ଭାଙ୍ଗିଯିବ କି ଟ୍ରମ୍ପଙ୍କ ଆଶା? ବିକ୍ଷୋଭ ବଢୁଛି, ଲୋକପ୍ରିୟତା କମୁଛି । ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଭୋଟ ଦେବାକୁ ମନା କଲେ ଦଳୀୟ ନେତା ।

2,051

ପୂରା ବିଶ୍ୱ କରୋନା ଲଢେଇ ଲଢୁଥିବା ବେଳେ ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ତେବେ ଏହି ନିର୍ବାଚନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢାଇଦେଇଛି । କାରଣ ଦ୍ୱିତୀୟ ଥର ଆମେରିକାର ରାଷ୍ଟ୍ରପତି ହେବାକୁ ଟ୍ରମ୍ପ ଯେଉଁ ସ୍ୱପ୍ନ ଦେଖୁଛନ୍ତି ତାହା ବୋଧହୁଏ ଅଧୁରା ରହିଯାଇପାରେ । କାରଣ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପଙ୍କୁ ତାଙ୍କ ଦଳ ରିପବ୍ଲିକାନର ଅନେକ ନେତା ସମର୍ଥନ ନ କରିବାକୁ ସ୍ପଷ୍ଟ କରିଛନ୍ତି । ଏପରିକି ବିଭିନ୍ନ ସର୍ଭେରେ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପ ପଛୁଆ ରହୁଛନ୍ତି । ଖାସକରି ଡେମୋକ୍ରାଟିକ ଦଳ ପକ୍ଷରୁ ଜୋ ବିଡେନଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସାମ୍ନାକୁ ଆଣିବା ପରେ ଟ୍ରମ୍ପ ଏହି ଦୌଡରେ ବ୍ୟାକଫୁଟକୁ ଠେଲି ହୋଇଯାଇଛନ୍ତି ।

ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ ସାମ୍ନାରେ ଏବେ ଅନେକଗୁଡିଏ ଚ୍ୟାଲେଞ୍ଜ ଉଭା ହୋଇଛି । କରୋନା ମହାମାରୀରେ ଆମେରିକା ଅଧିକ ପ୍ରଭାବିତ ହୋଇଥିବା ବେଳେ ଏବେ ବର୍ଣ୍ଣବୈଷମ୍ୟକୁ ନେଇ ଦେଶରେ ବଡଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଯାହା ଟ୍ରମ୍ପଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି । ଏହାବାଦ୍ ଆମେରିକାରେ ବିଭିନ୍ନ ଗଣମାଧ୍ୟମର ସର୍ଭେ ଅନୁଯାୟୀ, ଟ୍ରମ୍ପଙ୍କ ଲୋକପ୍ରିୟତା ପୂର୍ବପେକ୍ଷା କମିଛି । ସିଏନଏନର ସର୍ଭେ ଅନୁଯାୟୀ, ରାଷ୍ଟ୍ରପତି ଭାବେ ଟ୍ରମ୍ପଙ୍କ କାର୍ଯ୍ୟକୁ ୩୮ ପ୍ରତିଶତ ଲୋକ ସମର୍ଥନ କରୁଥିବା ବେଳେ ୫୭ ପ୍ରତିଶତ ଲୋକ ଖୁସି ନାହାନ୍ତି । ଯାହା ଡେମୋକ୍ରାଟିକ ଦଳ ପାଇଁ ବରଦାନ ସାବ୍ୟସ୍ତ ହେବାକୁ ଯାଉଛି ।

ଜାତୀୟତାବାଦକୁ ପୁଞ୍ଜି କରି ଟ୍ରମ୍ପ ୨୦୧୪ ନିର୍ବାଚନରେ ବାଜି ମାରିଥିଲେ ମଧ୍ୟ ସେହି ହାୱା ୨୦୨୦ରେ କାମ ଦେବନି ବୋଲି ଆକଳନ କରାଯାଉଛି । କାରଣ କରୋନା ମୁକାବିଲାରେ ଟ୍ରମ୍ପ ଫେଲ୍ ମାରିଥିବା ବେଳେ ବର୍ଣ୍ଣବୈଷମ୍ୟକୁ ନେଇ ରାଷ୍ଟ୍ରପତିଙ୍କୁ ଦେଶ ଭିତରେ ବିରୋଧ ଆରମ୍ଭ ହୋଇଛି । ତେଣୁ ରିପବ୍ଲିକାନ ପାର୍ଟି ପୁଣିଥରେ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ଦୌଡରେ ଓହ୍ଲାଇ ନପାରେ । ଏହାବାଦ୍ ଦଳର ଅନେକ ନେତା ମଧ୍ୟ ଟ୍ରମ୍ପଙ୍କୁ ସମର୍ଥନ କରିବେନି ବୋଲି ସିଧାସଳଖ ମନା କରିଛନ୍ତି । ଟ୍ରମ୍ପଙ୍କ ମନମୁଖୀ କାର୍ଯ୍ୟକୁ ନେଇ ଦଳର ଅନେକ ନେତା ତାଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । କିଛି ରିପୋର୍ଟରେ କୁହାଯାଇଛି ଯେ, ଦଳର ନେତା ତଥା ପୂର୍ବତନ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଟ୍ରମ୍ପଙ୍କୁ ଭୋଟ ନ କରିପାରନ୍ତି । ତେଣୁ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୈଦାନକୁ ଓହ୍ଲାଇବା ଟ୍ରମ୍ପଙ୍କ ପାଇଁ ସହଜ ହୋଇନପାରେ ।