ଖୋର୍ଦ୍ଧା ଏସପିଙ୍କୁ କରୋନା : ସ୍ୱାବ୍ ଟେଷ୍ଟ ପରେ ଏସପି ଅଜୟ ପ୍ରତାପ ସ୍ୱାଇଁ କରୋନା ଆକ୍ରାନ୍ତ ଚିହ୍ନଟ; ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ ଆଇସୋଲେସନରେ ଅଛନ୍ତି ଏସପି

271

କନକ ବ୍ୟୁରୋ : ଖୋର୍ଦ୍ଧା ପୋଲିସ ଏସପିଙ୍କୁ କରୋନା । ସ୍ୱାବ୍ ଟେଷ୍ଟ ପରେ ଏସପି ଅଜୟ ପ୍ରତାପ ସ୍ୱାଇଁଙ୍କର କୋଭିଡ୍ -୧୯ ପଜିଟିଭ୍ ଆସିଥିବା ସେ ନିଜେ ସୂଚନା ଦେଇଛନ୍ତି । କରୋନା ପଜିଟିଭ୍ ଜଣାପଡିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ସେ ହୋମ ଆଇସୋଲେସନରେ ରହିଥିବା କହିଛନ୍ତି । ତାଙ୍କ ନିକଟରେ କରୋନାର କୌଣସି ଲକ୍ଷଣ ଦେଖାଯାଉନଥିଲା, ହେଲେ ପୂର୍ବରୁ ତାଙ୍କ ଅଫିସର ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହା ପରେ ଅନ୍ୟ ଷ୍ଟାଫ ଓ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇଥିଲା ବୋଲି ସେ ସୁଚନା ଦେଇଛନନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ପୁଲିସ ମୁଖ୍ୟାଳୟର ଜଣେ କର୍ମଚାରୀ ସଂକ୍ରମିତ ହୋଇଥିଲେ । ସଂପୃକ୍ତ କର୍ମଚାରୀ ସଂକ୍ରମିତ ହେବାରୁ ଅନ୍ୟମାନଙ୍କର ସ୍ୱାବ୍ ନିଆଯାଇଥିଲା । ସ୍ୱାବ୍ ଟେଷ୍ଟରେ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକ ଅଜୟ ପ୍ରତାପ ସ୍ୱାଇଁଙ୍କର ପଜିଟିଭ ଆସିଥିବା ଜଣାପଡ଼ିଥିଲା । ତାଙ୍କୁ ଡାକ୍ତର ହୋମ୍ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଥିବା ଜଣାଯାଇଛି । ରାଜ୍ୟରେ ୧୬୯୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୨୯ଟି ଜିଲ୍ଲାରୁ ଆଜି ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୦୭୩ ଓ ସ୍ଥାନୀୟ ଅଞ୍ଚଳରୁ ୬୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦,୭୧୭କୁ ବୃଦ୍ଧି ପାଇଛି ।