ସରକାରଙ୍କୁ ଆଇଏମଏ ଅଧ୍ୟକ୍ଷଙ୍କ ପରାମର୍ଶ । କରୋନାର ତୃତୀୟ ଲହରରୁ ରକ୍ଷା ପାଇବାକୁ ହେଲେ ଘର ଘର ବୋଲି କରିବାକୁ ପଡିବ ଟିକାକରଣ

217

କନକ ବ୍ୟୁରୋ : ଭାରତରେ କରୋନା ସଂକ୍ରମଣର ଦ୍ୱିତୀୟ ଲହର ଏବେ ଜାରି ରହିଛି । ଏହାରି ମଧ୍ୟରେ ଦେଶରେ ଦୈନିକ ସଂକ୍ରମଣ କମୁଥିବା ବେଳେ ସଂକ୍ରମଣରେ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏନେଇ ବିଶେଷଜ୍ଞମାନେ କରୋନାର ତୃତୀୟ ଲହରକୁ ନେଇ ଦେଶବାସୀ ତଥା ସରକାରଙ୍କୁ ସଚେତନ କରିବାରେ ଲାଗିଛନ୍ତି । ଏହି ପରିପେକ୍ଷୀରେ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ର ଅଧ୍ୟକ୍ଷ ଡ.ଜିଏ ଜୟାଲାଲ୍ ତୃତୀୟ ଲହରରୁ ରକ୍ଷା ପାଇବାକୁ କିଛି ମହତ୍ୱପୂର୍ଣ୍ଣ ପରାମର୍ଶ ଦେଇଛନ୍ତି ।

ଡ.ଜିଏ ଜୟାଲାଲ୍ କହିଛନ୍ତି କି କରୋନା ବିରୋଧରେ ଆଗକୁ ବଢିବାର ଗୋଟଏ ମାତ୍ର ରାସ୍ତା, ତାହା ହେଉଛି ଟିକାକରଣ  । ଟିକାକରଣ ମନ୍ଥର ହେଲେ ଆମେ କରୋନାର ତୃତୀୟ ଲହରରୁ ରକ୍ଷା ପାଇପାରିବା ନାହିଁ ବୋଲି ସେ କହିଛନ୍ତି । ସେ କହିଛନ୍ତି କି ସମୁହ ଟିକାକରଣର ଆବଶ୍ୟକତା ରହିଛି । ଏଥିପାଇଁ କେନ୍ଦ୍ର ସରକାର ଅଧିକ ଟିକା କିଣିବାର ଆବଶ୍ୟକତା ରହିଛି । ଏହା ସହ ସରକାର ଟିକାକରଣ କେନ୍ଦ୍ର ଚଳାଇବା ସହ ଘର ଘର ବୋଲି ଲୋକଙ୍କୁ ଟିକା ଦେବାର  ଆବଶ୍ୟକତା ରହିଛି । କହିରଖୁ କି ଦେଶରେ ଏପର୍ଯ୍ୟନ୍ତ ମାତ୍ର ୧୮ କୋଟି ଲୋକଙ୍କୁ ଟିକା ଦିଆଯାଇଛି ।

ସୂଚନା ଥାଉକି ଗତ ୨୪ ଘଂଟା ମଧ୍ୟରେ ଦେଶରେ କରୋନା ସଂକ୍ରମଣରେ ୪,୫୨୯ ଜଣଙ୍କର ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ କରୋନା ସଂକ୍ରମଣରେ ମୋଟ ମୃତକଙ୍କ ସଂଖ୍ୟା ୨,୮୩,୨୪୮ ରେ ପହଂଚିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ଗତ ୨୪ ଘଂଟାରେ ଦେଶରେ ୨,୬୭,୩୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨,୫୪,୯୬,୩୩୦ କୁ ବୃଦ୍ଧି ପାଇଛି ।