ଚୀନ ସାମ୍ବାଦିକାଙ୍କ ପ୍ରଶ୍ନରେ ଚିହିଁକି ଉଠିଲେ ଟ୍ରମ୍ପ ! ଅଧାରୁ ସାମ୍ବାଦିକ ସମ୍ମିଳନୀରୁ ଉଠିଗଲେ ଆମେରିକା ରାଷ୍ଟ୍ରପତି । ସାମ୍ବାଦିକାଙ୍କ ପ୍ରଶ୍ନ ଥିଲା, କରୋନ ଟେଷ୍ଟ ପାଇଁ ପ୍ରତିଯୋଗିତା କରୁଛି କି ଆମେରିକା?

826

କନକ ବ୍ୟୁରୋ: ଚୀନ୍ ସାମ୍ବାଦିକାଙ୍କ ପ୍ରଶ୍ନରେ କ୍ଷୋଭ ପ୍ରକାଶ କରି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ବନ୍ଦ କରିଦେଲେ ଆମେରିକା ରାଷ୍ଟ୍ରପତି । ଆମେରିକାରେ ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ କାହିଁକି ଟେଷ୍ଟ କରିବା ଉପରେ କେବଳ ଦେଶ ଗୁରୁତ୍ୱ ଦେଉଛି ବୋଲି ସାମ୍ବାଦିକା ଜଣକ ପ୍ରଶ୍ନ କରିଥିଲେ । ଆଉ ଏହି ପ୍ରଶ୍ନର ଉତର ରଖି ଡୋନାଲ୍ଡ ଟ୍ରମ୍ପ କହିଥିଲେ,- ଏହି ପ୍ରଶ୍ନ ଆମେରିକାକୁ ନୁହେଁ ବରଂ ଚୀନ୍କୁ ପଚାରିବା ଉଚିତ ।

ଚୀନ୍ ସାମ୍ବାଦିକାଙ୍କ ପ୍ରଶ୍ନରେ କିଛି ଏପରି ଭାବରେ ଚିହିଁକି ଯାଇଛନ୍ତି ଆମେରିକା ରାଷ୍ଟ୍ରପତି । ଏପରିକି ସାମ୍ବାଦିକ ସମ୍ମିଳନୀକୁ ଅଧାରୁ ଛାଡି ଚାଲିଯାଇଥିଲେ ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆମେରିକାରେ କୋଭିଡ-୧୯ର ସ୍ଥିତି ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ରଖୁଥିଲେ ରାଷ୍ଟ୍ରପତି ଟ୍ରମ୍ପ । ଏହି ସମୟରେ ସିବିଏସ ସାମ୍ବାଦିକ ୱେଜିଆ ଜିଆଙ୍ଗ ପ୍ରଶ୍ନ କରିଥିଲେ ଯେ, ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ କାହିଁକି ବିଶ୍ୱ ସ୍ତରରେ ଏକ ପ୍ରତିଯୋଗିତା ଭଳି ଆମେରିକା କେତେ କରୋନା ଟେଷ୍ଟ କରିଛି ତାରି ଉପରେ ଗୁରୁତ୍ୱ ଦେଉଛି । ଏପରି ପ୍ରଶ୍ନ ଶୁଣି ଚିହିଁକି ଯାଇଥିଲେ ଆମେରିକା ରାଷ୍ଟ୍ରପତି । ଏବଂ ଏହି ପ୍ରଶ୍ନ ଆମେରିକାକୁ ନୁହେଁ ବରଂ ଚୀନ୍କୁ ପଚରାଯିବା ଉଚିତ୍ ବୋଲି ଉତର ରଖିଥିଲେ ।

ସାରା ବିଶ୍ୱରେ କରୋନା ସଂକ୍ରମଣ ବଢିଚାଲିଥିବା ବେଳେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ବିତଶାଳୀ ରାଷ୍ଟ୍ର ଆମେରିକା । ଦେଶରେ ମୃତକଙ୍କ ସଂଖ୍ୟା ୮୦ ହଜାର ଟପିଥିବା ବେଳେ ଏପର୍ଯ୍ୟନ୍ତ ୧୩ଲକ୍ଷ ୮୫ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଛନ୍ତି ।

ସାମ୍ବାଦିକଙ୍କ ପ୍ରଶ୍ନରେ ବିରକ୍ତି ପ୍ରକାଶ କରିଥିବା ଆମେରିକା ରାଷ୍ଟ୍ରପତି କାହିଁକି ସମ୍ପୃକ୍ତ ସାମ୍ବାଦିକଙ୍କ ଏମିତି ଉତର ରଖିଛନ୍ତି ବୋଲି ସାମ୍ବାଦିକ ପୁଣି ପଚାରିଥିଲେ । ଏହାର ଉତରରେ ଟ୍ରମ୍ପ କହିଥିଲେ ତାଙ୍କୁ ଏପରି କଦର୍ଯ୍ୟ ପ୍ରଶ୍ନ ପଚାରୁଥିବା ସମସ୍ତଙ୍କୁ ସେ ଏମିତି କହିବେ । ଏହା ପରେ ପରେ ସିଏନଏନ ସାମ୍ବାଦିକଙ୍କୁ ପ୍ରଶ୍ନ ପଚାରିବାକୁ କହିଥିଲେ ଏବଂ ତୁରନ୍ତ ତାଙ୍କୁ ଠାରୁ ପ୍ରଶ୍ନ ନେବା ପାଇଁ ମନା କରିବା ସହ ସେ କୌଣସି ପ୍ରତିକ୍ରିୟା ରଖିନଥିବାରୁ ଆଉ ପ୍ରଶ୍ନ ପଚାରିପାରିବେ ନାହିଁ ବୋଲି ଟ୍ରମ୍ପ କହିଥିଲେ । ଏହି ପରିସ୍ଥିତି ଉପୁଜିବା ପରେ ତୁରନ୍ତ ଧନ୍ୟବାଦ ଦେଇ ସାମ୍ବାଦିକ ସମ୍ମିଳନୀକୁ ବନ୍ଦ କରିଦେଇଥିଲେ ଆମେରିକା ରାଷ୍ଟ୍ରପତି । ଆମେରିକାରେ କରୋନାର ପ୍ରକୋପ ବଢିଚାଲିଥିବା ବେଳେ ପୂର୍ବରୁ ମଧ୍ୟ ଏଥିପାଇଁ ଚୀନ୍କୁ ଦାୟୀ କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଏବଂ ଚୀନ୍ ଚାହିଁଥିଲେ ବିଶ୍ୱ ସ୍ତରରେ ହୋଇଥିବା ଏହି ସଂକ୍ରମଣକୁ ରୋକାଯାଇ ପାରିଥାନ୍ତା ବୋଲି ଟ୍ରମ୍ପ କହିଛନ୍ତି ।