ବ୍ୟବସାୟୀଙ୍କୁ ନାଲି ଫିତାରେ ବାନ୍ଧିବା ମୋ ସରକାରର ଉଦ୍ଦେଶ୍ୟ ନୁହେଁ : ମୋଦି

32

କନକ ବ୍ୟୁରୋ: ଦେଶରେ ଜିଏସଟି ଲାଗୁ ହେବା ଦ୍ୱାରା କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନେ ଲାଭବାନ ହେବେ । ବ୍ୟବସାୟୀଙ୍କୁ ନାଲି ଫିତାରେ ବାନ୍ଧିବା ମୋ ସରକାରର ଉଦ୍ଦେଶ୍ୟ ନୁହେଁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜିଏସଟି ବା ଦ୍ରବ୍ୟ ଓ ସେବା କର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଥିବା ମୋଦି କହିଛନ୍ତି ।

ଗତ ଶୁକ୍ରବାର ଦିନ ଯେତେବେଳେ ଜିଏସଟି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆ ଯାଇଥିଲା ସମଗ୍ର ଦେଶବାସୀ ପନ୍ଦର ଦିନ ପୂର୍ବରୁ ଦୀପାବଳୀ ଉତ୍ସବ ପାଳନ କରିଥିଲେ ବୋଲି ମୋଦି ଗୁଜରାଟରେ ଆୟୋଜିତ ସଭାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଥିଲେ । ଗୁଜୁରାଟକୁ ଦୁଇ ଦିନିଆ ଗସ୍ତରେ ଯାଇ ମୋଦି ଡିସେମ୍ବରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ତତ୍ପରତା ଦେଖାଇଛନ୍ତି । ଗୁଜୁରାଟର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାଶ କରିବା ସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।

ଶନିବାର ଆୟୋଜିତ ସଭାରେ ଜିଏସଟି ସମାଲୋଚକଙ୍କୁ କଡା ଜବାବ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଯେଉଁ ସମୟରେ ଦେଶରେ ଜିଏସଟି ଲାଗୁ କରାଯାଇଥିଲା ସେତେବେଳେ ଏଥିରେ ଆବଶ୍ୟକ ପରିବର୍ତ୍ତନ କରାଯିବ ବୋଲି ମୋଦି କହିଥିଲେ । ବ୍ୟବସାୟୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଏସଟିରେ ପରିବର୍ତ୍ତନ କରାଯାଇଛି । ବ୍ୟବସାୟୀଙ୍କୁ ଯେପରି କୌଣସି ପ୍ରକାର ଅସୁବିଧାର ସାମ୍ନା ନକରିବାକୁ ପଡିବ, ସେଥିପାଇଁ ଜିଏସଟିକୁ ସରଳରୁ ଅତି ସରଳ କରାଯାଇଛି । ଟ୍ୟାକ୍ସ ପ୍ରଦାନ , ଆମଦାନୀ ରପ୍ତାନୀ ଏବଂ ୨୭ ଟି ଦ୍ରବ୍ୟରେ ଜିଏସଟି କୋହଳ କରାଯିବା ନେଇ ଜିଏସଟି ପରିଷଦରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି । ଦେଶର ବିକାଶ ଓ ସମସ୍ତଙ୍କ ଉନ୍ନତି ମୋ ସରକାରର ଉଦ୍ଦେଶ୍ୟ ବୋଲି ଏହି ଅବସରରେ ମୋଦି କହିଛନ୍ତି ।