେ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ତା ପରିବାର ୫ଜଣ ଲୋକଙ୍କୁ ଉଠାଇ ନେଇଛି ପୁଲିସ । ସେପଟେ କଟକ କନ୍ଦରପୁରରେ ଜଣେ ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷଙ୍କୁ ଉଧାର ନେଇଥିବା ଟଙ୍କା ଓ ସୁଧ ମାଗିବାରୁ କଟୁରୀରେ ହାଣି ହତ୍ୟା କରିଛି ପାନ ଦୋକାନୀ । କମିସନରେଟ ପୁଲିସ ଅଞ୍ଚଳରେ ଏହି ଦୁଇଟି ହତ୍ୟାକାଣ୍ଡ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଡକୁ ଇସାରା କରୁଛି ।

ମଦ ବେପାରକୁ ନେଇ ରାଜଧାନୀରେ ଗଡିଲା ମୁଣ୍ଡ । ସାମାନ୍ୟ ବଚସା ପରେ ଯୁବକଙ୍କୁ ବିଭତ୍ସ ହତ୍ୟା । ବେଆଇନ ମଦ ବେପାରକୁ ନେଇ ଭୁବନେଶ୍ୱରର ଡୁମଡୁମାରେ ଆରମ୍ଭ ହୋଇଥିବା ଶତ୍ରୁତା, ଶେଷରେ ଜଣେ ଯୁବକଙ୍କ ଜୀବନ ନେଇଛି । ରବିବାର ବିଳମ୍ବିତ ରାତିରେ ଡୁମଡୁମାର ସନାତନ ରାଉତରାୟ ନାମକ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ଦୁର୍ବୃତ । ମରଣାନ୍ତକ ଆକ୍ରମଣ କରିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ମୃତକ ହେଲେ ଡୁମଡୁମା ଅଞ୍ଚଳର ସନାତନ ରାଉତରାୟ । ବିଳମ୍ବିତ ରାତିରେ ସନାତନ ଘରକୁ ଫେରିବା ବେଳେ ଗାଡି ଧକ୍କାକୁ ନେଇ ରାଜା ଜୟ ସିଂଙ୍କ ସହ ବଚସା ହୋଇଥିଲା । ଏଥିରେ ରାଗିଯାଇ ରାଜା ଜୟସିଂ ଏକ ଧାରୁଆ ଅସ୍ତ୍ରରେ ସନାତନକୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ସନାତନକୁ ଏମ୍ସ ହସ୍ପିଟାଲକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

ଖଣ୍ଡଗିରି ଥାନା ପୋଲିସ, ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ଏହି ଘଟଣାରେ ପୋଲିସ ୬ଜଣଙ୍କୁ ଉଠାଇ ନେଇଥିବା ବେଳେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ରାଜା ଜୟ ସିଂ ଫେରାର ଅଛି । ରାଜାର ଦୋକାନକୁ ଭାଙ୍ଗି ଦେଇଛନ୍ତି ଉତ୍ୟକ୍ତ ଗ୍ରାମବାସୀ ।

ଏବେ ଆସନ୍ତୁ ଜାଣିବା ଆଉ ଏକ ହତ୍ୟାକାଣ୍ଡର କାହାଣୀ । ଧାର ଟଙ୍କା ମାଗିବାରୁ ଜୀବନ ଗଲା । ପୂର୍ବତନ କଲେଜ ଅଧ୍ୟକ୍ଷଙ୍କୁ ବୀଭତ୍ସ ହତ୍ୟା । କଟକ କନ୍ଦରପୁର କଲେଜର ପୂର୍ବତନ ଅଧ୍ୟକ୍ଷ ସୁଦର୍ଶନ ଶତପଥୀଙ୍କୁ ବିଭତ୍ସଭାବେ ହତ୍ୟା କରିଛନ୍ତି ଦୁର୍ବୃତ । କନ୍ଦରପୁର ମେଡିକାଲ ରୋଡ ମୁଣ୍ଡାସାହି ନିକଟ ଚିକେନ କାଉଣ୍ଟର ନିକଟରେ ତାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ପୁଲିସ ଖୋଳତାଡ କରି ଆକ୍ରମଣ କରିଥିବା ପାନ ଦୋକାନୀ ଅର୍ଜୁନ ଜେନାଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ମଧ୍ୟ ଜବତ କରିଛି ପୁଲିସ । ତେବେ ଧାର ଦେଇଥିବା ଟଙ୍କା ଓ ସୁଧ ମାଗିବାରୁ ସୁଦର୍ଶନଙ୍କୁ ହତ୍ୟା କରିଥିଲା ଅଭିଯୁକ୍ତ । ଟ୍ୱିନ୍ ସିଟିରେ ଦୁଇ ଦୁଇଟି ହତ୍ୟାକାଣ୍ଡ ପୁଲିସ କମିସନରେଟ୍ ଅଞ୍ଚଳରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ଆଡକୁ ଇସାରା କରୁଛି ।