ବରିଷ୍ଠ ନାଗରିକଙ୍କ ପରେ ଗର୍ଭବତୀଙ୍କ ପାଇଁ ଘରକୁ ଆସିବ ବିଏମସି : କରୋନା ପରୀକ୍ଷା ପାଇଁ ଆଉ ଧାଡ଼ିରେ ଛିଡ଼ା ହେବେ ନାହିଁ ଗର୍ଭବତୀ ମହିଳା

98

କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କ ପରେ ଗର୍ଭବତୀଙ୍କ ପାଇଁ ଘରେ ପହଂଚିବ ବିଏମସି । ଫଳରେ କରୋନା ସନ୍ଦେହ ଥିଲେ ଗର୍ଭବତୀ ମହିଳାଙ୍କୁ ଆଉ ପରୀକ୍ଷା କରାଇବା ପାଇଁ ହସ୍ପିଟାଲ କିମ୍ବା ଲାବୋରେଟୋରୀ ବାହାରେ ଧାଡି ଲଗାଇବାକୁ ପଡିବ ନାହିଁ । ସମସ୍ତ ହସ୍ପିଟାଲରେ ଏବେ ପ୍ରସୂତିଙ୍କ ଆଡମିଶନ ପୂର୍ବରୁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି । ତେଣୁ ଗର୍ଭବତୀ ମହିଳାମାନେ ନାନା ପ୍ରକାର ହଇରାଣ ହରକତ ହେଉଥିଲେ ।

କରୋନା ସଂକ୍ରମଣର ଭୟ ମଧ୍ୟ ଲାଗି ରହୁଥିଲା । ହେଲେ ଭୁବନେଶ୍ୱରରେ ପ୍ରଥମେ ବରିଷ୍ଠ ନାଗରିକଙ୍କ ପାଇଁ ଘରୁ ସ୍ୱାବ ସଂଗ୍ରହ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାବେଳେ ଏବେ ଗର୍ଭବତୀଙ୍କ ପାଇଁ ମଧ୍ୟ ଘରୁ ନମୂନା ସଂଗ୍ରହ କରିବାକୁ ଯାଉଛି ବିଏମସି । ଏଥିପାଇଁ ବିଏମସିର ଟୋଲ-ଫ୍ରି ନମ୍ବର ୧୯୨୯ରେ ସକାଳ ୮ଟାରୁ ୧୧ଟା ମଧ୍ୟରେ ଫୋନ କରି ବୁକିଂ କରିପାରିବେ । ବୁକିଂ ସମୟରେ ମୋବାଇଲ ନମ୍ବର ଓ ଠିକଣା ଦେବାକୁ ପଡିବ । ବୁକିଂ କରିବାର ପରଦିନ ବିଏମସିର ଟେଷ୍ଟିଂ ଭ୍ୟାନ ପହଂଚି ନମୁନା ସଂଗ୍ରହ କରିବ । ଏବା ଏହା ପରଦିନ ରିପୋର୍ଟ ମିଳିଯିବ ।