ପୁଣି ଲାଲଗଡରେ ଫୁଟିଲା ଗୁଳି ! ମାଓବାଦୀଙ୍କ ଗୁଳିରେ ଦୁରଦର୍ଶନର ଓଡିଆ କ୍ୟାମେରାମ୍ୟାନ ମୃତ, ୨ ଯବାନ ସହିଦ ।

94

କନକ ବ୍ୟୁରୋ : ମାଓବାଦୀଙ୍କ ଗୁଳିରେ ଓଡିଆ କ୍ୟାମେରାମ୍ୟାନଙ୍କ ଜୀବନ ଗଲା । ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ବେଳେ ଘଟିଛି ଏଭଳି  ଅଘଟଣ । ଖବର ସଂଗ୍ରହ କରିବାକୁ ଯାଇଥିବା ଏହି କ୍ୟାମେରାମ୍ୟାନଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ନକ୍ସଲଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ଘଟଣାରେ ଅଳ୍ପକେ ବର୍ତି ଯାଇଥିବା ସାମ୍ବାଦିକ କୁମାର ବଖାଣିଛନ୍ତି ୪୫ ମିନିଟର ସେହି ଭୟଙ୍କର ଦୃଶ୍ୟ ।

ପୁଣି ଲାଲଗଡରେ ଫୁଟିଲା ଗୁଳି । କ୍ୟାମେରାମ୍ୟାନ ମୃତ, ୨ ଯବାନ ସହିଦ । କେମିତି ଥିଲା ଆକ୍ରମଣର ସେହି ୪୫ ମିନିଟ? ଛତିଶଗଡ ଦାନ୍ତୋୱାଡା ନିଲୱାୟା ଜଙ୍ଗଲର ଏହି ଘଟଣା ଛାତି ଥରେଇ ଦେଇଛି । ଛତିଶଗଡର ନିର୍ବାଚନ ଖବର ସଂଗ୍ରହ କରିବାକୁ ଯାଇଥିଲେ ଦିଲ୍ଲୀ ଦୁରଦର୍ଶନରେ କାର୍ଯ୍ୟରତ ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ । ଠିକ ସେହି ସମୟରେ ଅରନପୁର ଥାନା ଅଂଚଳରେ ଥିବା ଏହି ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଚାଲିଥିଲା ଗୁଳି ବିନିମୟ । ମାଓବାଦୀଙ୍କ ଟାର୍ଗଟରେ ଥିଲେ ସୁରକ୍ଷାକର୍ମୀ । ଏହାକୁ ଆଖିଆଗରେ ରଖି ସେମାନେ ଆମ୍ବୁସ କରିଥିଲେ । କିନ୍ତୁ ମାଓବାଦୀଙ୍କ ଏହି ଆମ୍ବୁସ ଭିତରେ ଫଶିଯାଇଥିଲେ ଅଚ୍ୟୁତ ଏବଂ ତାଙ୍କ ଟିମ ।

ଏହି ଘଟଣାରେ ଅଳ୍ପକେ ବଂଚିଯାଇଥିବା ସାମ୍ବାଦିକ କୁମାରଙ୍କ କହିବାନୁସାରେ ଅତି ଭୟାନକ ଥିଲା ଏହି ଘଟଣା । ସମୟ ୧୦.୨୫ । ଏହି ରାସ୍ତାରେ ଲ୍ୟାଣ୍ଡମାଇନ ବିସ୍ଫୋରଣର ଭୟ ଥିବାରୁ ସୁରକ୍ଷାକର୍ମୀଙ୍କ ଏକ ଦଳ ମୋଟରସାଇକେଲରେ ଯାଉଥିଲେ । କ୍ୟାମେରାମ୍ୟାନ ଅଚ୍ୟୁତ ଏକ ମୋଟରସାଇକେଲ ପଛପଟେ ବସି ଯାଉଥିଲେ । ହଠାତ କୁମାର ଗୁଳିର ଶବ୍ଦ ଶୁଣିଥିଲେ । ଆଉ ଦେଖିଲାବେଳକୁ ଗାଡିରୁ ତଳକୁ ଖସିପଡିଥିଲେ ଅଚ୍ୟୁତ । କୁମାର ମଧ୍ୟ ଭାରସାମ୍ୟ ହରାଇ ଏକ ଖାତ ଭିତରେ ପଡିଯାଇଥିଲେ ।

ଏହି ସମୟରେ ପ୍ରାୟ ୪୫ ମିନିଟ ଧରି ଚାଲିଥିଲା ଗୁଳି ବିନିମୟ । ତେବେ ଏହି ଗୁଳି ବିନିମୟରେ ଅଳ୍ପକେ ବର୍ତି ଯାଇଥିଲେ କୁମାର ।  ମାଓବାଦୀଙ୍କ ଗୁଳି ମାଡରେ ଦୁଇଜଣ ଯବାନ ସହିଦ ହୋଇଯାଇଥିଲେ । କ୍ୟାମେରାମ୍ୟାନ ଅଚ୍ୟୁତ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ହସ୍ପିଟାଲ ନେବା ବାଟରେ ହିଁ ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଆଉ ୨ଜଣ ମଧ୍ୟ ଆହତ ହୋଇଛନ୍ତି । ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟେସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା ।

ଅଚ୍ୟୁତଙ୍କ ଘର ବଲାଙ୍ଗିର ଲୋଇସିଂହାରେ ବୋଲି ଜଣାପଡିଛି । ତାଙ୍କ ମୃତ୍ୟୁ ଖବର ଜଣାପଡିବା ପରେ ଲୋଇସିଂହାରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ହଠାତ ଅଚ୍ୟୁତଙ୍କ ଏପରି ମୃତ୍ୟୁକୁ ପରିବାରଲୋକେ ସହଜରେ ଗ୍ରହଣ କରିପାରିନାହାନ୍ତି । ଖବର ଶୁଣିବା ପରେ ସେମାନେ କୋହ ସମ୍ଭାଳି ପାରୁନାହାନ୍ତି । ସେପଟେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜବର୍ଦ୍ଧନ ସିଂହ ରାଠୋର ଏହି ଘଟଣାକୁ ନିନ୍ଦା କରିଛନ୍ତି । ଦୁରଦର୍ଶନର କ୍ୟାମେରାମ୍ୟାନ ଏବଂ ୨ ଯବାନଙ୍କ ମୃତ୍ୟୁରେ ସେ ଟୁଇଟ କରି ଗଭୀର ଶୋକ ପ୍ରକାଶ କରିଛନ୍ତି । ମାଓବାଦୀଙ୍କ ଏହି ଆକ୍ରମଣ ପରେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।