କୃଷି ଆଇନ ବିରୋଧରେ ଆସନ୍ତା କାଲି କୃଷକ ସଂଗଠନର ୬ ଘଂଟିଆ ରେଳ ରୋକ, ଶାନ୍ତି ବଜାୟ ରଖିବାକୁ ଚାଷୀନେତାଙ୍କ ଆହ୍ୱାନ

362

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନକୁ ବିରୋଧ କରି ଦୀର୍ଘ ୧ ବର୍ଷ ହେବ କୃଷକ ସଂଗଠନମାନେ ଆନ୍ଦୋଳନ ଚଳାଇଛନ୍ତି । ଏହି କ୍ରମରେ ଅକ୍ଟୋବର ୧୮ (ସୋମବାର) ତାରିଖ ଦିନ କୃଷକ ସଂଗଠନ ପକ୍ଷରୁ ୬ ଘଂଟିଆ ରେଳ ରୋକ୍ ପାଇଁ ଆହ୍ୱାନ ଦିଆଯାଇଛି । ଏନେଇ ଭାରତୀୟ କିଷାନ ୟୁନିୟନର ନେତା ଗୁରନାମ ସିଂହ ଚଢୁନୀ କୃଷକ ମାନଙ୍କ ଆହ୍ୱାନ ଦେଇ କହିଛନ୍ତି କି ଆସନ୍ତା କାଲି ସମସ୍ତ କୃଷକଭାଇ ମାନେ ରେଳ ଷ୍ଟେସନ ନିକଟକୁ ଯାଇ ରେଳ ରୋକ କରନ୍ତୁ । ଚଢୁନୀ ଆହୁରି କହିଛନ୍ତି କି ୩ ଟି କୃଷି ଆଇନ ପ୍ରତ୍ୟାହାର, ସର୍ବନିମ୍ନ ସହାୟକ ମୂଲ୍ୟର ପ୍ରତିଶ୍ରୁତି ଓ ଖେରୀ ହତ୍ୟାକାଣ୍ଡ ଘଟଣାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ଅଜୟ ମିଶ୍ରାଙ୍କ ଗିରଫ୍ ଦାବିରେ ଏହି ରେଳରୋକ ଆନ୍ଦୋଳନର ଡାକରା ଦିଆଯାଇଛି ।

ଅନ୍ୟପଟେ ଚଢୁନୀ ସରକାରଙ୍କୁ ଚେତାବନୀ ଦେଇ କହିଛନ୍ତି କି, ସହିବାର ବି ଏକ ସୀମା ଅଛି, ଆମ ଧର୍ଯ୍ୟର ପରୀକ୍ଷା ସରକାର ନନିଅନ୍ତୁ ବୋଲି ସେ କହିବା ସହ ଆନ୍ଦୋଳନ ବେଳେ ହିଂସା ନକରିବାକୁ ସେ କୃଷକମାନଙ୍କୁ ଅନୁରୋଧ କରିଛନ୍ତି ।

କୃଷକ ମହାପଂଚାୟତରେ କୃଷକମାନଙ୍କ ସମ୍ବୋଧିତ କରି ଚଢୁନୀ କହିଛନ୍ତି “ସରକାର ଭାବୁଛନ୍ତି ଏମାନେ ଡରିଯାଇଛନ୍ତି ବୋଲି ଧାରଣାରେ ବସିଛନ୍ତି, ଏହାଠାରୁ ଆଗକୁ ଏମାନେ ଯାଇପାରିବେ ନାହିଁ, ହେଲେ ଆମେ ସବୁକିଛି କରିବା ଜାଣିଛୁ, ଯାହାର ଝଲକ ସରକାର ଜାନୁଆରୀ ୨୬ ତାରିଖରେ ଦେଖିଛନ୍ତି, ହେଲେ ଆମେ ଦେଶରେ ଶାନ୍ତି ରକ୍ଷା କରି ଆନ୍ଦୋଳନ କରୁଛୁ”

କହିରଖୁ କି ଆଜକୁ ପାଖା ପାଖି ୧ ବର୍ଷ ହେବ ଦେଶର ଅନେକ କୃଷକ ସଂଗଠନ ସରକାରଙ୍କ ଦ୍ୱାରା ପାରିତ ୩ ଟି କୃଷି ଆଇନର ପ୍ରତ୍ୟାହାର, ଲେବର କୋର୍ଡ ପ୍ରତ୍ୟାହା ଓ ଉତ୍ପାଦିତ ସାମଗ୍ରୀର ନିଶ୍ଚିନ୍ତ ସହାୟକ ମୂଲ୍ୟ ଦେବାକୁ ଦାବି କରି ଆନ୍ଦୋଳନ ଚଳାଇଛନ୍ତି । ଏହି କ୍ରମରେ ଅନେକ ଥର ଭାରତ ବନ୍ଦ ଡାକରା ଦେଇଛି କୃଷକ ସଂଗଠନ । ଏହାସହ ଏନେଇ ସରକାର ଓ କୃଷକନେତା ମାନଙ୍କ ମଧ୍ୟରେ ଅନେକ ଥର ବି ଆଲୋଚନା ହୋଇଛି । କିନ୍ତୁ ଉଭୟ ସରକାର ଓ କୃଷକ ସଂଗଠନ ତାଙ୍କ ଜିଦରେ ଅଟଳ ଥିବାରୁ ଏହାର କିଛି ନିସ୍କର୍ଷ ବାହାରିପାରି ନାହିଁ ।