ଆମେରିକା ରାଷ୍ଟ୍ରପତି ବନିବେ ଜୋ-ବାଇଡେନ୍ । ହେଲେ ପରାଜୟ ମାନିବାକୁ ନାରାଜ ଡୋନାଲ୍ଡ ଟ୍ରମ୍ପ, ଏବେ ବି କହୁଛନ୍ତି ସେ ଜିତିଛନ୍ତି ବିପୁଳ ଭୋଟରେ ।

544

କନକ ବ୍ୟୁରୋ : ଆମେରିକା ନିର୍ବାଚନରେ ଜୋ ବାଇଡେନ ବିଜୟ ହାସଲ କରିବା ପରେ ଏକ ଅଭାବନୀୟ ପରିସ୍ଥିତି ଦେଖାଦେଇଛି । ରାଷ୍ଟ୍ରପତି ଟ୍ରମ୍ପ ଏଯାଏଁ ପରାଜୟ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହଁନ୍ତି । ନଭେମ୍ବର ୭ ତାରିଖ ରାତି ୯ଟା ୬ରେ ଟ୍ରମ୍ପ ଟୁଇଟ କରି କହିଛନ୍ତି, ବିପୁଳ ଭୋଟରେ ସେ ବିଜୟୀ ହୋଇଛନ୍ତି । ଆମେରିକାର ଟିଭି ଚ୍ୟାନେଲଗୁଡିକ ବାଇଡେନଙ୍କୁ ବିଜୟୀ ଘୋଷଣା ପରେ ଟ୍ରମ୍ପ କହିଛନ୍ତି, ଠିକ ଭାବରେ ଭୋଟ ଗଣତି ନହେବା ଯାଏଁ ସେ ବିଶ୍ରାମ ନେବେ ନାହିଁ । ସେପଟେ ବାଇଡେନ କ୍ୟାମ୍ପେନ ଟିମର ମୁଖପାତ୍ର କହିଛନ୍ତି, ଆମେରିକାର ଜନତା ନିର୍ବାଚନ ନେଇ ନିଷ୍ପତି ନେବେ ଏବଂ ହ୍ୱାଇଟ ହାଉସରେ ଅନଧିକୃତ ଭାବେ ରହୁଥିବା ଲୋକଙ୍କୁ ବାହାର କରିଦିଆଯିବ ।

ପୃଥିବୀର ସବୁଠାରୁ ପୁରୁଣା ଗଣତନ୍ତ୍ର ଓ ଶକ୍ତିଶାଳୀ ରାଷ୍ଟ୍ରର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଆମେରିକାବାସୀଙ୍କୁ ଉଦବୋଧନ ଦେଇ ଜୋ ବାଇଡେନ କହୁଛନ୍ତି, ବର୍ତମାନ ଆମେରିକା ଲାଲ ଓ ନୀଳ ରଙ୍ଗରେ ଅଲଗା ନହୋଇ ଏକଜୁଟ ହୋଇ କାମ କରିବ ।

ପରାଜୟ ସ୍ୱୀକାର କରୁନାହାନ୍ତି ଟ୍ରମ୍ପ । ଏବେ ବି କହୁଛନ୍ତି ସେ ହୋଇଛନ୍ତି ବିଜୟୀ । ନଜର ପକାନ୍ତୁ ନଭେମ୍ବର ୭ ତାରିଖର ରାତି ୯ଟା ୬ରେ ଟ୍ରମ୍ପ କରିଥିବା ଟୁଇଟ୍ ଉପରେ । ଯେଉଁଥିରେ ସେ ଲେଖିଛନ୍ତି, ସେ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି । ଆମେରିକାରେ ଏଭଳି ଏକ ଅଭାବନୀୟ ପରିସ୍ଥିତି ଭିତରେ ବାଇଡେନଙ୍କ କ୍ୟାମ୍ପେନ ଟିମ ମୁଖପାତ୍ର ବେଟସ୍ କହିଛନ୍ତି, ଆମେରିକାର ଜନତା ନିର୍ବାଚନକୁ ନେଇ ନିଷ୍ପତି ନେବେ । ହ୍ୱାଇଟ ହାଉସରେ ଅନଧିକାର ଭାବେ ରହିଥିବା ଲୋକଙ୍କୁ ବାହାର କରିଦିଆଯିବ ।

ବାଇଡେନ ଦେଉଥିଲେ ବିଜୟୀ ଅଭିଭାଷଣ । ଟ୍ରମ୍ପ ଖେଳୁଥିଲେ ଗଲଫ । ଗୋଟିଏ ପଟେ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ ବିଜୟୀ ଅଭିଭାଷଣ ଦେଉଥିଲେ, ଅନ୍ୟପଟେ ଭର୍ଜିନିଆର ଏକ କ୍ଲବରେ ରାଷ୍ଟ୍ରପତି ଟ୍ରମ୍ପ ଗଲଫ ଖେଳୁଥିବାର ଚିତ୍ର ସାମ୍ନାକୁ ଆସିଛି । ଗୋଟିଏ ପଟେ ବାଇଡେନ ଆଗାମୀ ୪ ବର୍ଷ ପାଇଁ ତାଙ୍କର ଆଭିମୁଖ୍ୟ କଣ ହେବ, ସେନେଇ ଆମେରିକାରବାସୀଙ୍କୁ ଉଦବୋଧନ ଦେଉଥିଲେ । ଅନ୍ୟପଟେ ଟ୍ରମ୍ପ ଏସବୁଠୁ ଦୂରେଇ ଯାଇ ସେ ଆଦୌ ବିଚଳିତ ନୁହଁନ୍ତି ବୋଲି ଏକ ବାର୍ତ୍ତା ଦେବାକୁ ଚେଷ୍ଟା କରୁଥିଲେ ।

ସେପଟେ ଟ୍ରମ୍ପ କହିଛନ୍ତି, ସୋମବାର ଠାରୁ ପୁଣି ତାଙ୍କର କ୍ୟାମ୍ପେନ ଟିମ୍ କୋର୍ଟ ସମ୍ପର୍କୀୟ କାମ ଜୋରଦାର କରିବ ଏବଂ ନିର୍ବାଚନରେ ଆଇନ ଅନୁସାରେ ଯିଏ ବିଜୟ ହାସଲ କରିଛି, ସେନେଇ କୋର୍ଟ ନିଷ୍ପତି ନେବ । ସିଏନଏନ କରିଥିବା ରିପୋର୍ଟ ଅନୁସାରେ, ଟ୍ରମ୍ପଙ୍କ ଜ୍ୱାଇଁ ଜେୟାର୍ଡ କୁଶନର ଟ୍ରମ୍ପଙ୍କୁ ଭେଟି ପରାଜୟ ସ୍ୱୀକାର କରିନେବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ଟ୍ରମ୍ପ କ’ଣ ପ୍ରତିକ୍ରିୟା ରଖିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ ।