ମୋବାଇଲରେ ବ୍ୟସ୍ତଥିଲେ ନର୍ସ । କଥା ହେଉ ହେଉ ଜଣେ ମହିଳାଙ୍କୁ ଦୁଇଥର ଦେଇଦେଲେ କରୋନା ଟିକା । ତା ପରେ ….

211

କନକ ବ୍ୟୁରୋ : ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରୀ ରହିଛି । ଏହି କ୍ରମରେ କରୋନା ଭୂତାଣୁ ସଂକ୍ରମଣରୁ ଲୋକମାନଙ୍କୁ ସୁରକ୍ଷା ଦେବାକୁ ସରକାର ଟିକାକରଣ ଅଭିଯାନକୁ ବି ଦ୍ରୁତ ଗତିରେ ଚଳାଇଛନ୍ତି । ଏପିଲ ପହିଲା ଠାରୁ ଦେଶରେ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦିଆଯାଉଛି । ହେଲେ ଟିକା ଦେବାବେଳେ ଜଣେ ନର୍ସଙ୍କ ମନମୁଖି କାର୍ଯ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ଏଠାରେ ଜଣେ ଏଏନଏମ ମୋବାଇଲରେ ବ୍ୟସ୍ତ ରହି ଜଣେ ମହିଳାଙ୍କୁ ୨ ଥର ଟିକା ଦେଇଦେଇଛନ୍ତି ।

ଉତ୍ତରପ୍ରଦେଶର ଦେହାତ ମଣ୍ଡୋଲିରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା କରଣ ଚାଲିଥିଲା । ସେଠାରେ କମଲେସ୍ ଦେବୀ ନାମକ ଜଣେ ମହିଳା ଟିକା ନେବାକୁ ଆସିଥିଲେ । ସେଠାରେ ଫୋନରେ ବ୍ୟସ୍ତ ଥିବା ଏଏନଏମ ଜଣଙ୍କ କମଲେସ ଦେବୀଙ୍କୁ ଗୋଟିଏ ଥର ଟିକା ଦେବା ବଦଳରେ ଦୁଇଥର କରୋନା ଟିକା ଦେଇଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ମହିଳାଙ୍କ ପରିବାର ଲୋକେ ମେଡିକାଲ ଭିତରେ ହୋ ହାଲ୍ଲା କରିଥିଲେ ।

କମଲେସ୍ ଦେବୀ କହିଛନ୍ତି କି ଟିକା ଦେଉଥିବା ବେଳେ ଏଏନଏମ ଜଣଙ୍କ ମୋବାଇଲରେ କହା ସହିତ କଥା ହେଉଥିଲେ । ସେ ଫୋନରେ କଥା ହେଉ ହେଉ ମୋ ଦେହରେ କରୋନା ଟିକା ଦେଇଥିଲେ । ଟିକା ନେବା ପରେ ମୁଁ ସେଠାରେ ବସିରହିଥିଲି । ହେଲେ ଏଏନଏମ ଜଣଙ୍କ ପୁଣିଥରେ ମୋ ଦେହରେ ଟିକା ଦେଇ ଦେଇଥିଲେ । ଏକଥା ତାଙ୍କୁ ପଚାରିବା ପରେ ସେ କମଲେସ ଦେବୀଙ୍କ ଉପରେ ବିରକ୍ତ ହୋଇଥିଲେ । ଦୁଇଥର ଟିକା ନେବା ପରେ କମଲେସଙ୍କ ବାହୁରେ ଯନ୍ତ୍ରଣା ହେଉଥିବା କଥା ସେ କହିଛନ୍ତି ।

ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କୁହାଯାଇଛି କି ଜଣେ ବ୍ୟକ୍ତିଙ୍କୁ ୨ ଥର ଟିକା ଦିଆଯାଏ ନାହିଁ । ଏହାସହ ଏହି ଘଟଣାର ତଦନ୍ତ ପାଇଁ ସିଏମଓ ତରଫରୁ ଏକ ଟିମ୍ ଗଠନ କରାଯାଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ କହିଛନ୍ତି ରାଜେଶ କୁମାର ।