କୋଭିଡ୍ ଟିକାର ଦାମକୁ ନେଇ ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ଶପଥ ନାମା । ‘ସରକାରଙ୍କ ଉପରେ ଅଦାଲତ ଦଖଲର ସୀମା ରହିଛି’

147

କନକ ବ୍ୟୁରୋ : କେନ୍ଦ୍ର ସରକାର ଓ ସୁପ୍ରିମ କୋର୍ଟଙ୍କ ମଧ୍ୟରେ ଟିକାର ଦାମ ଓ ଟିକାକରଣକୁ ନେଇ ଚାଲିଥିବା ମାମଲାରେ  କେନ୍ଦ୍ର ସରକାର ତାଙ୍କର ଶପଥନାମା କୋର୍ଟରେ ଦାଖଲ କରିଛନ୍ତି । ଏଥିରେ କେନ୍ଦ୍ର ସରକାର କହିଛନ୍ତି କି ଟିକାକରଣକୁ ନେଇ କେନ୍ଦ୍ର ସରକାରଙ୍କର ନୀତି ସମାନ ରହିଛି । ସରକାର ସବୁ ରାଜ୍ୟକୁ ଜନସଂଖ୍ୟା ତୁଳନାରେ ଟିକା ପ୍ରେରଣ କରୁଛନ୍ତି । ଏହାସହ ଏଭଳି ମହାମାରୀ ସମୟରେ ସରକାରଙ୍କ ଉପରେ ଅଦାଲତ ହସ୍ତକ୍ଷେପ କରିବାର ଏକ ସୀମା ରହିଛି । ଏହାସହ ଟିକାର ସମାନ ଦାମ ନେଇ କୋର୍ଟରେ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ରବିବାର ଦିନ ତାଙ୍କର ଶପଥନାମା କୋର୍ଟରେ ଦାଖଲ କରିଥିଲେ । ଏଥିରେ କୁହାଯାଇଛି କି, ରାଜ୍ୟ ମାନଙ୍କ ଅନୁରୋଧ ପରେ ୧୮ ରୁ ୪୪ ବର୍ଷର ଲୋକଙ୍କୁ ଟିକା ଦେବାକୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଥିଲେ । ଏହାସହ ପ୍ରତି ରାଜ୍ୟକୁ ସମାନ ଦରରେ ଟିକା ଦେବାକୁ ଟିକା ନିର୍ମାତା କମ୍ପାନୀ ମାନଙ୍କୁ ରାଜି କରାଯାଇଥିଲା ।

ଶପଥନାମାରେ ସରକାର କହିଛନ୍ତି କି ଏହି ନୀତି ନ୍ୟାୟ ସଙ୍ଗତ, ବିନା ଭେଦଭାବରେ ୧୮ ରୁ ୪୫ ବର୍ଷର ଲୋକଙ୍କୁ ଟିକାକରଣ ନିମନ୍ତେ କରାଯାଇଛି । ଏହାସହ ଏଭଳି ମାମଲାରେ କୋର୍ଟଙ୍କ ହସ୍ତକ୍ଷେପର ଆବଶ୍ୟକତା ନାହିଁ ବୋଲି ସରକାର କହିଛନ୍ତି ।

କହିରଖୁ କି କୋଭିଡ-୧୯ ଟିକା ମୂଲ୍ୟ ନିର୍ଦ୍ଧାଣ ଉପରେ ଆଉଥରେ ବିଚାର କରିବାକୁ କୋର୍ଟ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଏଭଳି ଶପଥନାମା କୋର୍ଟଙ୍କୁ ଦିଆଯାଇଛି । ଏହି ମାମଲାରେ ଆଜି ଶୁଣାଣି ହେବାର ଅଛି ।