ଉତ୍ତରାଖଣ୍ଡରେ ନିଖୋଜ ଓଡ଼ିଆ ଯୁବକଙ୍କ ମିଳୁନି ପତ୍ତା । ହିମସ୍ଖଳନ ଖବର ପରେ ରେଣୀ ବ୍ୟାରେକଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ସ୍ତ୍ରୀ

103

କନକ ବ୍ୟୁରୋ : ଉତ୍ତରାଖଣ୍ଡ ହିମସ୍ଖଳନରେ ଭଦ୍ରକ ଜିଲ୍ଲା ଧାମରା ଅଂଚଳର ଜଣେ ଯୁବକ ନିଖୋଜ ହୋଇଛନ୍ତି । ବାଂଶଡା ଥାନା ଯଶିପୁର ପଂଚାୟତ କୁଦରକାନ୍ଥି ଗାଁର ରବି ଦାସଙ୍କ ପୁଅ ନାଗାର୍ଜୁନ ଦାସଙ୍କ ମିଳୁନି ପତା । ଉତରାଖଣ୍ଡ ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ଅନ୍ତର୍ଗତ ତପୋବନର ରେଣୀ ବ୍ୟାରେଜ୍ରେ ନାଗାର୍ଜୁନ ୨୦୨୦ ନଭେମ୍ବର ୫ ତାରିଖଠାରୁ ଡ୍ରୋଜର ଡ଼୍ରାଇଭର ଭାବେ କାମ କରୁଥିଲେ ।

ରବିବାର ହୋଇଥିବା ଭୟଙ୍କର ହିମସ୍ଖଳନରେ ଶତାଧିକ ଶ୍ରମିକ ନିଖୋଜ ହୋଇଯାଇଥିବା ବେଳେ ନାଗାର୍ଜୁନ ମଧ୍ୟ ଭାସି ଯାଇଥିବା ଅନୁମାନ କରାଯାଉଛି । ନାଗାର୍ଜୁନଙ୍କ ସ୍ତ୍ରୀ ଲିପୁସ୍ମିତା ଫୋନରେ ସ୍ୱାମୀଙ୍କ ସହ ଯୋଗାଯୋଗ କରି ନିରାଶ ହେବା ପରେ ତପୋବନର ରେଣୀ ବ୍ୟାରେଜ ପ୍ରକଳ୍ପ ଅଧିକାରୀଙ୍କ ସହ କଥା ହୋଇଥିଲେ ।

ନନ୍ଦାଦେବୀରେ ହିମସ୍ଖଳନ ଯୋଗୁ ଅଳକାନନ୍ଦା ଓ ଧୋଲିଗଙ୍ଗା ନଦୀରେ ଅଚାନକ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଶ୍ରମିକ ନିଖୋଜ ହୋଇଥିବା ବେଳେ ନାଗାର୍ଜୁନଙ୍କର କୌଣସି ପତା ମିଳୁନଥିବା ଅଧିକାରୀ ଜଣଙ୍କ କହିଛନ୍ତି । ଏପଟେ ଗାଁରେ ନାଗାର୍ଜୁନଙ୍କ ପତ୍ନୀ ୨ମାସର ଶିଶୁ ପୁତ୍ର, ବାପା, ମା ନାଗାର୍ଜୁନଙ୍କ ଫେରିବା ବାଟକୁ ଚାହିଁବସିଛନ୍ତି ।