ବିଜୟର ନିକଟତର ହେଉଛନ୍ତି ବାଇଡେନ୍: ଜର୍ଜିଆ-ପେନସିଲଭାନିଆରେ ବି ଅଗ୍ରଣୀ; ଫଳାଫଳକୁ ଗ୍ରହଣ କରିବାକୁ ନାରାଜ ଟ୍ରମ୍ପ

ସମର୍ଥନରେ ଥିବା ଗଣମାଧ୍ୟମ ବଦଳାଇଲେ ସ୍ୱର । ନମ୍ରତାର ସହ ପରାଜୟକୁ ମାନିବାକୁ ପରାମର୍ଶ ଦେଲା ଫକ୍ସ ନ୍ୟୁଜ୍

201

କନକ ବ୍ୟୁରୋ: ଆମେରିକାର ଶାସନ କ୍ଷମତା ଆଡକୁ ଆଗେଇଲେ ଚାଲିଛନ୍ତି ଡେମୋକ୍ରାଟ ପ୍ରାର୍ଥୀ ଜୋ ବାଇଡେନ୍ । ଇ-ମେଲ ଭୋଟ ଓ ପୋଷ୍ଟାଲ ଭୋଟ ପାଇଁ ଗଣତି ଜାରି ରହିଥିଲେ ମଧ୍ୟ ପେନସିଲଭାନିଆ, ନେଭାଡା ଓ ଜର୍ଜିଆରେ ବାଇଡେନ ବହୁ ଭୋଟରେ ଆଗୁଆ ରହିଛନ୍ତି । ଫଳରେ ବାଇଡେନଙ୍କ ବିଜୟ ସମ୍ଭାବନା ଆହୁରି ବଢ଼ିଯାଇଛି । ଯେକୌଣସି ଗୋଟିଏ ରାଜ୍ୟରେ ବିଜୟ ହାସଲ କଲେ ବାଇଡେନଙ୍କୁ ବହୁମତ ସଂଖ୍ୟା ମିଳିଯିବ । ଶେଷ ଖବର ଅନୁସାରେ ବାଇଡେନ୍ ୨୬୪ ଆସନରେ ବିଜୟୀ ହୋଇଥିବାବେଳେ ଟ୍ରମ୍ପ ୨୧୪ ଆସନ ଦଖଲ କରିଛନ୍ତି । ବହୁମତ ପାଇଁ ୨୭୦ ଆସନରେ ବିଜୟ ଆବଶ୍ୟକ । ଆମେରିକାର ପରବର୍ତି ରାଷ୍ଟ୍ରପତି ହେବା ଆଡକୁ ବାଇଡେନ୍ ଗତି କରୁଥିବାବେଳେ ସେ ଏଥିପାଇଁ ପ୍ରସ୍ତୁତିି ଆରମ୍ଭ କରି ଦେଇଛନ୍ତି ।

ବିଜୟର ପାଖାପାଖି ବାଇଡେନ୍ । ବଦଳୁଛି ଟ୍ରମ୍ପଙ୍କ ସମର୍ଥନ କରୁଥିବା ଗଣମାଧ୍ୟମର ସ୍ୱର ।ଗଣତି ଯେତିକି ଆଗକୁ ବଢ଼ୁଛି, ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାର ସ୍ୱପ୍ନ ସେତିକି ମଉଳି ଯାଉଛି । ଡେମୋକ୍ରାଟିକ ପାର୍ଟି ଶିବିରରେ ଉତ୍ସାହ ଖେଳି ଯାଇଥିବା ବେଳେ ପୂରା ଗଣତି ପ୍ରକ୍ରିିୟା ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ସମର୍ଥକଙ୍କୁ ଅପିଲ କରିଛନ୍ତି ଜୋ-ବାଇଡେନ୍ । ବାଇଡେନ୍ କହିଛନ୍ତି ରାଷ୍ଟ୍ରପତି ଭାବେ ତାଙ୍କର ପ୍ରାଥମିକ ଦାୟିତ୍ୱ ହେଉଛି ସାରା ଦେଶକୁ ପ୍ରତିନିଧିତ୍ୱ କରିବା । ସେପଟେ ରାଷ୍ଟ୍ରପତି ପଦରୁ ହଟିବାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଟ୍ରମ୍ପ । ତେବେ ନିର୍ବାଚନକୁ ନେଇ ଦୁଇ ଭାଗରେ ବିଭକ୍ତ ହୋଇଥିବା ଆମେରିକାର ଗଣମାଧ୍ୟମ ଏବେ ଧୀରେ ଧୀରେ ସ୍ୱର ବଦଳାଉଛି । ଅଯଥା ବିବାଦ ସୃଷ୍ଟି ନକରି ଆସୁଥିବା ଫଳାଫଳକୁ ନମ୍ରତାର ସହ ଗ୍ରହଣ କରିବାକୁ ଟ୍ରମ୍ପକୁ ପରାମର୍ଶ ଦେଇଛି ଟମ୍ପଙ୍କ ସମର୍ଥନରେ ଥିବା ଫକ୍ସ ନ୍ୟୁଜ୍ । ଏହାପରେ ଫକ୍ସ ନ୍ୟୁଜ୍ ପ୍ରସାର କରୁଥିବା ଖବରକୁ ବିଶ୍ୱାସ ନକରିବାକୁ ଆମେରିକାବାସୀଙ୍କୁ ଅନୁରୋଧ କରିଛନ୍ତି ଟ୍ରମ୍ପଙ୍କ ସମର୍ଥକ ।

ଭୋଟ ଅପହରଣ, ମିଛ ଭୋଟ ଜରିଆରେ ଡେମୋକ୍ରାଟ ବିଜୟୀ ହେଉଛି ବୋଲି ବାରମ୍ବାର ଅଭିଯୋଗ ଆଣୁଛନ୍ତିି ଟ୍ରମ୍ପ । ନ୍ୟାୟିକ ପ୍ରକୟିୟା ଭିତରେ ପୂରା ଛନ୍ଦି ହୋଇଯାଇଛି ଆମେରିକା ନିର୍ବାଚନ । ନିର୍ବାଚନକୁ ନେଇ ଟ୍ରମ୍ପ ତାଙ୍କ ଅଭିଭାଷଣରେ ବିବାଦୀୟ ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ଆମେରିକାର ଅନେକ ଗଣମାଧ୍ୟମ ତାଙ୍କ ଅଭିଭାଷଣକୁ ଅଧାରେ ବନ୍ଦ କରି ଦେଇଛନ୍ତି । ଏହା ଆମେରିକାର ସମ୍ମାନକୁ ବିଶ୍ୱ ଦରବାରରେ କ୍ଷୁର୍ଣ୍ଣ କରୁଥିବା ଯୁକ୍ତି ଦର୍ଶାଯାଇଛି । ସେପଟେ ବାଇଡେନଙ୍କୁ ସୁରକ୍ଷା ବଳୟ ଭିତରେ ରଖିବାକୁ ଏଜେଂଟମାନଙ୍କୁ ସଜାଗ କରିଛି ଆମେରିକାର ସିକ୍ରେଟ ସର୍ଭିସ ।