ମୋଦିଙ୍କୁ ଟ୍ରମ୍ପଙ୍କ କାର୍ଡ ! ଆମେରିକାରେ ଅତିଥି ହେବେ ନରେନ୍ଦ୍ର ମୋଦି

19

କନକ ବ୍ୟୁରୋ : ଆମେରିକାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ । ଆମେରିକାର ଅତିଥି ହେବା ପାଇଁ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏନେଇ ହ୍ୱାଇଟ୍ ହାଉସ୍ ପକ୍ଷରୁ ସୂଚନା ଦିଆଯାଇଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛନ୍ତି ବୋଲି କୁହାଯାଇଛି । ତେବେ ମୋଦି କେବେ ଆମେରିକା ଯିବେ ସେ ନେଇ ତାରିଖ ସ୍ପଷ୍ଟ ହୋଇନାହିଁ ।

ଚଳିତ ବର୍ଷ ଶେଷ ଭାଗରେ ମୋଦି ଆମେରିକା ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି ।ସୋମାବାର ଦିନ ଫୋନ୍ ଯୋଗେ ମୋଦିଙ୍କ ସହ ଡୋନାଲ୍ଡ ଟ୍ରମ୍ପ କଥା ହୋଇଥିଲେ ବୋଲି ସୂଚନା ମିଳିଛି । ଏହି ବର୍ତାଳାପ ସମୟରେ ବିଭିନ୍ନ ରାଜ୍ୟ ନିର୍ବାଚନରେ ବିଜେପିର ସଫଳତା ନେଇ ପ୍ରଧାନମନ୍ତ୍ରୀଙ୍କୁ ଟ୍ରମ୍ପ ଶୁଭେଛା ଜଣାଇଥିଲେ ବୋଲି କୁହାଯାଉଛି ।

ସେହିପରି ମୋଦିଙ୍କ ଆର୍ଥିକ ସଂସ୍କାର ପଦକ୍ଷେପକୁ ମଧ୍ୟ ଟ୍ରମ୍ପ ପ୍ରଶଂସା କରିଥିଲେ ବୋଲି କୁହାଯାଉଛି । ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ମୋଦିଙ୍କ ସହ ତିନି ଥର କଥା ହୋଇଛନ୍ତି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ସାକ୍ଷାତକୁ ଅପେକ୍ଷା କରିଛି ବିଶ୍ୱ ସମୁଦାୟ ।