ଲୋକସଭାରେ ପରିବେଶ ସୁରକ୍ଷାମନ୍ତ୍ରୀଙ୍କ ସୂଚନା, ଦେଶରେ ଚାଲିଛି ୨.୧୪ କୋଟି ୨୦ ବର୍ଷର ପୁରୁଣା ଗାଡି, କେବଳ ଦିଲ୍ଲୀରେ ୩୬ ଲକ୍ଷ

147

କନକ ବ୍ୟୁରୋ : ଦେଶର ସଡକରେ ଚାଲିଥିବା ପୁରୁଣା ଗାଡି ଗୁଡିକୁ ହଟାଇବାକୁ କେନ୍ଦ୍ର ସରକାର ପ୍ରୟାସ ଜାରି ରଖିଛନ୍ତି । ହେଲେ ସାରା ଦେଶରେ ଏବେ ୨ କୋଟିରୁ ଅଧିକ ପୁରୁଣା ଗାଡିରେ ସଡକରେ ଚଳାଚଳ କରୁଛି । ଏନେଇ ପରିବେଶ ସୁରକ୍ଷାମନ୍ତ୍ରୀ ଅଶ୍ୱନୀ ଚୌବେ ଲୋକସଭାରେ ବିସ୍ତୃତ ସୂଚନା ଦେଇଛନ୍ତି ।

ପରିବେଶ ମନ୍ତ୍ରୀ ଅଶ୍ୱନୀ ଚୌବେ ଲୋକସଭାରେ ସୂଚନା ଦେଇ କହିଛନ୍ତି କି ଦେଶରେ ୨.୧୪ କୋଟି ଗାଡି ରାସ୍ତାରେ ଚଳାଚଳ କରୁଛି । ଯାହା ମଧ୍ୟରୁ କର୍ଣ୍ଣାଟକରେ ସବୁଠାରୁ ଅଧିକ ୨୦ ବର୍ଷର ପୁରୁଣା ଗାଡି ରହିଛି । ମନ୍ତ୍ରୀଙ୍କ ସୂଚନା ମୁତାବକ କେବଳ କର୍ଣ୍ଣାଟକରେ ୨୦ ବର୍ଷ ଅଧିକ ପୁରୁଣା ଗାଡି ସଂଖ୍ୟା ୩୬.୧୪ ଲକ୍ଷ । ଏହାସହ ୟୁପିରେ ୨୬.୨୦ ଲକ୍ଷ, କେରଳରେ ୨୦.୬୭ ଲକ୍ଷ,ତାମିଲନାଡୁରେ ୧୫.୯୯ ଲକ୍ଷ, ପଞ୍ଜାବରେ ୧୫.୩୨ ଲକ୍ଷ ୨୦ ବର୍ଷରୁ ଅଧିକ ପୁରୁଣା ଗାଡି ସଡକରେ ଚଳାଚଳ କରୁଛି । ଏହି କ୍ରମରେ ପୁରା ଦେଶରେ ୨.୧୪ କୋଟି ଗାଡି ରହିଛି । ଏହି ପରିସଂଖ୍ୟାନ ମଧ୍ୟରେ ଆନ୍ଧ୍ର ପ୍ରଦେଶ, ମଧ୍ୟ ପ୍ରଦେଶ, ତେଲେଙ୍ଗାନା ଓ ଲାକ୍ଷାଦ୍ୱୀପକୁ ଯୋଡା ଯାଇ ନାହିଁ । କାରଣ ଏହି ରାଜ୍ୟଗୁଡିକ କେନ୍ଦ୍ରୀୟ ‘ବାହାନ ପୋର୍ଟାଲ’ ରେ ନାହିଁ ।

୨୦୧୮ ରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶରେ କହିଥିଲେ କି ଦିଲ୍ଲୀ ଏନସିଆରରେ ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ ଗାଡି ଓ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ ଗାଡି ଚାଲିପାରିବ ନାହିଁ । ଏହାକୁ ନେଇ ଏନଜିଟି ତରଫରୁ ୨୦୧୫ରେ ଏକ ନିୟମ ପ୍ରଣୟନ କରିଥିଲେ । ଅନ୍ୟପଟେ ସଦ୍ୟ ସୂଚନା ମୁତାବକ ଦିଲ୍ଲୀ ସଡକରେ ଏବେ ୩୬ ଲକ୍ଷରୁ ଅଧିକ ୨୦ ବର୍ଷର ପୁରୁଣା ଗାଡି ଚଳପ୍ରଚଳ କରୁଛି ।

ସେପଟେ ଚଳିତ ବର୍ଷ କେନ୍ଦ୍ର ସରକାର ନୂଆ ‘ବାହନ ସ୍କ୍ରାପ ପଲିସି’ ଉପସ୍ଥାପନ କରିଛନ୍ତି । ଏହି ପଲିସି ମୁତାବକ ପୁରୁଣା ଗାଡିର ମାଲିକମାନେ ଗାଡିର ଫିଟନେସ୍ ସାର୍ଟିଫିକେଟ ନେଇ ଗାଡି ଚଳାଇ ପାରିବେ । ଏହାସହ ଯେଉଁ ଗାଡିଗୁଡିକୁ ଫିଟନେସ୍ ସାର୍ଟିଫିକେଟ ମିଳିବ ନାହିଁ ସେମାନେ ଏହାକୁ କବାଡିରେ ଦେଇଦେବେ ଓ ଯାହାର ନିଶ୍ଚିତ ରାଶି ସରକାରଙ୍କ ତରଫରୁ ପ୍ରଦାନ କରାଯିବ ।