ଏଯାଏଁ ପରାଜୟକୁ ମାନୁନାହାନ୍ତି ଡୋନାଲ୍ଡ ଟ୍ରମ୍ପ । ହ୍ୱାଇଟ୍ ହାଉସ ଛାଡ଼ିବେ ନା ନାହିଁ ବଢ଼ୁଛି ଦ୍ୱନ୍ଦ୍ୱ । ପଦ ନଛାଡିଲେ କ’ଣ କରିବ ଆମେରିକା?

928

କନକ ବ୍ୟୁରୋ : ଆମେରିକା ନିର୍ବାଚନ ଜିତିବା ପରେ ଜୋ-ବାଇଡେନ୍ ଓ ତାଙ୍କ ଡେପୁଟି କମଳା ହାରିସ୍ ବିଜୟ ଅଭିଭାଷଣ ଦେଇସାରିଲେଣି । ସାରା ବିଶ୍ୱର ନେତାମାନେ ନୂଆ ରାଷ୍ଟ୍ରପତି ଓ ଉପ-ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇ ସାରିଲେଣି । ନିର୍ବାଚନ ସରିବାର ତିନି ଦିନ ବିତି ସାରିଲାଣି, ହେଲେ ପରାଜୟକୁ ମାନିବାକୁ ନାରାଜ । ଫଳରେ ଆମେରିକା ନିର୍ବାଚନକୁ ନେଇ ଦ୍ୱନ୍ଦ୍ୱ ଏବେ କି ହଟିନାହିଁ । ଯଦି ଟ୍ରମ୍ପ ସ୍ୱଇଚ୍ଛାରେ ହ୍ୱାଇଟ୍ ହାଉସ ନଛାଡନ୍ତି, ତେବେ କ’ଣ ହେବ, ଏହା ଉପରେ ନଜର ରଖିଛନ୍ତି ବିଶ୍ୱବାସୀ ।

ସୋମବାର ଦିନ ମଧ୍ୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ନିର୍ବାଚନ ଶେଷ ହୋଇନାହିଁ । ନିର୍ବାଚନ ନିୟମକୁ ସଂପୂର୍ଣ୍ଣ ପାଳନ କରାଯାଇ ପ୍ରକୃତ ବିଜୟୀଙ୍କୁ ରାଷ୍ଟ୍ରପତି ପଦରେ ବସାଇବାକୁ ଆହ୍ୱାନ ଦେଇଛନ୍ତି ଟ୍ରମ୍ପ । ଅଦାଲତ ଭିତରେ ନିର୍ବାଚନକୁ ଛନ୍ଦି ନୂଆ ରାଷ୍ଟ୍ରପତିଙ୍କ ନିଯୁକ୍ତିକୁ ବିଳମ୍ବ କରିବାକୁ ଟ୍ରମ୍ପ ଓ ତାଙ୍କ ସମର୍ଥନ ଅଂଟା ଭିଡିଛନ୍ତି । ଫଳରେ ଆମେରିକା ନିର୍ବାଚନକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱର ଅବସାନ ହେଉନାହିଁ ।

୭ ତାରିଖରେ ଯେତେବେଳେ ବାଇଡେନଙ୍କ ବିଜୟକୁ ନେଇ ତାଙ୍କ ସମର୍ଥକମାନେ ଉତ୍ସବମୁଖର ହୋଇ ଉଠିଥିଲେ, ସେତେବେଳେ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ୍ କରି ନିଜେ ବିପୁଳ ଭୋଟରେ ବିଜୟୀ ହୋଇଥିବା ଘୋଷଣା କରିଥିଲେ । ଭୋଟ ଚୋରି ଅଭିଯୋଗ କରି ସୁପ୍ରିମକୋର୍ଟକୁ ଯିବେ ଧମକ ଦେଇଛନ୍ତି ଟ୍ରମ୍ପ ।

ଯଦି କୌଣସି ରାଷ୍ଟ୍ରପତି ନିର୍ବାଚନ ହାରିଯାନ୍ତି ଏବଂ ହ୍ୱାଇଟ୍ ହାଉସ ଛାଡିବାକୁ ରାଜି ନହୁଅନ୍ତି, ତେବେ ଏଭଳି ପରିସ୍ଥିତିରେ କ’ଣ କରାଯିବ, ଏ ନେଇ ଆମେରିକା ସମ୍ବିଧାନରେ ସ୍ପଷ୍ଟ ଭାବେ କିଛି ଉଲ୍ଲେଖ କରାଯାଇନାହିଁ । ତେବେ ରାଜନୈତିକ ବିଶାରଦ ଓ ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ଟ୍ରମ୍ପ ଯଦି ହ୍ୱାଇଟ୍ ହାଉସ୍ ନଛାଡ଼ନ୍ତି ହେବ କ’ଣ? ଆମେରିକାରେ ସାମ୍ବିଧାନିକ ସଂକଟ ସୃଷ୍ଟି ହେବ । ଗଣତନ୍ତ୍ର ପାଇଁ ଏହା ଅଶୁଭ ସଂକେତ ଦେବ । ହ୍ୱାଇଟ ହାଉସ୍ର ଅଧିକାରୀମାନେ କାହା ଆଦେଶ ମାନିବେ ଦ୍ୱନ୍ଦ୍ୱରେ ରହିବେ । ଦେଶର ଅନୁଷ୍ଠାନଗୁଡିକରେ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି କରିବ ।

ଶାନ୍ତିପୂର୍ଣ୍ଣ ଭାବେ କ୍ଷମତା ପରିବର୍ତନ ଆମେରିକା ଗଣତନ୍ତ୍ରର ମୂଳଦୁଆ । ପୂର୍ବରୁ ଏଭଳି ଅପ୍ରୀତିକର ପରିସ୍ଥିତି ଉପୁଜି ନାହିଁ । ତେବେ ନିର୍ବାଚନ ଓ ଫଳାଫଳକୁ ନେଇ ଟ୍ରମ୍ପଙ୍କ ଆଭିମୁଖ୍ୟ ସମସ୍ତଙ୍କୁ ଦ୍ୱନ୍ଦ୍ୱରେ ପକାଇଛି । କିଛି ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ଟ୍ରମ୍ପ ଯଦି ହ୍ୱାଇଟ୍ ହାଉସ ନଛାଡ଼ନ୍ତି? ତେବେ କଂଗ୍ରେସ ଓ ରାଜନେତାମାନେ ହ୍ୱାଇଟ୍ ହାଉସ ଛାଡିବାକୁ ଚାପ ପକାଇବେ । ଜାନୁଆରୀ ୨୧ରେ ବାଇଡେନ୍ ଶପଥ ନେବା ପରେ କ୍ଷମତା ହସ୍ତାନ୍ତର ହେବ । କୌଣସି ଅଧିକାରୀ ଓ ଅନୁଷ୍ଠାନ ଟ୍ରମ୍ପଙ୍କ ଆଦେଶ ମାନିବେ ନାହିଁ । ଜଣେ ବୃଦ୍ଧ ବ୍ୟକ୍ତି ହ୍ୱାଇଟ୍ ହାଉସରେ ବୁଲାବୁଲି କରୁଛନ୍ତି ବୋଲି ଧରି ନିଆଯିବ । ସିକ୍ରେଟ୍ ସର୍ଭିସ ଦ୍ୱାରା ତାଙ୍କୁ ବଳପୂର୍ବକ ହଟାଇ ଦିଆଯିବ ।

ଏଭଳି ଅପ୍ରୀତିକର ସ୍ଥିତି ଆଡକୁ ଦେଶକୁ ନେଇଯିବେ କି ପରାଜୟ ମାନି କ୍ଷମତା ହସ୍ତାନ୍ତର କରିବେ, ତାହା ନିର୍ଭର କରୁଛି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ । ଯଦି ଭୋଟିଂ ପ୍ରିକ୍ରିୟା ଉପରେ ପ୍ରଶ୍ନ ଉଠାଇ ଟ୍ରମ୍ପ ସୁପ୍ରିମକୋର୍ଟ ଯାଆନ୍ତି, ତେବେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବାକୁ ପଡ଼ିବ ।