ନିଜର ବ୍ୟବସାୟୀକ ପ୍ରତିଷ୍ଠା ପାଇଁ ଚର୍ଚ୍ଚାରେ ଟ୍ରମ୍ପ । ତାଙ୍କ ପଛରେ ବସିବା ପାଇଁ ବି ଭିଆଇପିମାନଙ୍କୁ ଦେବାକୁ ପଡ଼ୁଛି ଟଙ୍କା ।

190

କନକ ବ୍ୟୁରୋ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପ ରାଷ୍ଟ୍ରପତି ପଦରେ ଥିବାବେଳେ ଚର୍ଚ୍ଚାରେ ଥିଲେ, ଏବେ କ୍ଷମତାରୁ ଯିବାର ବର୍ଷେ ପରେ ବି ଚର୍ଚ୍ଚାରେ ଅଛନ୍ତି । କିନ୍ତୁ ଏଥର ଟ୍ରମ୍ପ ତାଙ୍କର କୌଣସି ରାଜନୈତିକ କାର୍ଯ୍ୟକୁ ନେଇ ଚର୍ଚ୍ଚାରେ ନାହାନ୍ତି । ବରଂ ରାଷ୍ଟ୍ରପତି ଥିବା ସମୟରେ ସେ ଯେଉଁ ପ୍ରତିଷ୍ଠା କମାଇଥିଲେ ତାକୁ କେମିତି ତାଙ୍କ ବ୍ୟବସାୟ ସାମ୍ରାଜ୍ୟ ବୃଦ୍ଧିରେ ବ୍ୟବହାର କରିଛନ୍ତି, ଆଉ ଏବେ ବି ସେଥିରୁ କୋଟି କୋଟି ଟଙ୍କା ଆୟ କରୁଛନ୍ତି ତାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି ।

ଆମେରିକାର ପ୍ରସିଦ୍ଧ ଦୈନିକ ଖବରକାଗଜ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଟ୍ରମ୍ପ କ୍ଷମତାରେ ଥିବାବେଳେ ଅତି ଚତୁରତାର ସହ ରାଜନୀତି ଓ ତାଙ୍କ ବ୍ୟବସାୟକୁ ଅଦୃଶ୍ୟ ଭାବରେ ଯୋଡି ଦେଇଥିଲେ । ଯାହା ଉପରକୁ ଜଣାପଡୁନଥିଲେ ବି ଏବେ ତାହା ଧିରେ ଧିରେ ସ୍ପଷ୍ଟ ହେବାରେ ଲାଗିଛି । ଆମେରିକାରେ ଏବେ ବିକ୍ରି ହେଉଛି ଟ୍ରମ୍ପ ବ୍ରାଣ୍ଡ । ଟ୍ରମ୍ପ ବ୍ରାଣ୍ଡର ମଦଠାରୁ ଆରମ୍ଭ କରି ଟ୍ରମ୍ପ ବ୍ରାଣ୍ଡର ଟୋପି ପର୍ଯ୍ୟନ୍ତ ସବୁ ଚଢ଼ା ଦାମରେ ବିକ୍ରି ହେଉଛି ।

ଆମେରିକାରେ ଟ୍ରମ୍ପ ବ୍ରାଣ୍ଡ କେମିତି ବିକ୍ରି ହେଉଛି ତାର କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଖ୍ରୀଷ୍ଟମାସ ଅବସରରେ ଫ୍ଲୋରିଡାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ପହଞ୍ଚିଥିଲେ ଟ୍ରମ୍ପ । କିନ୍ତୁ ଏଥିପାଇଁ ସେ ୧୦ ହଜାର ଡଲାର ବା ଭାରତୀୟ ମୁଦ୍ରାରେ ସାଢ଼େ ସାତ ଲକ୍ଷ ଟଙ୍କା ନେଇଥିଲେ । ତାଙ୍କ ସହ ଫଟୋ ଉଠାଇବା ପାଇଁ ବି ଟଙ୍କା ନେଇଥିଲେ । ମ୍ୟାନହଟନରେ ଥିବା ଟ୍ରମ୍ପ ଟାୱାରର ଲବି ବାରକୁ ରିମଡେଲିଙ୍ଗ କରି ଏଠାରେ ଟ୍ରମ୍ପ ବ୍ରାଣ୍ଡ ନାମରେ ମଦ ବିକ୍ରି କରାଯାଉଛି । ଟ୍ରମ୍ପ ବ୍ରାଣ୍ଡର କକଟେଲ ବି ବିକ୍ରି ହେଉଛି । ଆଉ ଯାହାର ଦର ପୂର୍ବ ଅପେକ୍ଷା ଢ଼େର ଅଧିକ ରହିଛି ।

କେବଳ ଏତିକି ନୁହେଁ, ଟ୍ରମ୍ପଙ୍କ ପଛରେ ବସିବା ପାଇଁ ବି ଭିଆଇପିମାନଙ୍କୁ ଟଙ୍କା ଦେବାକୁ ପଡୁଛି । ଫକ୍ସ ନିଉଜର ଜଣେ ହୋଷ୍ଟଙ୍କ ସହ ଏକ ଟୁରରେ ଯାଇଥିବାବେଳେ ତାଙ୍କ ପଛରେ ବସିବା ପାଇଁ ଏକ ଭିଆଇପି ପ୍ୟାକେଜ ରଖାଯାଇଥିଲା । ଯାହାର ମୂଲ୍ୟ ୭ହଜାର ୫ଶହ ଡଲାର ବା ଭାରତୀୟ ମୁଦ୍ରାରେ ସାଢ଼େ ପାଞ୍ଚ ଲକ୍ଷ ଟଙ୍କା ରଖାଯାଇଥିଲା । ସେହିପରି ଏକ ନୂଆ କମ୍ପାନୀର ପ୍ରଚାର ପାଇଁ ବହୁ ପରିମାଣର ଅର୍ଥ ନେବା ପରେ ସେହି କମ୍ପାନୀର ଏକ କଫି ଟେବୁଲ ବୁକ୍ କରିଥିଲେ । କେବଳ ଟ୍ରମ୍ପ ନୁହଁନ୍ତି ତାଙ୍କ ପତ୍ନୀ ମେଲାନିଆ ମଧ୍ୟ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଗଲେ ଅର୍ଥ ନେଉଛନ୍ତି । ସେହି ଟଙ୍କାର କିଛି ଅଂଶ ଚ୍ୟାରିଟିକୁ ଯାଉଥିଲେ ବି ବଡ ଭାଗ ଟ୍ରମ୍ପଙ୍କ ପକେଟକୁ ଯାଉଛି ।

ଆମେରିକା ଇତିହାସରେ ଟ୍ରମ୍ପ ବୋଧହୁଏ ପ୍ରଥମ ରାଷ୍ଟ୍ରପତି ଯିଏ କ୍ଷମତାରେ ଥିବାବେଳେ ପାଇଥିବା ପ୍ରସିଦ୍ଧିକୁ ଏକ ବ୍ୟବସାୟିକ ବ୍ରାଣ୍ଡ ଭାବରେ ପରିଣତ କରିଛନ୍ତି । ଭାରତରେ ଯେତେବେଳେ ନେତାମାନେ ରାଜନୀତିରୁ ଅବସର ନିଅନ୍ତି ସେତେବେଳେ ସେମାନେ ରୋଜଗାରକୁ ନେଇ ଚିନ୍ତାରେ ପଡନ୍ତି । ସେଥିପାଇଁ ଅନେକ ସମୟରେ ନେତାମାନେ ବୟସ ହୋଇଯାଇଥିଲେ କ୍ଷମତାରେ ରହିବା ପାଇଁ ଚାହିଁଥାନ୍ତି । କିନ୍ତୁ ଆମ ଦେଶର ନେତାମାନେ ଦୀର୍ଘ ବର୍ଷ କ୍ଷମତାରେ ରହିଥିଲେ ବି ବିଦାୟ ନେବା ପରେ ଟ୍ରମ୍ପଙ୍କ ଭଳି କୌଣସି ବ୍ରାଣ୍ଡ ସୃଷ୍ଟି କରି ରୋଜଗାର କରିବାର ନଜିର ନାହିଁ । ବିଶ୍ୱର ଅନ୍ୟ କୌଣସି ନେତାଙ୍କ କ୍ଷେତ୍ରରେ ଏମିତି ଦେଖିବାକୁ ମିଳି ନାହିଁ । ଯାହା ପୁଣି ଥରେ ଟ୍ରମ୍ପଙ୍କୁ ଚର୍ଚ୍ଚାକୁ ଆଣିଛି ।