ଇନ୍ଦୋର ବିଧାୟକଙ୍କ ଗୁଣ୍ଡାଗର୍ଦ୍ଦି ନେଇ ବିଜେପି ସଂସଦୀୟ ଦଳ ବୈଠକରେ ନାଁ ନନେଇ ମୁହଁ ଖୋଲିଲେ ମୋଦି । କହିଲେ, ଯାହାର ପୁଅ ହେଉ ଦଳରୁ ବାହାର କରିବା ଉଚିତ

ସମର୍ଥନ କରୁଥିବା ବ୍ୟକ୍ତିଙ୍କ ଉପରେ ବି ହେଉ କାର୍ଯ୍ୟାନୁଷ୍ଠାନ

211

କନକ ବ୍ୟୁରୋ: ଇନ୍ଦୋରରେ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ଗୁଣ୍ଡାଗର୍ଦି ନେଇ କଡା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାହାର ନାଁ ନ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସିଏ ଯାହାର ବି ପୁଅ ହୁଅନ୍ତୁ ନା କାହିଁକି ଏଭଳି ଆଚରଣକୁ ଆଦୌ ବରଦାସ୍ତ କରାଯିବନାହିଁ । ଯେଉଁମାନେ ଏହାକୁ ସମର୍ଥନ କରିଛନ୍ତି ସେମାନଙ୍କୁ ବି ଦଳରୁ ବାହାର କରାଯିବା ଦରକାର । ଆଜି ବିଜେପି ସଂସଦୀୟ ଦଳ ବୈଠକରେ ଏ ନେଇ କଡା ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

ବିଜେପିର ବରିଷ୍ଠ ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ତଥା ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କ ଗୁଣ୍ଡାଗିରିର ଭିଡିଓ କିଛି ଦିନ ତଳେ ବେଶ ଚର୍ଚ୍ଚାର ବିଷୟ ହୋଇଥିଲା । ନିଗମ ଅଧିକାରୀଙ୍କୁ ବ୍ୟାଟରେ ପିଟିଥିଲେ ଆକାଶ ବିଜୟବର୍ଗୀୟ । ଇନ୍ଦୋରରେ ଉଚ୍ଛେଦ ବେଳେ ନିଗମ ଅଧିକାରୀଙ୍କୁ ମାଡ ମାରିଥିଲେ ଆକାଶ । ଏହି ଘଟଣାରେ ବିଧାୟକଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ଏହା ପରେ ଆକାଶ ଗିରଫ ହୋଇଥିଲେ । ରବିବାରଦିନ ସେ ଜାମିନରେ ଆସିଛନ୍ତି । ଆକାଶଙ୍କୁ କୈଳାସ ବିଜୟବର୍ଗୀୟ ଓ କିଛି ବିଜେପି ସମର୍ଥକ ଖୋଲାଖୋଲି ସମର୍ଥନ କରିଥିଲେ । ଏପରିକି ଜେଲରୁ ମୁକୁଳିବା ଦିନ ଉତ୍ସବ ପାଳିଥିଲେ ଆକାଶ ବିଜୟବର୍ଗୀୟଙ୍କ ସମର୍ଥକ ।