ଇରାନ ପରମାଣୁ ଚୁକ୍ତିରୁ ଅଲଗା ହେଲା ଆମେରିକା : ଟ୍ରମ୍ପ ପ୍ରଶାସନର ଘୋଷଣା, ତେହେରାନ ଉପରେ ଲାଗିବ କଟକଣା । ଅନ୍ୟ ଦେଶ ସହାୟତା କଲେ ପଡିବେ ବିପଦରେ

35

କନକ ବ୍ୟୁରୋ : ଶେଷରେ ଇରାନ ପରମାଣୁ ଚୁକ୍ତିରୁ ଅଲଗା ହୋଇଗଲା ଆମେରିକା । ଇରାନ ସହ ପରମାଣୁ ଚୁକ୍ତି ଶେଷ କରିବା ନେଇ ଘୋଷଣା କରିଛି ଟ୍ରମ୍ପ ପ୍ରଶାସନ । ଏହା ସହ ୨୦୧୫ରେ ହୋଇଥିବା ଏହି ଗୁରୁତ୍ୱପୂର୍ଣ ପରମାଣୁ ଚୁକ୍ତିରୁ ଓହରି ଯାଇଛି ଆମେରିକା । ପରମାଣୁ ଚୁକ୍ତିରୁ ଅଲଗା ହେବା ସହ ଇରାନ ଉପରେ ଆର୍ଥିକ କଟକଣା ମଧ୍ୟ ଲାଗୁ କରାଯିବ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ । ଏହା ସହ ଯଦି କୌଣସି ଦେଶ ଇରାନକୁ ଆଣବିକ ଅସ୍ତ୍ରଶସ୍ତ୍ର ସହାୟତା କରେ ତେବେ ସେହି ଦେଶ ବିରୋଧରେ ମଧ୍ୟ କଟକଣା ଲାଗୁ କରାଯିବ ବୋଲି ଟ୍ରମ୍ପ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଏହା ଦ୍ୱାରା ବିଶ୍ୱକୁ ଏହା ବାର୍ତ୍ତା ଯିବ ଯେ ଆମେରିକା ଖାଲି ଧମକ ଦିଏନାହିଁ, ଏହାକୁ କାର୍ଯ୍ୟକାରୀ ମଧ୍ୟ କରେ ।

ତେବେ ଟ୍ରମ୍ପ ପ୍ରଶାସନର ଏପରି ନିଷ୍ପତ୍ତିକୁ ବଡ ଭୁଲ ବୋଲି କହିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା । ସେ କହିଛନ୍ତି ଯେ ଏହା ଦ୍ୱାରା ସାରା ବିଶ୍ୱରେ ଆମେରିକାର ବିଶ୍ୱସନୀୟତା ହ୍ରାସ ପାଇବ । ଇରାନ ପରମାଣୁ ଚୁକ୍ତିରୁ ଆମେରିକା ଅଲଗା ହେବା ନେଇ ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନ ମଧ୍ୟ ନିରାଶା ଜାହିର କରିଛନ୍ତି । ୨୦୧୫ରେ ଏହି ପରମାଣୁ ଚୁକ୍ତି ୬ଟି ପରମାଣୁ ଶକ୍ତି ସଂପନ୍ନ ରାଷ୍ଟ୍ର ଆମେରିକା, ବ୍ରିଟେନ୍, ଚୀନ୍, ଫ୍ରାନ୍ସ, ଜର୍ମାନୀ ଓ ଇରାନ ମଧ୍ୟରେ ହୋଇଥିଲା ।