ମାଆ-ଝିଅ ହତ୍ୟାକାଣ୍ଡରେ ପୁଲିସକୁ ବିଭ୍ରାନ୍ତ କରିବା ପାଇଁ ଚେଷ୍ଟା! ଅନୁପ-ଡ୍ରାଇଭରଙ୍କ ହେବ ନାର୍କୋ ଟେଷ୍ଟ, ଅଦାଲତରେ ଅବେଦନ କଲା ଛତିଶଗଡ ପୁଲିସ, ତୃତୀୟ ବ୍ୟକ୍ତିର ସଂପୃକ୍ତି ନେଇ ସସପେନ୍ସ ।

346

କନକ ବ୍ୟୁରୋ: ୪ବର୍ଷ ତଳର କଳ୍ପନା ଓ ବବଲି ହତ୍ୟାକାଣ୍ଡ ମାମଲାରେ ଅନୁସନ୍ଧାନ ଯେତିକି ଆଗକୁ ବଢିଚାଲିଛି ଘଟଣାକୁ ନେଇ ରହସ୍ୟ ସେତିକି ବଢୁଛି । ହତ୍ୟାକାଣ୍ଡରେ ସାମିଲ ଥିବା ସେହି ତୃତୀୟ ବ୍ୟକ୍ତି କିଏ ତାକୁ ନେଇ ପୋଲିସର ସନ୍ଦେହ ବି ବଢିବାରେ ଲାଗିଛି । ଡ୍ରାଇଭର ବର୍ଦ୍ଧନ ଟପ୍ପୋ ଓ ଅନୁପ ସାଏ ପୋଲିସର ତଦନ୍ତକୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି ବୋଲି ଅନ୍ଦର ମହଲରୁ ସୂଚନା ମିଳିଛି । କେତେବେଳେ ବର୍ଦ୍ଧନ କହୁଛି ସେ ହତ୍ୟା କରିନାହିଁ ତ ଆଉ କେତେବେଳେ ଅନୁପ ସାଏ କହୁଛନ୍ତି, ଦୁଇ ଜଣଙ୍କ ଉପରେ ଗାଡି ଚଢାଇଛନ୍ତି ବର୍ଦ୍ଧନ ଟପ୍ପୋ ।

ଏସବୁ ଭିତରେ ହତ୍ୟାକାଣ୍ଡରେ ସାମିଲ ଥିବା ସେହି ତୃତୀୟ ବ୍ୟକ୍ତିକୁ ଖୋଜୁଛି ପୋଲିସ । ଏପଟେ କିନ୍ତୁ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋ, ସେହି ତୃତୀୟ ବ୍ୟକ୍ତିଙ୍କୁ ନେଇ ପୋଲିସ ଆଗରେ ନିରବ ରହୁଛନ୍ତି । ପ୍ରଶ୍ନ ଉଠୁଛି, କିଏ ସେହି ତୃତୀୟ ବ୍ୟକ୍ତି ଯାହାଙ୍କୁ ବଂଚାଇବା ପାଇଁ ଉଭୟ ଉଦ୍ୟମ କରୁଛନ୍ତି । ଘଟଣାସ୍ଥଳରେ ପୋଲିସ ମର୍ଡସ ସିନ୍ ରିକ୍ରିଏସନ୍ କରିବା ବେଳେ ସାମ୍ନାକୁ ଆସିଥିଲା ଇନୋଭା ଗାଡିର ରହସ୍ୟ । ପୋଲିସ ସନ୍ଦେହ କରୁଛି, ହତ୍ୟାକାଣ୍ଡରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କ ସମେତ ଆଉ କିଛି ବ୍ୟକ୍ତିଙ୍କ ସଂପୃକ୍ତି ରହିଛି । ଏନେଇ ଛତିଶଗଡ ପୋଲିସର ତଦନ୍ତ ବି ଆଗଉଛି । ତେବେ ସେହି ତୃତୀୟ ବ୍ୟକ୍ତି ଜଣକ ଏବେବି ରହସ୍ୟ ଘେରରେ ରହିଛି ।

ରିମାଣ୍ଡରେ ଆଣିବା ପରେ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ସାମ୍ନାସାମ୍ନି ବସାଇ ପୋଲିସ ପଚରା ଉଚରା କରିବା ସମ୍ଭାବନା ରହିଛି । ଫଳରେ ହତ୍ୟାକାଣ୍ଡ ନେଇ କିଏ ସତ କହୁଛି ଆଉ କିଏ ସତ ଲୁଚାଉଛି ତାହା ସାମ୍ନାକୁ ଆସିପାରିବ । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଛତିଶଗଡ ପୋଲିସ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋଙ୍କ ନାର୍କୋ ଟେଷ୍ଟ କରିବା ପାଇଁ କୋର୍ଟରେ ପକ୍ଷ ରଖିଛନ୍ତି ।