ସାବଧାନ ! ସଂକ୍ରମଣ ରୋକିବାକୁ ଏବେ ସିଙ୍ଗଲ୍ ନୁହେଁ… ଦ୍ୱିତୀୟ ଲହର ପାଇଁ ଲୋଡା ଦୁଇଟି ମାସ୍କ । ଡାକ୍ତର କହିଲେ ଡବଲ ମାସ୍କ ରୋକିବ ଭୂତାଣୁ, କରିବ ଲଢେଇ…

849

କନକ ବ୍ୟୁରୋ: ଦ୍ୱିତୀୟ ଲହର, ଡବଲ ମାସ୍କ । କରୋନା ରୋକିବ କି ୨ଟି ମାସ୍କ ? ଭୟଙ୍କର ହେଉଛି କରୋନାର ୨ୟ ଲେଉଟାଣି । ପ୍ରଥମ ଅପେକ୍ଷା ୨ୟ ଲହର ଲୋମଟାଙ୍କୁରାଇ ଦେଉଛି । ସ୍ଥିତି ଏମିତି ହୋଇଛି, ଦେଶରେ ଏକ ପ୍ରକାର ହାହାକର ପଡିଛି । ସଂକ୍ରମଣ ସବୁଠି ଆଣିଛି ସଙ୍କଟ ସ୍ଥିତି । ଆକ୍ରାନ୍ତ ବଢୁଛନ୍ତି, ମୃତକ ବି ବଢୁଛନ୍ତି । ସବୁଦିନ ଶହ ଶହ ଶବ ମଣାଣିରେ ପୋଡାହେଉଛି । ଜଣାପଡୁନଥିଲେ ବି ଭିତରେ ଭିତରେ ସାଇଲେଣ୍ଟ କିଲର ସାଜୁଛି କରୋନା ପାର୍ଟ-୨ । ଆଉ ଏତିକି ବେଳେ କରୋନାର ୨ୟ ଲହର ରୋକିବାରେ ଦମ ଦେଖାଇବ ଡବଲ ମାସ୍କ । ଦୁଇଟି ମାସ୍କ ହିଁ କରୋନା ରୋକିବାରେ ବ୍ରହ୍ମାସ୍ତ୍ର ସାଜିବ । ଭୂତାଣୁର ଭୟଙ୍କର ଆକ୍ରମଣରୁ ରକ୍ଷା ପାଇବାକୁ ହେଲେ ଆମକୁ ଦୁଇ ଦୁଇଟା ମାସ୍କ ପିନ୍ଧିବାକୁ ପଡିବ ବୋଲି କହିଛନ୍ତି ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ।

ତେବେ ଡାକ୍ତରଙ୍କ କହିବା ଅନୁସାରେ କରୋନାର ଏହି ସଂକ୍ରମଣରୁ ଲୋକଙ୍କୁ ରକ୍ଷା କରିପାରିବ ଦୁଇଟି ମାସ୍କ । ଦ୍ୱିତୀୟ ଲହରର ଷ୍ଟ୍ରେନ୍ ଅଧିକ କ୍ଷତିକାରକ, ଏହି ଭାଇରସ ଏବେ ପବନରେ ବ୍ୟାପୁଥିବା ମେଡିକାଲ ଜର୍ଣ୍ଣାଲ ଲାନସେଟ କହୁଛି । ତେଣୁ ଏହି ଭୟଙ୍କର ବିପଦରୁ ବର୍ତ୍ତିବାକୁ ହେଲେ ଆମକୁ କପଡା ମାସ୍କ ଛାଡିବାକୁ ପଡିବ । ଏୟାରବର୍ଣ୍ଣ ପାଥୋଜେନରୁ ବର୍ତ୍ତିବାକୁ ହେଲେ ଆମକୁ ଏନ ୯୫ କିମ୍ୱା କେଏନ ୯୫ ମାସ୍କ ପିନ୍ଧିବାକୁ ପଡିବ । ନଚେତ ତିନୋଟି ସ୍ତର ଥିବା ସର୍ଜିକାଲ ମାସ୍କ ପିନ୍ଧିବାକୁ ପଡିବ । ସେଥିପାଇଁ ଲୋକମାନେ କପଡା ମାସ୍କ ବଦଳରେ ଥ୍ରୀ ଲେୟାର ସର୍ଜିକାଲ ମାସ୍କରୁ ଦୁଇଟି ବ୍ୟବହାର କରି ପିନ୍ଧନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଡାକ୍ତର ନିରୋଜ ମିଶ୍ର ।

ଦ୍ୱିତୀୟ ଦଫାରେ ବୃଦ୍ଧବୃଦ୍ଧାଙ୍କ ସହ କୁନି କୁନି ପିଲା ଅଧିକ ଆକ୍ରାନ୍ତ ହେଉଥିବା ବେଳେ ୩୦ ବର୍ଷରୁ କମ ଯୁବକଯୁବତୀ ମଧ୍ୟ ୨ୟ ଲେଉଟାଣିରେ ଅଧିକ ପ୍ରଭାବିତ ହେଉଥିବା ରିପୋର୍ଟ ଆସୁଛି । ତେବେ ମହାମାରୀ ମୁକାବିଲା ପାଇଁ ଦୁଇଟି ମାସ୍କ ଜରୁରୀ ବୋଲି ସମାନ କଥାକୁ ଦୋହରାଇଛନ୍ତି ଡାକ୍ତର ସତୀଶ ପ୍ରସାଦ ରଥ ।

ତେବେ ଏପ୍ରିଲ ମାସରେ କରୋନା ସ୍ଥିତି ଭୟଙ୍କର ହେଲାଣି, ଆଗକୁ ଆହୁରି ସ୍ଥିତି ଅସମ୍ଭାଳ ହେବ ବୋଲି ବିଶେଷଜ୍ଞମାନେ ମତ ରଖୁଛନ୍ତି । ଆଉ ୟାରି ଭିତରେ ମାସ୍କ ବ୍ୟବହାର ଉପରେ ରାଜ୍ୟ ସରକାର କଡା କଟକଣା ଲଗାଇଛନ୍ତି । ମାସ୍କ ନପିନ୍ଧିଲେ ୨୦୦୦ ଟଙ୍କା ଫାଇନ କରିଥିବା ବେଳେ ମାସ୍କ ହିଁ ମହାମାରୀ ମୁକାବିଲାର ମହାସ୍ତ୍ର ବୋଲି ସରକାର ସଚେତନ କରୁଛନ୍ତି ।

ହେଲେ ଅନେକ ଅମାନିଆ ଏବେବି ମାସ୍କ ନପିନ୍ଧି ଏଣେତେଣେ ବୁଲୁଛନ୍ତି । ବିନା ମାସ୍କରେ ବଜାର ଆସୁଛନ୍ତି । ମାସ୍କକୁ ମୁହଁରେ ନପିନ୍ଧି ବେକରେ ପିନ୍ଧୁଛନ୍ତି । କଥା କହିବା ବେଳେ ମାସ୍କ ଖୋଲିଦେଇ କଥା ହେଉଛନ୍ତି । ଯେଉଁଠି କରୋନା ରୋକିବାକୁ ଦୁଇ ଦୁଇଟି ମାସ୍କ କଥା କୁହାଯାଉଛି ସେଠି ଲୋକେ ତ ଗୋଟିଏ ମାସ୍କ ବି ପିନ୍ଧୁ ନାହାନ୍ତି । ଯେଉଁଥିପାଇଁ ସ୍ଥିତି ବିଗୁଡୁଛି । ଆସନ୍ତୁ ମାସ୍କ ପିନ୍ଧିବା, ନିଜ ପାଇଁ, ଅନ୍ୟ ମାନଙ୍କ ଜୀବନ ପାଇଁ । ପୋଲିସଠାରୁ ବର୍ତ୍ତିବାକୁ ନୁହେଁ ମୃତ୍ୟୁଠାରୁ ବର୍ତ୍ତିବାକୁ । ଗୋଟିଏ କଥା ମାସ୍କ ପିନ୍ଧନ୍ତୁ ନଚେତ ମେଡିକାଲ ବାଛନ୍ତୁ…