କନକ ବ୍ୟୁରୋ : ମିଛ ଖବରକୁ ନେଇ ବିଚଳିତ ନହେବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ରିଲିଫ୍ କମିଶନର ପ୍ରଦୀପ ଜେନା । ଲକଡାଉନ ଓ ଅନଲକ ନେଇ ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଚର୍ଚ୍ଚା ଉପରେ ସ୍ପଷ୍ଟିକରଣ ରଖି, ପ୍ରଦୀପ ଜେନା କହିଛନ୍ତି- ନିର୍ଦ୍ଧିଷ୍ଟ ସମୟରେ ଏନେଇ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିବେ । ଲକଡାଉନ୍ ଓ ଅନଲକ ନେଇ ବର୍ତମାନ ସୁଦ୍ଧା ରାଜ୍ୟ ସରକାର କୌଣସି ମାର୍ଗଦର୍ଶିକା ଜାରି କରି ନାହାଁନ୍ତି ।
୧୭ ତାରିଖ ପରେ କ’ଣ ହେବ ତାକୁ ନେଇ ସୋସିଆଲ ମିଡ଼ିଆରେ ବିଭିନ୍ନ ପୋଷ୍ଟ ଘୁରି ବୁଲୁଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ୍ କମିଶନର ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି । ସେହିପରି ଯେଉଁମାନେ ଲକଡାଉନ ଓ ଅନଲକ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି, ସେମାନେ ପୋଷ୍ଟ ହଟାଇ ନେବାକୁ ଅନୁରୋଧ କରିଛନ୍ତି । ଅଯଥାରେ ଲୋକଙ୍କ ଭିତରେ ଦ୍ୱନ୍ଦ୍ବ ସୃଷ୍ଟି ନକରିବା ପାଇଁ ସେ ଅନୁରୋଧ କରିଛନ୍ତି । ଏହି ପ୍ରସଙ୍ଗରେ ପୁଲିସ୍ ଡିଜିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।