‘ଭାଇ ! ପରିସ୍ଥିତି ଯେମିତି ଆସୁ କେବେ ଜୀବନ ହାରିବୁନି...’ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଦେଇଛି ଭାଇକୁ ରାଣ । ଏଥର ପାଉଣା ବଦଳରେ ଭାଇମାନେ ଦିଅନ୍ତୁ ପ୍ରତିଶ୍ରୁତି ।

Advertisment
‘ଭାଇ ! ପରିସ୍ଥିତି ଯେମିତି ଆସୁ କେବେ ଜୀବନ ହାରିବୁନି...’ ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀ ଦେଇଛି ଭାଇକୁ ରାଣ । ଏଥର ପାଉଣା ବଦଳରେ ଭାଇମାନେ ଦିଅନ୍ତୁ ପ୍ରତିଶ୍ରୁତି ।

କନକ ବ୍ୟୁରୋ: ପ୍ରିୟ ଭାଇ, ମୋର ପ୍ରଣାମ ନେବୁ, ଆଶା କରୁଛି ଭଲରେ ଥିବୁ...
ପ୍ରତି ବର୍ଷ ରାକ୍ଷୀ ଆସେ କିନ୍ତୁ ତୁ ଆସୁନା, ତୋ କାର୍ଯ୍ୟ ବ୍ୟସ୍ତତା ପାଇଁ... ସବୁ ଥର ମୁଁ ତୋ ଠିକଣାରେ ରାକ୍ଷୀ ପଠାଏ, ଆଉ ତୁ ମତେ ରାକ୍ଷୀର ପାଉଣା ବି ପଠାଉ । ଭାଇ ! ଏ ବର୍ଷ ବି ରାକ୍ଷୀ ପଠାଉଛି କିନ୍ତୁ ତୁ ଏଥର ମତେ ପାଉଣା ପଠାଇବୁନି ତା ବଦଳରେ ମୋର ଗୋଟେ କଥା ରଖିବୁ... ଭାଇ ! ମତେ କଥା ଦେ, ଜୀବନରେ ଯେମିତି ବି ପରିସ୍ଥିତି ଆସୁନା କାହିଁକି ତୁ କେବେ ଭାଙ୍ଗି ପଡିବୁନି । ସମୟ ଯେତେ ଖରାପ ଥାଉ ନା କାହିଁକି ତୁ କେବେ ଭୁଲ ନିଷ୍ପତ୍ତି ନେବୁନି... ହାରିଯାଇ ଜୀବନ ହାରିବୁନି କି ଆତ୍ମହତ୍ୟା ପରି ଚରମ ନିଷ୍ପତ୍ତି ନେବୁନି... ଏଇଟା ତୋ ଭଉଣୀର ରାଣ । ଏଇଟା ରାକ୍ଷୀର ରାଣ... ରହିଲି

। ଇତି ।
ତୋର ଗେହ୍ଲି ଭଉଣୀ

ପ୍ରତି ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭାଇ ହାତରେ ରାକ୍ଷୀ ବାନ୍ଧିବା ବେଳେ ଭଉଣୀ ତାର ସୁରକ୍ଷା ପାଇଁ ପ୍ରତିଶ୍ରୁତି ମାଗେ । ଆଉ ଭାଇ ବି ଭଉଣୀର ବିପଦେ ଆପଦେ ଛିଡା ହେବାକୁ ତା ମଥାରେ ଭରସାର ହାତ ରଖି ଦିଏ । ସୂତା ଖିଅର ଏ ବନ୍ଧନ, ସମ୍ପର୍କର ସେତୁ ବାନ୍ଧିଦିଏ ଭାଇ-ଭଉଣୀଙ୍କ ଭିତରେ, ସାରା ଜୀବନ ପାଇଁ... ହେଲେ ଏବେ କିନ୍ତୁ ଭଉଣୀଟିଏ ଭାଇ ହାତରେ ରାଖି ବାନ୍ଧିବା ବେଳେ ତା ଭାଇଠୁ ନିଜ ସୁରକ୍ଷା କଥା ନୁହେଁ ବରଂ ଭାଇ ନିଜର ସୁରକ୍ଷା କେମିତି ନିଜେ ନେବ ଆଉ ସେ କେମିତି ସୁରକ୍ଷିତ ରହିବ ସେହି ପ୍ରାର୍ଥନା କରୁଛି ।

ଗତାନୁଗତିକ ସମୟରେ ଆତ୍ମହତ୍ୟା ଏକ ବ୍ୟାଧି ପାଲଟିଗଲାଣି । କିଛି ଲୋକଙ୍କୁ ଜୀବନ ବୋଝ ଲାଗୁଥିବାରୁ ସମାଜରେ ଆତ୍ମହତ୍ୟାଜନିତ ଘଟଣା ଏବଂ ମୃତ୍ୟୁର ସଂଖ୍ୟା ଧିରେଧିରେ ବଢିବାକୁ ଲାଗିଲାଣି । ଜୀବନରେ ଯଦି କେବେ, କିଛି ବି ପ୍ରତିକୂଳ ପରିସ୍ଥିତି ଆସୁଛି ଏବେ ଲୋକ ତାର ସାମ୍ନା କରିବାକୁ ଧୈର୍ଯ୍ୟ ଧରୁ ନାହାନ୍ତି ବରଂ ସାଙ୍ଗେସାଙ୍ଗେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇ ଜୀବନ ହାରିଦେଉଛନ୍ତି । ନା ଘର କଥା ଭାବୁଛନ୍ତି ନା ପରିବାର କଥା ଚିନ୍ତା କରୁଛନ୍ତି । ସ୍ୱାର୍ଥପରର ସଂଜ୍ଞା ନେଇ ନିଜକଥା ହିଁ କେବଳ ଭାବି ଆୟୁଷ ସରିବା ଆଗରୁ ନିଜକୁ ହତ୍ୟା କରିଦେଉଛନ୍ତି...

publive-image

କେଉଁଠି ପ୍ରେମଜନିତ, କେଉଁଠି ବୈବାହିକ ଜୀବନରେ ଝଡ ପୁଣି କେଉଁଠି ପାରିବାରିକ ଓ ଋଣବୋଝ ଆତ୍ମହତ୍ୟାର କାରଣ ପାଲଟେ । କ୍ୟାରିୟରେ ଅସଫଳ, ବେରୋଜଗାରୀ, ଅନୈତିକ ସମ୍ପର୍କ ବି କେବେକେବେ ଆତ୍ମହତ୍ୟା ଭଳି ଅମଡା ବାଟରେ ଯିବାକୁ ମଣିଷକୁ ହାତ ଠାରି ଡାକେ । କିନ୍ତୁ ଜୀବନକୁ ପାଣି ଫୋଟକା ଭାବି ଫଟେଇ ଦେଉଥିବା ମଣିଷମାନେ ଥରେ ଭାବିବା ଦରକାର ଯେ, ସେମାନଙ୍କ ପାଇଁ କିଏ ଜଣେ ଅପେକ୍ଷା କରିଛି ।
କାହା ଘରେ ପୁଅର ଫେରିବା ବାଟକୁ ବାପାମାଆ ଅପେକ୍ଷା କରିଥିବେ ତ କାହା ଘରେ ସ୍ୱାମୀର ଫେରିବା ବାଟକୁ ଚାହିଁ ରହିଥିବ ସ୍ତ୍ରୀ । ପୁଣି କେଉଁଠି ଭଉଣୀଟେ ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଅନେଇ ରହିଥିବ । କିନ୍ତୁ ଭାଇ ଫେରୁନଥିବ, ପୁଅ ଫେରୁନଥିବ, ସ୍ୱାମୀ ଆସୁନଥିବେ... ଆତ୍ମହତ୍ୟାକୁ ଆପଣେଇ ଏମାନେ ଆରପାରିକୁ ଚାଲିଯାଇଥିବେ । ଓଃ କି ଯନ୍ତ୍ରଣାଦାୟକ ଏ ଖବର... ଜୀବନ ବୋଝ ନୁହେଁ । ଜୀବନ ଏକ ସୁନ୍ଦର ଫୁଲ । ଆତ୍ମହତ୍ୟା ନକରି ଜୀବନକୁ ଜିଇଁଶିଖ- ଗୀତ ମାଧ୍ୟମରେ ଲୋକଙ୍କୁ ସଚେତନ କରିବାକୁ ପ୍ରୟାସ କରିଛନ୍ତି ମ୍ୟୁଜିତ୍ ସାଇଣ୍ଟିଷ୍ଟ ପ୍ରେମ୍ ଆନନ୍ଦ ।

ଜୀବନ ଅଛି ମାନେ ଯନ୍ତ୍ରଣା ଅଛି । ଖରାପ ସମୟ ପରେ ଭଲଦିନର ଅୟମାରମ୍ଭ ହେବ । ତେଣୁ ବ୍ୟତିବ୍ୟସ୍ତ ନହୋଇ, ବିବ୍ରତ ନହୋଇ ଟିକେ ଖାଲି ଧୈର୍ଯ୍ୟ ଧର । ସମୟ ଆଗରେ ମୁଣ୍ଡ ନୁଆଁଇ ଦମ୍ଭର ସହ ଛିଡା ହୁଅ ଦେଖିବ- ସେ ସମୟ ବି ଚାଲିଯିବ । ଜୀବନ ପୁଣି ଥରେ ହସିବ, ଜୀବନ ଭାରି ଭଲଲାଗିବ । ଏଥର ରାକ୍ଷୀ ପୂର୍ଣ୍ଣମୀରେ ଭାଇକୁ ରାକ୍ଷୀର ରାଣ ଦେଇଛି ଭଉଣୀ । ଆପଣ ବି ଆପଣଙ୍କ ଭାଇକୁ ସମାନ କଥା କୁହନ୍ତୁ, ପାଉଣା ବଦଳରେ ଆତ୍ମହତ୍ୟା ନକରିବାର ପ୍ରତିଶ୍ରୁତି ମାଗନ୍ତୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe