ଲୁଚିପାରିବନି କରୋନା । ଘର ଘର ବୁଲି ଖୋଜା ଚାଲିଛି ଭାଇରସ । ଆଶା, ଅଙ୍ଗନୱାଡି, ଏନଏନଏମ କର୍ମୀମାନେ ଗୋଡେଇ ଗୋଡେଇ ଭୂତାଣୁକୁ ଖୋଜୁଛନ୍ତି । କେଉଁଠି ବି ଯେମିତି କରୋନା ଲୁଚି ନରହୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ ।

828

କନକ ବ୍ୟୁରୋ: ଲୁଚିପାରିବନି କରୋନା । ଓଡିଶାରେ ଘର ଘର ବୁଲି ଖୋଜା ଚାଲିଛି ଭାଇରସ । ଭୂତାଣୁ ପଛରେ ଆମେ ଗୋଡାଉଛୁ । ଆଶା, ଅଙ୍ଗନୱାଡି କର୍ମୀ ଓ ଏନଏନଏମ ଦିଦିମାନେ ଦୁଆର ଦୁଆର ବୁଲି କରୋନା ଖୋଜୁଛନ୍ତି । କୌଣସି ଜଣଙ୍କ ଠାରେ ବି ସାମାନ୍ୟ ଲକ୍ଷଣ ଥିଲେ ସେମାନଙ୍କୁ ସଙ୍ଗେ ସଙ୍ଗେ ଆଇସୋଲେସନ କରାଯାଉଛି ଏବଂ ସେମାନଙ୍କ ଚିକିତ୍ସା ଆରମ୍ଭ କରାଯାଉଛି ବୋଲି କହିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ।

ବଢ଼ୁଥିବା ସଂକ୍ରମଣକୁ ନେଇ ଚିନ୍ତା ନକରିବାକୁ ରାଜ୍ୟବାସୀଙ୍କୁ ସରକାରଙ୍କ ପରାମର୍ଶକୁ ଶୁଣାଇଛନ୍ତି ପ୍ରଦୀପ୍ତ । ଟେଷ୍ଟିଂ ଓ ଟ୍ରେସିଂ ବଢ଼ୁଥିବାରୁ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟର ସୁସ୍ଥ ହାର ଅଧିକ । ତେଣୁ କୌଣସି ବି ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ ଓ ଗାଁ ଗାଁରେ ବୁଲି ସର୍ଭେ କରୁଥିବା ଟିମକୁ ତୁରନ୍ତ ଜଣାନ୍ତୁ ।

ତେବେ ଆମେ ଅନ୍ୟ ରାଜ୍ୟଠୁ ଭଲ ସ୍ଥିତିରେ ରହିଛୁ । ମହାମାରୀର ମୁକାବିଲା ଭଲରେ କରୁଛୁ । ଓଡିଶା ଦେଶ ଭିତରେ ଭଲ ସ୍ଥିତିରେ ରହିଛି । ମୃତ୍ୟୁ ହାର ଅନ୍ୟମାନଙ୍କ ତୁଳନାରେ କମ ରହିଛି । କେମିତି ମୁକାବିଲା କରିହେବ ସେଥିପାଇଁ ଆମେ ଆଗାମୀ ୪ ମାସ ପାଇଁ ପ୍ରସ୍ତୁତ ଅଛୁ । ଅଗଷ୍ଟ ୩୧ ଯାଏଁ ସବୁ ପ୍ଲାନ ସରିଛି । ପର୍ଯ୍ୟାପ୍ତ ପରିମାଣରେ ଔଷଧ ମହଜୁଦ ଅଛି, ୩ ଲକ୍ଷ ଆଣ୍ଟିଜେନ କିଟ୍ ଗଚ୍ଛିତ ଅଛି । ୪ ମାସ ପାଇଁ ଯାହା ଦରକାର ତାହା ସବୁ ଗଚ୍ଛିତ ଅଛି । ପ୍ରତ୍ୟେକ ଜୀବନ ଆମ ପାଇଁ ମୁଲ୍ୟବାନ । ତେଣୁ ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ । ପରୀକ୍ଷା କରାନ୍ତୁ, ଟେଷ୍ଟିଂର ସବୁ ଖର୍ଚ୍ଚ ସରକାର ବହନ କରୁଛନ୍ତି ।

ସେପଟେ ୭୦ ଭାଗରୁ ଅଧିକ ଲୋକ ବିନା ଲକ୍ଷଣ ଦ୍ୱାରା ପଜିଟିଭ ହେଉଛନ୍ତି । ହସ୍ପିଟାଲ ନଯାଇ ସେମାନନେ ଘରେ ରୁହନ୍ତୁ । ଗାଁରେ ବି ବିନା ଲକ୍ଷଣ ଥିବା ଲୋକ ଘରେ ରହିପାରିବେ । ୯ରୁ ୧୦ ଦିନ ଘରେ ରହିଲେ ରୋଗରୁ ମୁକ୍ତ ହୋଇଯିବେ ।