ପ୍ରଥମ ଥର ପାଇଁ ପରାଜୟକୁ ସ୍ୱୀକାର କଲେ ଡୋନାଲ୍ଡ ଟ୍ରମ୍ପ : ଟୁଇଟ କରି ଟ୍ରମ୍ପ ଲେଖିଛନ୍ତି, ଜୋ-ବାଇଡେନ ବିଜୟ ହୋଇଛନ୍ତି, କାରଣ ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି

142

କନକ ବ୍ୟୁରୋ :  ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଥମ ଥର ପାଇଁ ପରାଜୟକୁ ସ୍ୱୀକାର କରିଛନ୍ତି ଡୋନାଲ୍ଡ ଟ୍ରମ୍ପ । ଟୁଇଟ କରି ଟ୍ରମ୍ପ ଲେଖିଛନ୍ତି, ଜୋ-ବାଇଡେନ ବିଜୟ ହୋଇଛନ୍ତି, କାରଣ ନିର୍ବାଚନରେ ଅସାଧୁ ଉପାୟ ଅବଲମ୍ବନ କରାଯାଇଛି । ଭୋଟ ଗଣତି ବେଳେ କିମ୍ବା ଭୋଟ ଟେବୁଲେସ ସମୟରେ କୌଣସି ପର୍ଯ୍ୟବେକ୍ଷକଙ୍କୁ ଛଡାଗଲା ନାହିଁ । ସେପଟେ ୱାଶିଂଟନରେ ଶକ୍ତି ପ୍ରଦର୍ଶନ କରିଛନ୍ତି ଟ୍ରମ୍ପ ସମର୍ଥକ । ଟ୍ରମ୍ପଙ୍କ ସମର୍ଥକ ୱାଶିଂଟନ-ଡିସିରେ ଶହ ଶହ ସଂଖ୍ୟାରେ ରାସ୍ତାକୁ ଓହ୍ଲାଇ ନିର୍ବାଚନ ଫଳାଫଳକୁ ବିରୋଧ କରିଛନ୍ତି ।

ମିଲିୟନ ମାଗା ମାର୍ଚ୍ଚରେ ଯୋଗ ଦେବାକୁ ଆସିଥିବା ଶହ-ଶହ ଟ୍ରମ୍ପ ସମର୍ଥକ ରାଜଧାନୀକୁ ଆସି ସୁପ୍ରିମକୋର୍ଟ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ । ସେହି ସମୟରେ ଟ୍ରମ୍ପଙ୍କ ସମର୍ଥକଙ୍କୁ ବିରୋଧ କରିଥିଲେ ବାଇଡେନଙ୍କ ସମର୍ଥକ । ସମର୍ଥକଙ୍କ ଗୋଷ୍ଠୀ ସଂଘର୍ଷରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ୨୦ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି । ରାଜଧାନୀ ରାଜରାସ୍ତାରେ ଟ୍ରମ୍ପଙ୍କ ସମର୍ଥକ ଓ ବିରୋଧୀଙ୍କ ଗୋଷ୍ଠୀ ସଂଘର୍ଷ ସାଧାରଣ ଜନତାଙ୍କ ଚିନ୍ତା ବଢାଇ ଦେଇଛି ।