ରାଜ୍ୟରେ କରୋନା ସ୍ଥିତି ନେଇ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ: ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ସଂକ୍ରମଣ ବଢୁଥିବା ନେଇ ରଖିଲେ ଉଦାହରଣ; ସାମାନ୍ୟତମ ଲକ୍ଷଣରୁ ମୃତ୍ୟୁର ଦୂରତା ହୋଇପାରେ ୨୪ଘଂଟା

1,439

କନକ ବ୍ୟୁରୋ: ରାଜ୍ୟରେ କରୋନା ସ୍ଥିତି ନେଇ ସୁବ୍ରତ ବାଗଚୀଙ୍କ ସାମ୍ବାଦିକ ସମ୍ମିଳନୀ । ଲକ୍ଷଣ ନଲୁଚାଇବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗଚୀ । ଲକ୍ଷଣ ଲୁଚାଇଲେ ସୁସ୍ଥରୁ ଭେଂଟିଲେଟରର ଦୂରତା କେବଳ ୨୪ଘଂଟାର ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି । ଏବଂ ସାମାନ୍ୟତମ ଲକ୍ଷଣରୁ ମୃତ୍ୟୁର ଦୂରତା କେବଳ ୨୪ଘଂଟା ହୋଇପାରେ ବୋଲି ସତର୍କ କରାଇ ଦେଇଛନ୍ତି । ଏହାସହ ନିୟମ ଉଲ୍ଲଙ୍ଘନକାରୀଙ୍କ ଯୋଗୁଁ ସଂକ୍ରମଣ ବଢୁଥିବା ନେଇ ଉଦାହରଣ ରଖିଛନ୍ତି ।

ବ୍ରହ୍ମପୁରର ଏକ ଉଦାହରଣ ଦେଇ ବାଗଚୀ କହିଛନ୍ତି ଯେ, ଲକଡାଉନ ଚାଲିଥିବା ସମୟରେ ବ୍ରହ୍ମପୁରର ଜଣେ ଗହଣା ଦୋକାନୀ ପଛପଟ କବାଟ ଦେଇ ଘର ଘର ବୁଲି ଗହଣା ବିକିଥିଲେ । ଏପରିକି କରୋନା ପଜିଟିଭ ଆସିବା ପରେ ମଧ୍ୟ ସେ ହୋମ୍ କ୍ୱାରେଂଟିନରେ ନ ରହି , ଘରୁ ଭୁବନେଶ୍ୱର ଲୁଚି ପଳାଇ ଆସିଥିଲେ । ଏହାପରେ ଲକ୍ଷଣ ବଢିବା ସହ ସେ ଭୁବନେଶ୍ୱରର ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଘରୋଇ ମେଡିକାଲକୁ ପରୀକ୍ଷା ପାଇଁ ଗଲେ । ଏବେ ସେ ନିଜେ ବିପଦରେ ଅଛନ୍ତି, ଅନ୍ୟମାନଙ୍କୁ ବି ବିପଦକୁ ଟାଣିଆଣିଛନ୍ତି ବୋଲି ଉଦାହରଣ ଦେଇଛନ୍ତି କୋଭିଡ ମହାମାରୀକୁ ନେଇ ଲୋକଙ୍କଠାରେ ଅସାବଧାନତା ବିଷୟରେ କହିଛନ୍ତି ରାଜ୍ୟ ସରକାରଙ୍କ କୋଭିଡ ମୁଖପାତ୍ର ସୁବ୍ରତ ବାଗଚୀ ।

ତେବେ କୋଭିଡ ସମସ୍ତଙ୍କୁ ମାରୁନାହିଁ ସତ କିନ୍ତୁ ସୁସ୍ଥ ଦେଖାଯିବା ଏବଂ ଭେଂଟିଲେଟର ପର୍ଯ୍ୟନ୍ତ ପହଂଚିବାର ବ୍ୟବଧାନ ବହୁ କ୍ଷେତ୍ରରେ ମାତ୍ର ୨୪ ଘଂଟାଠାରୁ ମଧ୍ୟ କମ ରହୁଛି ବୋଲି ଚେତାବନୀ ଦେଇଛନ୍ତି ବାଗଚୀ । ତେଣୁ ଆମକୁ ମନେ ରଖିବାକୁ ହେବ କି ଆଶଙ୍କା କମିନାହିଁ, ଭୟ ସାଙ୍ଗରେ ସାବଧାନତାକୁ ବି ଆମକୁ ଗୁରୁତ୍ୱ ଦେବାକୁ ପଡିବ । ଜନ୍ମ ଦେଇଥିବା ବାପାମାଆଙ୍କ ମୁହଁକୁ ଅନେଇ ଆମକୁ ବିବେକର ସହ କାମ କରିବାକୁ ହେବ । ହୋମ କ୍ୱାରେଂଟିନକୁ ସଂପୂର୍ଣ୍ଣ ଭାବେ ଗୁରୁତର ସହିତ ଆମକୁ ମାନିବାକୁ ହେବ । ମାସ୍କ ପିନ୍ଧନ୍ତୁ, ମାସ୍କ ପିନ୍ଧାନ୍ତୁ ଏବଂ ଅନ୍ୟଙ୍କୁୁ କରୋନାର ଭୟାବହତା ସଂପର୍କରେ ସଚେତନ କରାଇବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସରକାର । ଘରେ ବସିଲେ ସମସ୍ତଙ୍କୁ ବିରକ୍ତ ଲାଗିବ, ତେଣୁ ଟାଇମ କରିବା ପାଇଁ ଗାଡି ଧରି ବାହାରକୁ ବାହାରି ଗଲେ ଟାଇମ ପାସ ତ ହୋଇଯିବ ସତ କିନ୍ତୁ ଲାଇଭ୍ ମଧ୍ୟ ଫେଲ ହେବାର ସମ୍ଭାବନା ରହିଛି । ତେଣୁ ଟାଇମ ପାସ୍ = ଲାଇଭ୍ ଫେଲ୍ । ଟାଇମ ପାସ୍ କରୁ କରୁ ଯଦି ଲାଇଭ ଫେଲ ହୋଇଗଲା ତେବେ ତାର ଦ୍ୱାୟିତ୍ୱ କିଏ ନେବ ବୋଲି ପ୍ରଶ୍ନ କରିଛନ୍ତି ସୁବ୍ରତ ବାଗଚୀ ।