କନକ ବ୍ୟୁରୋ : ଇସ୍ରାଏଲ- ପାଲେଷ୍ଟାଇନ ଯୁଦ୍ଧ ଭୂମିରୁ ଆସିଛି ବର୍ବରତାର ଦୃଶ୍ୟ । ଜଣେ ଇସ୍ରାଏଲ ଯୁବତୀଙ୍କୁ ହମାସ ଆତଙ୍କବାଦୀ ଅପହରଣ କରିନେଉଥିବା ଭିଡିଓ ଭାଇରାଲ ହେଉଛି । ଯୁବତୀ ଜଣକ ମୋତେ ହତ୍ୟା କରନାହିଁ ବୋଲି ଆତଙ୍କବାଦୀଙ୍କୁ ନେହୁରା ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଅନ୍ୟପଟେ ବାଇକରେ ବଳପୂର୍ବକ ବାଇକରେ ବସାଇ ନେଇଯିବା ବେଳେ ଯୁବତୀ ଛାଡି ଦେବାକୁ, ତାଙ୍କୁ ବଞ୍ଚାଇବାକୁ ଆକୁଳ ନିବେଦନ କରୁଛନ୍ତି ।

Advertisment

ସେହି ସ୍ଥାନରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କୁ ଆତଙ୍କବାଦୀ କାବୁ କରିଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ହମାସ ଆତଙ୍କବାଦୀଙ୍କ ବର୍ବରତାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଗଣମାଧ୍ୟମର ସୂଚନା ଅନୁସାରେ ଅପହୃତ ଯୁବତୀ ହେଉଛନ୍ତି ୨୫ ବର୍ଷ ବୟସ୍କ ନୋଆ ଅର୍ଗାମନି । ରବିବାର ଗାଜା ସୀମା ନିକଟରେ ଆୟୋଜିତ ମ୍ୟୁଜିକ ଫେଷ୍ଟାଭାଲରେ ପୁରୁଷ ବନ୍ଧୁଙ୍କ ସହ ସାମିଲ ହୋଇଥିଲେ ଅର୍ଗାମନି । ଆଉ ସେହି କାର୍ଯ୍ୟକ୍ରମ ଉପରେ ଆକ୍ରମଣ କରିଥିଲେ ହମାସ ଆତଙ୍କବାଦୀ ।

ରକେଟ ଓ ଗୁଳି ମାଡ କରି କାର୍ଯ୍ୟକ୍ରମସ୍ଥଳକୁ ଶ୍ମଶାନରେ ପରିଣତ କରିଦେଇଥିଲେ । ଏହାପରେ କିଛି ଯୁବତୀଙ୍କୁ ଅପହରଣ କରିନେଇଥିବା ଅଭିଯୋଗ ହୋଇଛି । ନୋଆଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ଉଦ୍ଧାର କରିବା ପାଇଁ ତୁରନ୍ତ ଇସ୍ରାଏଲ ସେନାଙ୍କୁ ଅନୁରୋଧ କରିଥିଲେ ପରିବାର ଲୋକେ । ଇସ୍ରାଏଲ ଓ ପାଲେଷ୍ଟାଇନ ମଧ୍ୟରେ ଯୁଦ୍ଧ ଭିତରେ ମହିଳା ଓ ଶିଶୁ ସବୁଠୁ ଅଧିକ ପ୍ରଭାବିତ ହେଉଛନ୍ତି ।