ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପ୍ରସାରଣ କଲେନି ଦୂରଦର୍ଶନ ଓ ଆକାଶବାଣୀ ! ଆପତ୍ତିଜନକ ମନ୍ତବ୍ୟ ହଟାଇବା ନେଇ ପ୍ରସ୍ତାବ ଦେଇଥିଲା ପ୍ରସାର ଭାରତୀ
କନକ ବ୍ୟୁରୋ: ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଭାଷଣ ପ୍ରସାରଣ କରିବାକୁ ମନାକଲେ ଦୂରଦର୍ଶନ ଓ ଆକାଶବାଣୀ । ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ପାରମ୍ପାରିକ ସ୍ୱାଧୀନତା ଦିବସ ଭାଷଣକୁ ଦୂରଦର୍ଶନ ଓ ଆକାଶବାଣୀ ପ୍ରସାରଣ କଲେନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ରେକର୍ଡ କରାଯାଇଥିବା ଭାଷଣରେ କିଛି ପରିବର୍ତ୍ତନ କରିବା ପାଇଁ ପ୍ରସାର ଭାରତୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଭାଷଣରେ କୌଣସି ପରିବର୍ତ୍ତନ କରାଯାଇନଥିଲା । ଫଳରେ ସ୍ୱାଧୀନତା ଦିବସ ଦିନ ସକାଳ ସାଢେ ଛଅଟାରେ ପ୍ରସାରଣ ହେବାକୁ ଥିବା ଭାଷଣକୁ ପ୍ରସାରଣ କରାଯାଇନଥିଲା ।
ମାଣିକ ସରକାରଙ୍କ ଭାଷଣରେ ଜାତୀୟ ଏକତା ଓ ଐତିହ ସଂକ୍ରାନ୍ତରେ କିଛି ଆପତ୍ତିଜନକ କଥା କୁହାଯାଇଥିବାରୁ ଏଥିରେ ପରିବର୍ତ୍ତନ ଆଣିବା ପାଇଁ ପ୍ରସାର ଭାରତୀ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ଆପତ୍ତିଜନକ ଶବ୍ଦରେ କୌଣସି ପରିବର୍ତ୍ତନ ନହେବାରୁ ଏହାକୁ ପ୍ରସାରଣ କଲେନାହିଁ ଦୂରଦର୍ଶନ ଓ ଆକାଶବାଣୀ । ଏହାକୁ ନେଇ ବାମ ସାମ୍ମୁଖ୍ୟ ସରକାର ଓ ପ୍ରସାର ଭାରତୀ ମୁହାଁମୁହିଁ ହୋଇଛନ୍ତି ।
ସୂଚନା ମୁତାବକ, ତ୍ରିପୁରାରେ ଦୀର୍ଘ ୧୯ ବର୍ଷ ଧରି ମାଣିକ ସରକାରଙ୍କ ନେତୃତ୍ୱାଧୀନ ସିପିଏମ ସରକାର ଚାଲିଛି । ନିଜର ସରଳ ଜୀବନଯାପନ ପାଇଁ ମାଣିକଙ୍କ ବେଶ ନାଁ ରହିଛି । ମାଣିକ ସରକାରଙ୍କ ଭାଷଣ ମଙ୍ଗଳବାର ଦିନ ସକାଳ ୬ଟା ୩୦ରେ ପ୍ରସାରିତ ହେବାର ଥିଲା । ଏଥିପାଇଁ ୬ ମିନିଟର ରେକର୍ଡ ବି ସରିଥିଲା ।
କିନ୍ତୁ ପ୍ରସାର ଭାରତୀ ଭାଷଣରେ ପରିବର୍ତ୍ତନ କରିବା ପାଇଁ ମାଣିକ ସରକାରଙ୍କୁ କହିଥିଲେ । କିନ୍ତୁ ମାଣିକ ସରକାର ଏଥିପାଇଁ ମନାକରିଦେଇଥିଲେ । ତେବେ ଭାଷଣ ପ୍ରସାରଣ ନ କରିବାକୁ ଠିକ୍ ପଦକ୍ଷେପ ବୋଲି କହିଛି ପ୍ରସାର ଭାରତୀ । ପ୍ରସାର ଭାରତୀ କହିଛି, ଏହାଦ୍ୱାରା କିଛି ନିୟମର ଉଲ୍ଲଙ୍ଘନ କରାଯାଇନାହିଁ । ଏହାକୁ ନେଇ ଦେଶରେ ଏବେ ନୂଆ ବିତର୍କ ସୃଷ୍ଟି ହୋଇଛି । ସାଂପ୍ରଦାୟିକତାବାଦ ବନାମ ଧର୍ମନିରପେକ୍ଷତାବାଦକୁ ନେଇ ନୂଆ ତର୍ଜମା ଆରମ୍ଭ ହୋଇଛି ।