ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପରକୁ କାହିଁକି ହୋଇଥିଲା ଆକ୍ରମଣ । ଏଫବିଆଇର ତଦନ୍ତ ଜାରି

171

କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ହୋଇଥିବା ଆକ୍ରମଣ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି । ଏକ ସର୍ବସାଧାରଣ ସ୍ଥାନରେ ଗୁଳି କରାଗଲା? କିନ୍ତୁ ଆକ୍ରମଣକାରୀ କାହିଁକି ଟ୍ରମ୍ପଙ୍କୁ ଆକ୍ରମଣ କରିଥିଲେ ଏବଂ ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା ତାହା ଏପର୍ୟ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଆକ୍ରମଣ ପଛର ଉଦ୍ଦେଶ୍ୟ ଜଣାପଡିନାହିଁ। ଉଦ୍ଦେଶ୍ୟ ବାବଦରେ ଅଧିକ ଅନୁମାନ କରିବା ଉଚିତ ହେବନାହିଁ। ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଆମେରିକାରେ ଏଭଳି ହିଂସାପାଇଁ କୌଣସି ସ୍ଥାନ ନାହିଁ ବୋଲି ବାଇଡେନ୍ ଦୋହରାଇଛନ୍ତି।

ଆକ୍ରମଣ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଓ ଜୋ ବାଇଡେନଙ୍କ ମଧ୍ୟରେ ଏଥର ରାଷ୍ଟ୍ରପତି ନିର୍ବାଚନ ବେଶ ଜୋରଦାର ଟକର ହେବ ଏହା ସୁନିଶ୍ଚିତ। ବିଭିନ୍ନ ସର୍ଭେ ସଂସ୍ଥା ଏବଂ ରାଜନୈତିକ ବିଶେଷଜ୍ଞ ମଧ୍ୟ ଟ୍ରମ୍ପ ବାଇଡେନଙ୍କ ତୁଳନାରେ ସାମାନ୍ୟ ଆଗରେ ରହିଥିବା କହୁଛନ୍ତି । ଏହି ସମୟରେ ଟ୍ରମ୍ପଙ୍କୁ ଉପରେ ହୋଇଛି ଆକ୍ରମଣ । ଅନ୍ୟପକ୍ଷରେ ଆମେରିକାର ତଦନ୍ତକାରୀ ସଂସ୍ଥା ଏଫବିଆଇ ଯାହା କହିଛି ତାହା ମଧ୍ୟ ଆଶ୍ଚର୍ୟ୍ୟଜନକ। ଆକ୍ରମଣକାରୀ ଏକୁଟିଆ ଥିଲା ବୋଲି ତଦନ୍ତକାରୀ ସଂସ୍ଥା କହିଛି। ସେ ଏକୁଟିଆ ଏପରି କରିଥିଲେ, କିନ୍ତୁ ଟ୍ରମ୍ପଙ୍କୁ କାହିଁକି ଟାର୍ଗେଟ କଲେ? ଏହା ପଛରେ ତାଙ୍କର ଉଦ୍ଦେଶ୍ୟ କ’ଣ ଥିଲା, ତାହା ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ। ଘଟଣାର ତଦନ୍ତ ଚାଲିଛି। ଏଫବିଆଇ ନିର୍ଦ୍ଦେଶକ କ୍ରିଷ୍ଟୋଫର ୱାରେ କହିଛନ୍ତି ଶୁଟର ଥୋମାସ ମାଥ୍ୟୁ କ୍ରୁକ୍ସଙ୍କ ଭୋଟର ପରିଚୟ ପତ୍ରରୁ ଜଣାପଡିଛି ଯେ ସେ ରିପବ୍ଲିକାନ ପାର୍ଟିର ସମର୍ଥକ।

ବାଇଡେନଙ୍କ ପ୍ରାର୍ଥୀତ୍ୱକୁ ନେଇ ଡେମୋକ୍ରାଟିକ୍ ପାର୍ଟିରେ ଆଭ୍ୟନ୍ତରୀଣ ଅସନ୍ତୋଷ ରହିଥିବା କୁହାଯାଉଛି । କମଲା ହାରିସ ମଧ୍ୟ ଏହି ପଦ ପାଇଁ ଆଶାୟୀ ଥିବା କୁହାଯାଉଛି । ଏହାକୁ ଦୃଷ୍ଟିରେ ରଖି ରିପବ୍ଲିକାନ ନେତାମାନେ ଦଳର ନେତା ଟ୍ରମ୍ପଙ୍କ ଉପରେ ଆକ୍ରମଣର ଫାଇଦା ଉଠାଇବାର ସମ୍ଭାବନା ରହିଛି। ବାଇଡେନଙ୍କ ଫିଟନେସ ଏବଂ ନେତୃତ୍ୱ କଥା ଉଠାଇ ଘେରିପାରନ୍ତି ବାଇଡେନଙ୍କୁ ।

ଅନ୍ୟପଟେ ଟ୍ରମ୍ପଙ୍କ ଉପରେ ଆକ୍ରମଣ ପରେ ଆମେରିକାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଟ୍ରମ୍ପ ଟାୱାରର ସୁରକ୍ଷା ବଢ଼ାଇ ଦିଆଯାଇଛି।