କନକ ବ୍ୟୁରୋ : ଦେଶରେ ରାଷ୍ଟ୍ରପତି ନିର୍ବାଚନ ନେଇ ମାହୋଲ ସରଗରମ ରହିଛି । ରାଜନୀତି ସମୀକ୍ଷକଙ୍କ ମତରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଏବେ ଭୋଟ ମାମଲାରେ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କ ଠାରୁ ବହୁ ଆଗରେ ରହିଛନ୍ତି । କାରଣ ଏନଡିଏ ମେଣ୍ଟ ବାହାରେ ବି ଅନ୍ୟ କିଛି ରାଜନୈତିକ ଦଳମାନେ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବା ନେଇ ଘୋଷଣା କରିଛନ୍ତି । ହେଲେ ଏବେ ଆରଜେଡି ନେତା ତଥା ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଦ୍ରୌପଦୀ ମୁର୍ମୁଙ୍କୁ କଟାକ୍ଷ କରି ଏଭଳି କିଛି କହିଛନ୍ତି କି, ଅନୁମାନ କରାଯାଉଛି ଏହାକୁ ନେଇ ଖୁବଶୀଘ୍ର ଜାତୀୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହେବ ।

Advertisment

ତେଜସ୍ୱୀ କହିଛନ୍ତି କି ଦେଶକୁ ଜଣେ ବିଜ୍ଞ ରାଷ୍ଟ୍ରପତିଙ୍କର ଆବଶ୍ୟକତା ରହିଛି ହେଲେ ରାଷ୍ଟ୍ରପତି ଭବନରେ ମୂର୍ତ୍ତିର ଆବଶ୍ୟକତା ଥିବା ଭଳି ଏନଡିଏ ଜଣଙ୍କୁ ପ୍ରାର୍ଥୀ କରିଛି । ଏହାସହ ସେ ଦ୍ରୌପଦୀଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି କି ଏନଡିଏ ତରଫରୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ ହେବା ପରେ ଗୋଟିଏ ବି ସାମ୍ବାଦିକ ସମ୍ମିଳନୀ ନକରିବା ଦ୍ରୌପଦୀଙ୍କ କାର୍ଯ୍ୟଦକ୍ଷତାର ପ୍ରମାଣ ଦେଉଛି । ଏହାସହ ଦ୍ରୌପଦୀ ମୁର୍ମୁ ଦେଶର ସ୍ୱାର୍ଥ ପାଇଁ ହେଉ କି ଆଦିବାସୀଙ୍କ ସ୍ୱାର୍ଥପାଇଁ ହେଉ କେବେ କିଛି କରିଥିବାର ପ୍ରମାଣ ମାଗିଛନ୍ତି ତେଜସ୍ୱୀ ।

ରାଷ୍ଟ୍ରୀୟ ଜନତା ଦଳ ପକ୍ଷରୁ ବିରୋଧୀ ମେଣ୍ଟର ପ୍ରାର୍ଥୀ ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି । ଏହାସହ ବିହାର ବାମଦଳ ଓ କଂଗ୍ରେସ ପକ୍ଷରୁ ବି ୟଶୱନ୍ତ ସିହ୍ନାଙ୍କୁ ସମର୍ଥନ କରିଛନ୍ତି । ସବୁଠାରୁ ବଡକଥା କି ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ତରଫରୁ ଦ୍ରୌପଦୀଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଥିଲେ ବି ବିହାରରେ ଥିବା ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା ଏବେ ୟଶବନ୍ତ ସିହ୍ନାଙ୍କୁ ସମର୍ଥନ ଦେବ ବୋଲି ଜଣାପଡିଛି ।