ରାଜ୍ୟପାଳ ଜଗଦୀପ୍ ଧନଖରଙ୍କ ମମତା ବାନାର୍ଜୀଙ୍କୁ ଚେତାବନୀ । ସମ୍ବିଧାନର ଆତ୍ମାକୁ ଚିହ୍ନିବାକୁ ଚେଷ୍ଟା କର । ନିଆଁ ସହ ଖେଳିଲେ ମହଙ୍ଗା ପଡିବ

337

କନକ ବ୍ୟୁରୋ : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆହୁରି ପାଖା ପାଖି ୬ ମାସ ବାକି ଅଛି । ହେଲେ ଏବେ ଠାରୁ ରାଜ୍ୟରେ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଆଉ ଏହି ରାଜନୈତିକ ଯୁଦ୍ଧକୁ ନେଇ ଅସହାୟ ହୋଇପଡିଛନ୍ତି ପଶ୍ଚିମବଙ୍ଗର ରାଜ୍ୟପାଳ ଜଗଦୀପ୍ ଧନଖର । ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଶ୍ରୀ ଧନଖର କହିଛନ୍ତି କି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଛି । ଏନେଇ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପ୍ରଶ୍ନ କରିଛନ୍ତି । ସେ ପଚାରିଛନ୍ତି ରାଜ୍ୟ ବହାରର ଲୋକ କିଏ ?, ଏହି ଶବ୍ଦର ଅର୍ଥ କ’ଣ ?. ଭାରତୀୟ ନାଗରିକ ମାନେ କ’ଣ ବାହାର ଲୋକ କି ? ଏଭଳି ଅସହିଷ୍ଣୁ ବିବୃତ୍ତିରୁ ମମତା ଦୂରେଇ ରୁହନ୍ତୁ ବୋଲି ସେ ମମତାଙ୍କୁ ଚେତାବନୀ ଦେଇଛନ୍ତି । ଏହା ସହ ସେ ମମତାକୁ କହିଛନ୍ତି କି ଦିଦି ନିଆଁ ସହ ଖେଳିବାରୁ ନିବୃତ୍ତ ରୁହନ୍ତୁ ଜଣେ ମୁଖ୍ୟମନ୍ତ୍ରୀ ହିସାବରେ ସମ୍ବିଧାନକୁ ଅନୁସରଣ କରନ୍ତୁ ଓ ସମ୍ବିଧାନର ଆତ୍ମାକୁ ମନେ ରଖନ୍ତୁ । ଭାରତର ନାଗରିକ ମାନେ ଭାରତ ଭିତରେ ଯେଉଁଠିକୁ ଗଲେ ବି ସେମାନଙ୍କୁ କେବେ ବାହାର ଲୋକ ହିସାବରେ ଗଣନା କରାଯାଏ ନାହିଁ । ତୁମର ଏଭଳି ଆଚରଣ ଜାରି ରହିଲେ ମୋ କାମ ଆରମ୍ଭ କରିବି ବୋଲି ପରୋକ୍ଷରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟାପଳ ।

ସୂଚନା ଥାଉକି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଯାଇଥିବା ବେଳେ ୨ ଦିନ ଯାକ ତାଙ୍କ ରାଲି ଉପରକୁ ଆକ୍ରମଣ ହୋଇଥିଲା । ଗତକାଲି ସେ ମମତା ବାନାର୍ଜୀଙ୍କ ସଂପର୍କୀୟ ତଥା ଡାଇମଣ୍ଡ ହାର୍ବର ର ସାଂସଦ ଅଭିଷେକ ବାନାର୍ଜୀଙ୍କ ସଂସଦୀୟ କ୍ଷେତ୍ରକୁ ଯାଉଥିବା ବେଳେ ତାଙ୍କ ଗାଡି ଉପରକୁ ତୃଣମୂଳ କଂଗ୍ରେସର କର୍ମୀ ମାନେ ଢେଲା ପଥର ମାଡ କରିଥିଲେ । ଏଥିରେ ତାଙ୍କ ଗାଡିର କାଚ ଭାଙ୍ଗିବା ସହ ବିଜେପିର ବରିଷ୍ଠ ନେତା କୈଳାଶ ବିଜୟବର୍ଗୀଙ୍କ ଗାଡି ଭାଙ୍ଗିଥିଲା ଓ ନିଜେ ବିଜୟବର୍ଗୀ ଆହତ ହୋଇଥିଲେ । ଏହି ସୂଚନା ପାଇବା ପରେ ଗୃହମନ୍ତ୍ରୀ ଅମିତ ଶାହା ଓ ରକ୍ଷମନ୍ତ୍ରୀ ରାଜନାଥ ସିଂ ଏହାକୁ କଡା ନିନ୍ଦା କରିଥିଲେ । ଏନେଇ ଆଜି କେନ୍ଦ୍ର ଗୃହମନ୍ତ୍ରଣାଳୟ ପକ୍ଷରୁ ପଶ୍ଚିମବଙ୍ଗର ଡିଜିପି ଓ ମୁଖ୍ୟ ସଚିବଙ୍କୁ ଡିସେମ୍ବର ୧୪ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।